ଅସୁମାରୀ ଆଶାର ଆକାଶ

Advertisment
ଅସୁମାରୀ ଆଶାର ଆକାଶ

Latestly

ନିଜର ମାତ୍ର ଦଶ ବର୍ଷର କଳାକାର ଜୀବନ ଭିତରେ ୧୭ଟି ହିନ୍ଦୀ ଚଳଚ୍ଚିତ୍ର, ୭ଟି କ୍ଷୁଦ୍ର ଚଳଚ୍ଚିତ୍ର ଓ ୪ଟି ୱେବ୍‌ ଧାରାବାହିକରେ ଅଭିନୟ କରି ସାରିଥିବା ସାୟନୀ ଗୁପ୍ତା ତଥାପି ନିଜର ଶ୍ରେଷ୍ଠତ୍ବ ପ୍ରଦର୍ଶନ ପାଇଁ ଅପେକ୍ଷାରେ ଅଛନ୍ତି। ବିଧିବଦ୍ଧ ଭାବେ ଅଭିନୟ ଶିକ୍ଷା ହାସଲ କରି ଏଭଳି ସୁଦୀର୍ଘ ଅଭିଜ୍ଞତା ସତ୍ତ୍ବେ ତାଙ୍କର ଆହୁରି ଅନେକ କିଛି ଶିଖିବାର ଅଛି ଏବଂ ମନଲାଖି ଚରିତ୍ରଟିଏ ତାଙ୍କୁ ଏଯାଏ ମିଳିପାରିନାହିଁ ବୋଲି ସେ ସ୍ବୀକାର କରିଛନ୍ତି। ଗତ ଅକ୍ଟୋବର ମାସରେ ନିଜ ଜନ୍ମଦିନ ଅବସରରେ ସ୍କୁଲ ଛାତ୍ରୀମାନଙ୍କୁ ସାନିଟାରି ନାପ୍‌କିନ୍‌ ବାଣ୍ଟି ଖବରର ଶୀର୍ଷକ ପାଲଟିଥିବା ସାୟନୀଙ୍କର ଜୀବନଯାତ୍ରା ଭିନ୍ନ ଢଙ୍ଗରେ ଆରମ୍ଭ ହୋଇଥିଲା। ବିଶେଷ କରି ବିଭିନ୍ନ ସଚେତନତାଧର୍ମୀ ସିନେମାରେ ସେ ନିଖୁଣ ଭାବରେ ନିଭାଇଥିବା ଚରିତ୍ରକୁ ଦର୍ଶକ ମନପ୍ରାଣରେ ମନେ ରଖିଛନ୍ତି।

publive-image Savasher

ପଶ୍ଚିମବଙ୍ଗର କୋଲକାତାଠାରେ ୧୯୮୫ ଅକ୍ଟୋବର ୯ ତାରିଖରେ ଜଣେ ସଂଗୀତକାର ପିତା ଓ ସରକାରୀ କର୍ମଚାରୀ ମାତାଙ୍କ କୋଳ ମଣ୍ଡନ କରିଥିବା ସାୟନୀଙ୍କର ରକ୍ତରେ କଳାକାରର ଛାପ ରହିଥିବାରୁ ପିଲାଟି ବେଳୁ ମାୟାନଗରୀର ମୋହ ତାଙ୍କୁ ଘାରିଥିଲା। ତଦନୁସାରେ ପରିବାରର ସମର୍ଥନ ପାଇ ପୁନେ ସ୍ଥିତ ଫିଲ୍ମ ଆଣ୍ଡ୍‌ ଟେଲିଭିଜନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ରୁ ସ୍ନାତକ ଡିଗ୍ରି ହାସଲ କରିବା ପରେ ହିନ୍ଦୀ ଫିଲ୍ମରେ ତାଙ୍କର ପ୍ରଥମ ପ୍ରଦାର୍ପଣ ହୋଇଥିଲା ୨୦୧୨ ମସିହାର ସିନେମା ‘ସେକଣ୍ଡ୍‌ ମ୍ୟାରିଏଜ୍‌ ଡଟ୍‌ କମ୍‌’ ମାଧ୍ୟମରେ। ତେବେ ତାଙ୍କୁ ଅଭିନୟ ସ୍ବତନ୍ତ୍ର ପରିଚୟ ଦେଇଥିଲା ୨୦୧୪ ମସିହାର ସିନେମା ‘ମାର୍ଗାରିଟା ଵିଥ୍‌ ଏ ଷ୍ଟ୍ର’ ଯେଉଁଥିରେ ସେ ଜଣେ ପାକିସ୍ତାନୀ-ବାଂଲାଦେଶୀ ସମଲିଙ୍ଗୀ କର୍ମୀର ଭୂମିକା ନିଭାଇଥିଲେ। ସେହିପରି ୨୦୧୭ର ସିନେମା ‘ଜଲ୍ଲି ଏଲ୍‌ଏଲ୍‌ବି ୨’(୨୦୧୭)ରେ ତାଙ୍କର ହିନା ସିଦ୍ଦିକି ଚରିତ୍ର ମଧ୍ୟ ବେଶ ଉଚ୍ଚକୋଟୀର ହୋଇଥିଲା।

publive-image IndiaTV News

ଏଥି ସହିତ ‘ଫ୍ୟାନ୍‌’(୨୦୧୬), ‘ବାର୍‌ ବାର୍‌ ଦେଖୋ’(୨୦୧୬) ଓ ‘ଆର୍ଟିକଲ୍ ୧୫’(୨୦୧୯) ପରି ଭିନ୍ନ ଭିନ୍ନ କାହାଣୀର ସିନେମାରେ ତାଙ୍କର ବହୁମୁଖୀ ଅଭିନୟ ପ୍ରତିଭାର ପରିଚୟ ମିଳିଥିଲା। ସେହିପରି ‘ଲିଚେସ୍’, ‘କଲ୍‌ ୱେଟିଂ’ ଓ ‘ସେମ୍‌ଲେସ୍’ ପରି ହିନ୍ଦୀ ଭାଷାର କ୍ଷୁଦ୍ର ସିନେମା ସମେତ ‘ଇନ୍‌ସାଇଡ୍‌ ଏଜ୍‌’, ’ଫୋର୍‌ ମୋର୍‌ ସଟ୍‌ସ ପ୍ଲିଜ୍‌’ ଓ ‘ପୋସମ୍‌ ପା’ ପରି ୱେବ୍‌ ଧାରାବାହିକରେ ମଧ୍ୟ ତାଙ୍କ ଅଭିନୟକୁ ଖୁବ୍‌ ଦର୍ଶକୀୟ ସ୍ବୀକୃତି ମିଳିପାରିଛି। କେବଳ ଅଭିନୟ କାହିଁକି, ଆର୍ଟିକଲ-୧୫ ସିନେମା ପାଇଁ ‘କହାବ ତୋ’ ଗୀତରେ ସେ କଣ୍ଠଦାନ କରିବା ସହ ବିଭିନ୍ନ ୱେବ୍‌ ଧାରାବାହିକ ପାଇଁ ପ୍ରଚ୍ଛଦ କଣ୍ଠସ୍ବର ଦେବାରେ ମଧ୍ୟ ସାୟନୀଙ୍କ ନିପୁଣତା ଗ୍ରହଣୀୟ ହୋଇପାରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe