ପରଦା: ସଂଘର୍ଷର ଅନ୍ୟ ନାମ ଜୀବନ

Advertisment
ପରଦା: ସଂଘର୍ଷର ଅନ୍ୟ ନାମ ଜୀବନ

ଦୀର୍ଘ ସାଢ଼େ ଚାରି ବର୍ଷ ଧରି ଏକା ଏକା ଏକ ଯୌନ ନିର୍ଯାତନା ମାମଲାରେ ସଂଘର୍ଷ ଜାରି ରଖିଥିବା ଦକ୍ଷିଣୀ ଭାରତୀୟ ଅଭିନେତ୍ରୀ ଭାବନା ମେନନ୍‌ ଶେଷରେ ନିଜର ସାମାଜିକ ଗଣମାଧ୍ୟମ ଆକାଉଣ୍ଟ୍‌ ଇନ୍‌ଷ୍ଟାଗ୍ରାମ୍‌ରେ ନିକଟରେ ମୁହଁ ଖୋଲିଛନ୍ତି। ଏପରି ବୀଭତ୍ସ କାଣ୍ଡରୁ ସେ ଜୀବନ ଫେରିପାଇଥିଲେ ହେଁ ତାଙ୍କ ପାଇଁ ସମାଜରେ ସମ୍ମାନର ସହ ବଞ୍ଚିବା ଭାରୀ କଷ୍ଟକର ହୋଇପଡ଼ିଥିଲା ବୋଲି ସେ କହିଛନ୍ତି। ତାଙ୍କ ପ୍ରତି ହୋଇଥିବା ଅତ୍ୟାଚାର ହିଁ ତାଙ୍କର ସବୁ କିଛି ମାନସମ୍ମାନ ଓ ସାମାଜିକ ପ୍ରତିଷ୍ଠାକୁ କାଳିମାରେ ବୁଡ଼ାଇ ରଖିଥିଲା। ଏଭଳି ଅପରାଧ ପାଇଁ ସେ ଦାୟୀ ନ ହୋଇ ସୁଦ୍ଧା ତାଙ୍କୁ ସମାଜ ଯେପରି ପରିହାସ କରିବା ସହ ଏକାନ୍ତବାସ ଓ ମୂକ ସଜାଇ ଦେଇଥିଲା, ତାହା ଭାବିଲା ବେଳକୁ ସେ ନିଜର ଅସ୍ଥିତ୍ବ ହରାଇ ବସୁଛନ୍ତି ବୋଲି କହିଛନ୍ତି। ତେବେ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ପୋଷ୍ଟ୍‌କୁ ମାମୁଥି ଓ ମୋହନଲାଲଙ୍କ ପରି ପ୍ରଖ୍ୟାତ ମାଲାୟାଲାମ୍‌ ମେଗାଷ୍ଟାର ସାମାଜିକ ଗଣମାଧ୍ୟମରେ ପୁଣି ଥରେ ଛାଡ଼ି ଭାବନାଙ୍କୁ ସମର୍ଥନ ଜଣାଇଥିବାରୁ ସେ ଆଶ୍ବସ୍ତ ଅଛନ୍ତି ଏବଂ ସେ ଦୁନିଆଁରେ ଆଉ ଏକଲା ନୁହଁନ୍ତି ବୋଲି ସ୍ବୀକାର କରିଛନ୍ତି।

କେରଳର ତ୍ରିଶୂରରେ ୧୯୮୬ ଜୁନ୍‌ ୬ରେ ସହକାରୀ ସିନେମାଟୋଗ୍ରାଫର ଜି. ବାଲଚନ୍ଦ୍ରନ୍‌ଙ୍କ କୋଳ ମଣ୍ଡନ କରିଥିବା ନୃତ୍ୟାଙ୍ଗନା ତଥା ଅଭିନେତ୍ରୀ କାର୍ତ୍ତିକା ମେନନ୍‌ ଓରଫ ଭାବନା ତୁଳସୀ ଦୁଇ ପତ୍ରରୁ ବାସିଲା ଭଳି ପିଲାଟି ଦିନରୁ ହିଁ ନିଜକୁ ଜଣେ ଅଭିନେତ୍ରୀ ଭାବେ ଗଢ଼ିତୋଳିବା ପାଇଁ ଅଧ୍ୟବସାୟ ଜାରି ରଖିଥିଲେ। ମାତ୍ର ଷୋଳ ବର୍ଷ ବୟସରେ ସେ ଏକାଦଶ ଶ୍ରେଣୀରେ ପଢୁଥିବା ବେଳେ ମାଲାୟଲୀ ଫିଲ୍ମ ‘ନମ୍ମାଲ୍‌’ରେ ତାଙ୍କର ପ୍ରଥମ ପଦାର୍ପଣ ଘଟିଥିଲା। ନିଜ ସିନେ ଜୀବନର ପ୍ରଥମ ବାଜି ଏପରି ସଫଳ ହୋଇଥିଲା ଯେ ତାଙ୍କୁ ପଛକୁ ପଛ ଏକାଧିକ ସିନେମାରେ କାମ କରିବା ପାଇଁ ସୁଯୋଗ ଗୋଡ଼ାଇଥିଲା। ଏହାପରେ ୨୦୦୬ରେ ସେ ତାମିଲ ଫିଲ୍ମ ‘ଚିଠିରାମ ପେସୁଥାଡ଼ି’ ଓ ୨୦୦୭ରେ ତେଲୁଗୁ ଫିଲ୍ମ ‘ଓଣ୍ଟାରି’ରେ ପ୍ରଥମ ପ୍ରବେଶ କରିଥିଲେ। ସେହିପରି ୨୦୧୦ରେ ସେ କନ୍ନଡ଼ ଫିଲ୍ମ ‘ଜାକ୍କି’ରେ ପ୍ରଥମ ପଦାର୍ପଣ କରିଥିଲେ। ଏହିପରି ଭାବେ ସେ ବିଭିନ୍ନ ଦକ୍ଷିଣ ଭାରତୀୟ ଭାଷାର ୮୦ରୁ ଅଧିକ ସିନେମାରେ ଅଭିନୟ କରି ଆଶାତୀତ ଦର୍ଶକୀୟ ସ୍ବୀକୃତି ହାସଲ କରିପାରିଛନ୍ତି। ଏପରିକି ମହାମାରୀ କୋଭିଡ୍‌-୧୯ ସଂକ୍ରମଣ ଭିତରେ ମଧ୍ୟ ଗତବର୍ଷ ମୁକ୍ତିଲାଭ କରିଥିବା ତାଙ୍କ ଅଭିନୀତ ଚାରି ଚାରିଟା କନ୍ନଡ଼ ଫିଲ୍ମ ମଧ୍ୟ ଯଥେଷ୍ଟ ବ୍ୟାବସାୟିକ ସଫଳତା ଲାଭ କରିପାରିଛି। ତେବେ ତାଙ୍କ ଜୀବନରେ ଏକଦା କଳାମେଘ ଘୋଟି ଆସିଥିଲା ୨୦୧୭ ଫେବ୍ରୁଆରି ମାସରେ। ସେ ସୁଟିଂସ୍ଥଳରୁ ଫେରୁଥିବା ବେଳେ ତାଙ୍କୁ ଅପହରଣ କରାଯାଇ ଯୌନ ନିର୍ଯାତନା ଦିଆଯାଇଥିଲା। ଏହାର ଦୁଇ ମାସ ପରେ ଏହି ବର୍ବରୋଚିତ ଘଟଣା ସହ ଅଭିନେତା ଦିଲ୍ଲୀପଙ୍କର ସଂପୃକ୍ତି ଥିବା ଜଣାପଡ଼ିଥିଲା ଏବଂ ସେ ଅନ୍ୟ ଷଡ଼ଯନ୍ତ୍ରକାରୀମାନଙ୍କ ସହ ଗିରଫ ହୋଇଥିଲେ। ତେବେ ସେହିବର୍ଷ ଅକ୍ଟୋବର ମାସରେ ଅଭିଯୁକ୍ତ ଦିଲ୍ଲୀପ ଜାମିନରେ ଆସି ଭାବନାଙ୍କ ଉପରେ ପରୋକ୍ଷରେ ରାଗ ଶୁଝାଇବା ଆରମ୍ଭ କରିଥିଲେ। ଏହି ଅବସରରେ ୨୦୧୮ ଜାନୁଆରି ମାସରେ ଭାବନା କନ୍ନଡ଼ ସିନେ ପ୍ରଯୋଜକ ନବୀନଙ୍କୁ ବିବାହ କରିଥିଲେ। ତେବେ ଭାବନାଙ୍କ ମନରୁ ସେହି ପୁରୁଣା କ୍ଷତ ଲିଭିନଥିବା ବେଳେ ଦୋଷୀକୁ ଉଚିତ ଦଣ୍ଡ ନଦେଲା ଯାଏ ସେ ଶାନ୍ତିରେ ନିଶ୍ବାସ ମାରିପାରିବେନି ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe