ସାତ୍ ସୱାଲ୍: ଭଲ ଚରିତ୍ର ମିଳିଲେ ସବୁ ମାଧ୍ୟମରେ କାମ କରିବାକୁ ମୁଁ ପ୍ରସ୍ତୁତ

ସାତ୍ ସୱାଲ୍: ଭଲ ଚରିତ୍ର ମିଳିଲେ ସବୁ ମାଧ୍ୟମରେ କାମ କରିବାକୁ ମୁଁ ପ୍ରସ୍ତୁତ

ଟେଲି ଧାରାବାହିକ ‘ଦୁର୍ଗା’ରୁ
ନିଜର ଅଭିନୟ ଯାତ୍ରା ଆରମ୍ଭ କରିଥିଲେ ସେ।
ତା’ପରେ ଅନେକ ସିରିୟଲ୍‌ରେ ଅଭିନୟ କରି ଘରେଘରେ ଚିହ୍ନା ଚେହେରା ପାଲଟିଛନ୍ତି ଅଭିନେତା ନୀଲ୍‌ ପଣ୍ଡା। ‘ସୁଭଦ୍ରା’, ‘ତୋ ପାଇଁ ମୁଁ’, ‘ଭାଗ୍ୟ ହାତେ ଡୋରି’, ‘ଶକ୍ତି’ ଆଦି ଧାରାବାହିକରେ ଚମତ୍କାର ଅଭିନୟ କରି ଦର୍ଶକଙ୍କ ମନ ଜିଣିଛନ୍ତି। ଏଥର ଅଭିନେତା ନୀଲ୍‌ଙ୍କ ସହ ଅଳ୍ପ ଆଳାପ।

ବନ୍ଦନା ମିଶ୍ର୍ର

ଆଜିକାଲି ଅଧିକାଂଶ ଟେଲି ଅଭିନେତାଙ୍କର ଯାତ୍ରାରେ ଅଭିନୟ ପ୍ରତି ରୁଚି ରହୁଛି। ଆପଣ ବି କେବେ ସେପରି ଚିନ୍ତା କରିଛନ୍ତି କି?
ଅଭିନୟ ହେଉଛି ଭଗବାନଙ୍କ ବରଦାନ, ତାହା ମଞ୍ଚ ଉପରେ ହେଉ କିମ୍ବା କ୍ୟାମେରା ସାମ୍ନାରେ। ମୁଁ ମୋର ଦର୍ଶକମାନଙ୍କ ଖୁସି ପାଇଁ ଅଭିନୟ କରୁଛି। ସେମାନେ ମୋତେ ଯେଉଁ ବି କ୍ଷେତ୍ରରେ ଦେଖିବାକୁ ପସନ୍ଦ କରିବେ ମୁଁ କରିବି। ମୋ ପାଇଁ ଉଭୟ ମଞ୍ଚ ଓ ପରଦା ସମାନ। ଭଲ ଚରିତ୍ର ମିଳିଲେ ସବୁ ମାଧ୍ୟମରେ କାମ କରିବାକୁ ମୁଁ ପ୍ରସ୍ତୁତ।

ସୁଟିଂ ସମୟରେ ମହିଳା ନା ପୁରୁଷ ସହ-କଳାକାରଙ୍କ ସହ କାମ କରିବାକୁ ବେଶି ସହଜ ଅନୁଭବ କରନ୍ତି ?
ମୁଁ ସବୁବେଳେ ମୋ ସହ-କଳାକାରଙ୍କ ସହ ଭଲ ତାଳମେଳ ରକ୍ଷା କରି କାମ କରିବାକୁ ପସନ୍ଦ କରେ। ସେ ପୁରୁଷ ହୁଅନ୍ତୁ ବା ମହିଳା; ଚରିତ୍ର ସହ ଖାପ ଖୁଆଇ ସଟ୍‌ ଦେବା ହେଉଛି ମୋ କାମ ଓ ମୁଁ ତାହା ହିଁ କରେ।

ଆପଣ ଜଣେ କଣ୍ଠଶିଳ୍ପୀ ହେବାକୁ ଚାହୁଁଥିଲେ ମାତ୍ର ଅଭିନେତା ହୋଇଗଲେ। ଅଭିନେତା ହେବା ପରେ ଗୀତ ଗାଇବାକୁ କେବେ ଇଚ୍ଛା ହେଇନି?
କଣ୍ଠଶିଳ୍ପୀ ହେବା ଇଚ୍ଛା ଥିଲା ସତ, କିନ୍ତୁ ମୁଁ ଜଣେ ପ୍ରଶିକ୍ଷଣପ୍ରାପ୍ତ ଗାୟକ ନୁହେଁ। ସମୟ ଅଭାବ ହେତୁ ମୁଁ ଗୀତ ଶିଖିପାରିନି। ସେଥିପାଇଁ ମୋ ମନରେ ଦୁଃଖ ନାହିଁ। ମୁଁ ମୋ ଖୁସି ପାଇଁ ଗୀତ ଗାଏ, କେଉଁ ପ୍ରଚ୍ଛଦପଟ ଗାୟକଙ୍କ ପରି ଗାଇବାର କ୍ଷମତା ମୋ ପାଖରେ ନାହିଁ। ଅଭିନୟରୁ ମୁଁ ଖୁସି ପାଏ। ତାହାରି ଜରିଆରେ ହିଁ ମୁଁ ଲୋକଙ୍କ ପାଖରେ ପହଞ୍ଚୁଛି। ଜନତା ଜନାର୍ଦ୍ଦନଙ୍କ ଭଲପାଇବା ପାଇଁ ଅଭିନୟ କରୁଛି ଓ କରୁଥିବି।

ଆପଣଙ୍କୁ କେବେ କେହି ଯୁବତୀ ପ୍ରେମ ନିବେଦନ କରିଛନ୍ତି କି?
ହଁ କରିଛନ୍ତି। ଭଲପାଇବା ଓ ଭଲଲାଗିବା ହେଉଛି ପ୍ରକୃତିର ଦାନ ଓ ଈଶ୍ବରଙ୍କ କୃପା। ମୁଁ ତାହାକୁ ସମ୍ମାନ କରେ।

ଓଡ଼ିଶାରେ ୨୪ ବର୍ଷ ପରେ ପରିବର୍ତ୍ତନ ଘଟିଛି। ନୂଆ ଜଣେ ମୁଖ୍ୟମନ୍ତ୍ରୀ ରାଜ୍ୟ ଚଳାଉଛନ୍ତି। ଏଥିରେ ଆପଣ ଖୁସି ଅଛନ୍ତି ନା ନାହାନ୍ତି?
ଲୋକମାନଙ୍କ ପ୍ରତିନିଧିତ୍ବରେ ମାନ୍ୟବର ମୁଖ୍ୟମନ୍ତ୍ରୀ ବଛା ଯାଇଛନ୍ତି। ସେଇ ଲୋକମାନଙ୍କ ଭିତରେ ମୁଁ ବି ଆସୁଛି। ହଁ, ଏହି ପରିବର୍ତ୍ତନରେ ମୁଁ ଖୁସି ଅଛି।

ପୂର୍ବରୁ ଏକ ସାକ୍ଷାତ୍‌କାରରେ ଆପଣ କହିଥିଲେ ଯେ ଜଣେ ସାଧାରଣ ଝିଅକୁ ପତ୍ନୀ ଭାବେ ଦେଖିବାକୁ ଚାହାନ୍ତି? ସେହି ସାଧାରଣ ଝିଅ ଭିତରେ କେଉଁ ଅସାଧାରଣ ଗୁଣ ଆଶା ରଖନ୍ତି?
ଯିଏ ଜଣେ ସାଧାରଣ ଝିଅ ହୋଇ ମଧ୍ୟ ଅସାଧାରଣ ତରିକାରେ ନିଜ ପରିବାର ଉପରେ ଆସୁଥିବା ସମସ୍ୟାକୁ ସମ୍ଭାଳିବାର କ୍ଷମତା ରଖୁଥିବେ। ମୁଁ ସେଭଳି ଜଣେ ଝିଅଙ୍କୁ ପତ୍ନୀ ଭାବେ ପାଇବାକୁ ଚାହିଁବି, ଯିଏକି ମୋ ପରିବାରକୁ ଠିକ୍ ଭାବେ ସମ୍ଭାଳି ପାରିବେ।

ନିଜ ମନର ନାୟିକାଙ୍କ ସହ ବିଳାସମୟ ଗାଡ଼ିରେ ଲଙ୍ଗ୍‌ ଡ୍ରାଇଭ୍‌ କରିବାକୁ ପସନ୍ଦ କରିବେ ନା ରାତିରେ ସମୁଦ୍ରକୂଳରେ ଚାଲିଚାଲି ବୁଲିବାକୁ ପସନ୍ଦ କରିବେ?
ନିଜ ମନ ପସନ୍ଦର ନାୟିକାଙ୍କ ସହ ଯେମିତି ବି ସମୟ ବିତାଇଲେ ଭଲଲାଗିବ। ମୁଁ ତାଙ୍କ ସହ ଲଙ୍ଗ୍‌ ଡ୍ରାଇଭ୍‌ରେ ଯିବାକୁ ଯେତିକି ପସନ୍ଦ କରିବି ରାତିରେ ସମୁଦ୍ରକୂଳରେ ଚାଲିଚାଲି ବୁଲିବାକୁ ବି ସମାନ ଭାବେ ପସନ୍ଦ କରିବି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe