ମୁମ୍ବାଇ: ବଲିଉଡ ଅଭିନେତା ଶ୍ରେୟସ ତଲପଡେଙ୍କୁ ନେଇ ଏକ ମିଛ ଖବର ସୋସିଆଲ ମିଡିଆରେ ଭାଇରାଲ ହେଉଥିଲା। ଏହି ପୋଷ୍ଟରେ ଅଭିନେତାଙ୍କ ମୃତ୍ୟୁ ହୋଇଥିବା ନେଇ ଦାବି କରାଯାଉଥିଲା। ଏହି ଖବର ଦେଖିବା ପରେ ଶ୍ରେୟସଙ୍କ ପ୍ରଶଂସକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ହୃଦଘାତ ପରେ ଏବେ ସୁସ୍ଥ ହୋଇ ଫେରିଥିବା ଶ୍ରେୟସ୍ ତଲପେଡଙ୍କର ହଠାତ୍ କ’ଣ ହେଲା ବୋଲି ସମସ୍ତେ ଭାବୁଥିଲେ। ଏହି ମିଥ୍ୟା ଖବର ବିଷୟରେ ଜାଣିବା ମାତ୍ରେ ଏବେ ଅଭିନେତା ଇନଷ୍ଟାଗ୍ରାମରେ ଏହା ବିଷୟରେ ଏକ ଲମ୍ବା ପୋଷ୍ଟ କରିଛନ୍ତି। ସେ ଲେଖିଛନ୍ତି ଯେ, ସେ ଜୀବିତ, ଖୁସି ଏବଂ ସୁସ୍ଥ ଅଛନ୍ତି। ଏହା ସହିତ ଅଭିନେତା ତାଙ୍କ ପ୍ରଶଂସକଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି।
ଶ୍ରେୟସ୍ ଲେଖିଛନ୍ତି, "ମୁଁ ସମସ୍ତଙ୍କୁ କହିବାକୁ ଚାହେଁ ଯେ ମୁଁ ଜୀବିତ, ଖୁସି ଏବଂ ସୁସ୍ଥ ଅଛି। ଏକ ପୋଷ୍ଟରେ ମୋର ମୃତ୍ୟୁ ହୋଇଥିବା ନେଇ ଦାବି କରାଯାଉଥିବା ମୁଁ ଜାଣିବାକୁ ପାଇଲି। ମୁଁ ବୁଝିପାରୁଛି ଯେ ହାସ୍ୟରସର ନିଜସ୍ୱ ଗୁରୁତ୍ୱ ଅଛି। କିନ୍ତୁ ଯେତେବେଳେ ଏହାର ଅପବ୍ୟବହାର ହୁଏ, ତାହା ପ୍ରକୃତ କ୍ଷତି ଘଟାଇପାରେ। ଥଟ୍ଟା ଭାବରେ ଯାହା ଆରମ୍ଭ ହୋଇଥିଲା ତାହା ବର୍ତ୍ତମାନ ସମସ୍ତଙ୍କୁ ଚିନ୍ତାରେ ପକାଇଛି। ଏଭଳି ପୋଷ୍ଟ କରି ଯେଉଁମାନେ ମୋ ବିଷୟରେ ଚିନ୍ତା କରନ୍ତି, ବିଶେଷ କରି ମୋ ପରିବାରର ଭାବନା ସହିତ ଖେଳାଯାଇଛି। ମୋର ଛୋଟ ଝିଅ, ଯିଏ ପ୍ରତିଦିନ ସ୍କୁଲ ଯାଉଛି, ସେ ଏବେ ମୋ ସ୍ୱାସ୍ଥ୍ୟ ପାଇଁ ଚିନ୍ତିତ ଏବଂ କ୍ରମାଗତ ଭାବରେ ପ୍ରଶ୍ନ ପଚାରି ଚାଲିଛି ଏବଂ ମୁଁ ଠିକ ଅଛି କି ନାହିଁ ବୋଲି ଜାଣିବାକୁ ଚାହୁଁଛି। ଏହି ମିଥ୍ୟା ଖବର ତାକୁ ଅଧିକ ଦୁଃଖ ଦେଉଛି ଏବଂ ତାକୁ ଅଧିକ ପ୍ରଶ୍ନ ପଚାରିବାକୁ ବାଧ୍ୟ କରୁଛି। ଯେଉଁମାନେ ଏହି ପ୍ରକାରର ବିଷୟବସ୍ତୁକୁ ପୋଷ୍ଟ କରୁଛନ୍ତି ସେମାନେ ଏହାକୁ ବନ୍ଦ କରିବା ଉଚିତ ଏବଂ ଏହାର ପ୍ରଭାବ ବିଷୟରେ ଚିନ୍ତା କରିବା ଉଚିତ୍।"
Follow Us