ସଙ୍ଗୀତ ଶ୍ରାବଣୀ ଅମ୍ରିତା

ସଙ୍ଗୀତ ଶ୍ରାବଣୀ ଅମ୍ରିତା

କଲର୍ସ ଟିଭିରେ ପ୍ରସାରିତ ‘ଜମିନ୍’ର ପ୍ରଚ୍ଛଦପଟ ଗାୟିକା ଥିଲେ ଅମ୍ରିତା। ସେ ବଲିଉଡ୍ ଗାୟକ ଜାଭେଦ ଅଲ୍ଲୀ, ଅରମାନ ମଲ୍ଲିକ ଓ ସୁରେଶ ୱାଡ଼େକରଙ୍କ ସହ ମଧ୍ୟ ଯୁଗଳବନ୍ଦୀ ଗୀତ ଗାଇଛନ୍ତି। ଅମ୍ରିତା ତେଲୁଗୁ ମୁଭି ‘ଏଚ୍‌ପିକେ’ ଓ ‘ଅଟୁ ଇଟୁ ନବି’ରେ ଏବଂ କନ୍ନଡ଼ ମୁଭି ‘ସୁଗାର ଫ୍ୟାକ୍ଟ୍ରି’ରେ ମଧ୍ୟ କଣ୍ଠଦାନ କରିଛନ୍ତି। ହାଇଦ୍ରାବଦରେ ଜଣେ ସଫ୍ଟୱୟାର ଇଞ୍ଜିନିୟର ଭାବେ କାର୍ଯ୍ୟରତ ଅମ୍ରିତା ୟୁ-ଟ୍ୟୁବ୍‌ରେ ‘ଭଲକଥା’ ଶୀର୍ଷକରେ ପୋର୍ଟାଲଟିଏ କରିଛନ୍ତି। ଏଥିରେ ସେ କହୁଥିବା କଥା ଓ ଗାଉଥିବା ଗୀତର ଫଲୋୟର୍ସ ଅନ୍ୟୂନ ୧.୫ ମିଲିଅନ୍ ଅଛନ୍ତି। ଟି. ସିରିଜ୍ କ୍ୟାସେଟ୍ କମ୍ପାନି ମଧ୍ୟ ତାଙ୍କୁ ଅଫର ଦେଇଥିଲା। ଜୁବିନ୍‌ଙ୍କ ସହ ସେ ‘ହମ୍ ଜହାଁ ହୈ’ ଗୀତରେ ଯୁଗଳବନ୍ଦୀ କଣ୍ଠଦାନ କରିଥିଲେ।

କିଛି ଓଡ଼ିଆ ଚଳଚ୍ଚିତ୍ରରେ ମଧ୍ୟ ତାଙ୍କୁ ଗୀତ ଗାଇବାର ସୁଯୋଗ ମିଳିଛି। ମତେ ଆଣିଦେଲୁ ଲକ୍ଷେ ଫଗୁଣ, ସରଗର ପରୀଟେ, ଅରୁନ୍ଧତୀ, ଇଏ ବି ଗୋଟେ ଲଭ୍ ଷ୍ଟୋରି, ଆଖି ପଲକରେ ତୁ, ଦିଲ୍‌ରେ ଅଛି ତୋରି ନାଁ, ଚୋରୁଣୀ ତୁ, ପ୍ରେମ ଏଟିଏମ୍, ଗୁପ୍‌ଚୁପ୍ ଆଦି ସିନେମା ସଙ୍ଗୀତରେ ସେ କଣ୍ଠଦାନ କରିଛନ୍ତି। ଆଗକୁ ଆସୁଛି ତାଙ୍କ କଣ୍ଠସ୍ବର ଥିବା ସିନେମା ଭାଇ, ହାତକଡ଼ି, ଲଭ୍ ଟ୍ୟୁସନ୍, ଏଇ ବୋଧେ ଭଲ ପାଇବା, ଆସିବ ବର ତୋର, ମୋ କାହାଣୀରେ ତୋରି ନାଁ, ଲାଗେ ମତେ କେମିତି କେମିତି, ପ୍ରୀତିବନ୍ଧନ ଏବଂ ନିଜକୁ ଲାଗେ ଅତି ନିଜର।

ଅମ୍ରିତା ୬ ବର୍ଷ ବୟସରୁ ଶ୍ୟାମାମଣୀ ଦେବୀଙ୍କଠାରୁ ଗୀତ ଶିଖିବା ଆରମ୍ଭ କଲେ। ବିଶେଷ କରି ଲତା ମଙ୍ଗେସ୍‌କର ଓ ଆଲ୍‌କା ୟାଗ୍‌ନିକଙ୍କ ଗୀତ ଶୁଣି ସେ ପ୍ରଭାବିତ ହେଇଥିଲେ। ବିଦ୍ୟାଳୟ ସ୍ତରରେ ହେଉଥିବା ପ୍ରତିଯୋଗିତାରେ ଅଂଶଗ୍ରହଣ କରି ସେ ମେରେ ଡୋଲନା, ବୈରୀ ପିୟା, ସୁନ୍ ରହା ହୈ, ଅଗର ତୁମ୍ ମିଲ ଯାଓ ଆଦି ଗୀତ ସୁନ୍ଦର ଭାବରେ ଗାଉଥିଲେ। ଦିଲ୍ଲୀରେ ଆ‌େୟାଜିତ କାର୍ଯ୍ୟକ୍ରମ ‘ସୁରତରଙ୍ଗ‌’ରେ ସେ ଅଂଶଗ୍ରହଣ କରି ଭଲ କଣ୍ଠଶିଳ୍ପୀ ଭାବେ ମନୋନୀତ ହେଇଥିଲେ। କାର୍ଯ୍ୟକ୍ରମରେ ବିଚାରକ ଭାବେ ବି.ଆର ଚୋପ୍ରା, ଏହମ୍ମଦ ହୁସେନ୍ ଓ ମହମ୍ମଦ ହୁସେନ୍‌ଙ୍କ ଭଳି ପ୍ରଖ୍ୟାତ ଗଜଲ ଗାୟକମାନେ ଅମ୍ରିତାଙ୍କ ଗାୟକୀକୁ ପସନ୍ଦ କରିଥିଲେ। ଇଟିଭିରେ ପ୍ରସାରିତ ‘ଆମରି ସ୍ବର’ରେ ଭାଗନେଇ ସେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚଥିଲେ। ଏଥିରେ ତାଙ୍କ ଗୀତ ଥିଲା- ସବୁ ଲାଗେ ମୋତେ ଫଗୁଣ ଫଗୁଣ, ତୁମ୍ ମିଲେ, ସୁନା ସୁନା ଲମ୍‌ହା ଲମ୍‌ହା। ତରଙ୍ଗ ଚ୍ୟାନେଲ୍‌ରେ ପ୍ରସାରିତ ‘ଭଏସ୍ ଅଫ୍ ଓଡ଼ିଶା’ରେ ଅଂଶଗ୍ରହଣ କରି ରନର୍ସଅପ୍ ହେଇଥିଲେ ଅମ୍ରିତା। ସଙ୍ଗୀତ ଦୁନିଆରେ ନିଜକୁ ନିମଗ୍ନ କରି ଏବେ ସେ ଅନେକଙ୍କ ପ୍ରିୟ ଗାୟିକା ପାଲଟିଛନ୍ତି, କେହି କେହି ତାଙ୍କୁ କହୁଛନ୍ତି ଅମ୍ରିତା ହେଉଛନ୍ତି ସଙ୍ଗୀତ ଶ୍ରାବଣୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe