ସୁନା ପାଉଁଜି ପିନ୍ଧିବା ଥିଲା ଲତାଜୀଙ୍କ ବଡ଼ ସଉକ

Advertisment
ସୁନା ପାଉଁଜି ପିନ୍ଧିବା ଥିଲା ଲତାଜୀଙ୍କ ବଡ଼ ସଉକ

ଆଜି ୬ ମାର୍ଚ୍ଚ।  ଠିକ ମାସକ ତଳେ ଏହି ଦିନରେ ଅର୍ଥାତ ଫେବ୍ରୁଆରି ୬ରେ ଆମଠାରୁ ବିଦାୟ ନେଇଥିଲେ ସ୍ବରସମ୍ରାଜ୍ଞୀ ଲତା ମଙ୍ଗେସକର। ସେହି ମହାନ ଗାୟିକାଙ୍କ ସ୍ମୃତିରେ ଏହି କ୍ଷୁଦ୍ର ଆଲେଖ୍ୟ...

ଭୁବନେଶ୍ବର: ଭାରତରତ୍ନ ଲତା ମଙ୍ଗେସକରଙ୍କୁ ଖୁବ୍ ଭଲ ପାଆନ୍ତି ସେ। ଆଉ ମଞ୍ଚରେ ଲତାଜୀଙ୍କ ଗୀତ ଗାଇ ଶ୍ରୋତାଙ୍କୁ ମତୁଆଲା କରନ୍ତି। ଓଡ଼ିଶା ବାହାରେ ସେ ଯେଉଁଠାରେ ସଙ୍ଗୀତ କାର୍ଯ୍ୟକ୍ରମରେ ଯୋଗ ଦିଅନ୍ତି, ସେଠାରେ ତାଙ୍କ ଉଦ୍ଦେଶ୍ୟରେ ଘୋଷକ କହିଥାନ୍ତି, ଏହି ପ୍ରସିଦ୍ଧ କଣ୍ଠଶିଳ୍ପୀ ଜଣଙ୍କ ହେଉଛନ୍ତି ‘ଓଡ଼ିଶାକି ଲତା’ ଅର୍ଥାତ ଓଡ଼ିଶାର ଲତା।

ତେବେ ଏହି ପ୍ରଶଂସା ଶୁଣିବା ପରେ ସେ ନିଜକୁ  ଯେତିକି ଗୌରବାନ୍ବିତ ମନେ କରନ୍ତି, ସେତିକି ସଂକୁଚିତ ବି ହୋଇପଡ଼ନ୍ତି, କାରଣ ସ୍ବରସମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ସହ ତାଙ୍କର ତୁଳନା କରାଯାଏ। ସେ କହନ୍ତି, ‘‘ଲତାଜୀଙ୍କ ସହ ସାମଞ୍ଜସ୍ୟ ରଖିବା ତ ଦୂରର କଥା, ତାଙ୍କର କୌଣସି ଗୁଣର ପାଖ ମାଡ଼ିବା ବି ସମ୍ଭବପର ନୁହେଁ।’’ ଏଠାରେ ଯେଉଁ ଖ୍ୟାତନାମା ଓଡ଼ିଆ ସୁଗାୟିକାଙ୍କ କଥା କୁହାଯାଉଛି, ସେ ହେଲେ ଲୋପିତା ମିଶ୍ର। ଏକାଧିକ ଓଡ଼ିଆ ଚଳଚ୍ଚିତ୍ର ଓ ଆଲବମରେ କଣ୍ଠଦାନ କରିଥିବା ଲୋପିତା ମିଶ୍ର ବର୍ତ୍ତମାନ ମୁମ୍ବାଇରେ ଅବସ୍ଥାନ କରୁଛନ୍ତି।

ସ୍ବରସମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ସଂପର୍କରେ ଲୋପିତା ନିଜର ଅନୁଭୂତିକୁ ସାଉଁଟି କହନ୍ତି, ‘‘୨୦୦୨ ମସିହାର କଥା। ସେତେବେଳେ ଅନ୍ଧେରି ୱେଷ୍ଟ ସ୍ପୋର୍ଟସ୍ କଂପ୍ଲେକ୍ସ ପରିସରରେ ଲତାଜୀଙ୍କ ୭୫ତମ ଜୟନ୍ତୀ ପାଳନ ହେଉଥାଏ। ଏହାକୁ ସାହାରା ଗ୍ରୁପ୍ ମୁଖ୍ୟ ସୁବ୍ରତ ରାୟ ସାହାରା ଆୟୋଜନ କରିଥାନ୍ତି। ସେଠାରେ ଲତାଜୀଙ୍କ ନିକଟରେ ବସିବାର ସୁଯୋଗ ମୋ’ ସ୍ବାମୀ ଏବଂ ମତେ ମିଳେ। ଲତାଜୀଙ୍କ ପୂର୍ବତନ ସେକ୍ରେଟାରି ସ୍ବର୍ଗତ ପ୍ରକାଶ ତ୍ରିପାଠୀଙ୍କ ସହାୟତାରେ ଏଭଳି ବିରଳ ସୁଯୋଗ ମିଳିଥାଏ। ପ୍ରଥମ ଦର୍ଶନରେ ଲତାଜୀଙ୍କ ସରଳତା ଓ ନମ୍ରତା ଦେଖି ଆଚମ୍ବିତ ହୋଇଯାଇଥିଲି। ଏତେ ବିରାଟ ବ୍ୟକ୍ତିତ୍ବ, କିନ୍ତୁ ଅତ୍ୟନ୍ତ ସାଧାରଣ। ତାଙ୍କର ଲୁଗା ପିନ୍ଧିବା ଶୈଳୀ ମୋ’ମନକୁ ଛୁଇଁଥିଲା। ହାତରେ ଦୁଇଟି ହୀରାମୁଦି ଓ ପାଦରେ ସୁନା ପାଉଁଜି ପିନ୍ଧିଥାନ୍ତି ସେ। ପରେ ପ୍ରକାଶ ତ୍ରିପାଠୀଙ୍କଠାରୁ ଜାଣିବାକୁ ପାଇଥିଲି ଯେ ପାଦରେ ସୁନା ପାଉଁଜି ପିନ୍ଧିବା ଲତାଜୀଙ୍କର ବଡ଼ ସଉକ ଥିଲା। ସେଠାରେ ଆଶା ଭୋଁସଲେଙ୍କଠାରୁ ଆରମ୍ଭ କରି ଅନୁରାଧା ପୌଡ଼ୱାଲ୍, ଅଲକା ୟାଗନିକ୍, କବିତା କ୍ରୀଷ୍ଣମୂର୍ତ୍ତି, ଶବୀର କୁମାର, ଅନୱର, କୁମାର ସାନୁ, ଉଦିତ ନାରାୟଣ ଓ ସୋନୁ ନିଗମଙ୍କ ସମେତ ବଲିଉଡର ଅଧିକାଂଶ ଲୋକପ୍ରିୟ କଣ୍ଠଶିଳ୍ପୀ ଲତାଜୀଙ୍କ ସମ୍ମାନାର୍ଥେ ସଙ୍ଗୀତ ପରିବେଷଣ କରିଥିଲେ। ହେଲେ ମୋର ଅବସୋସ ଯେ ଲତାଜୀଙ୍କ ଆଗରେ ତାଙ୍କର ଗୀତ ଗାଇପାରି ନଥିଲି।’’

publive-image

‘‘ମୁମ୍ବାଇରେ ରହୁଥିବା ହେତୁ ଲତାଜୀଙ୍କ ପରିବାର ସହ ସୁସଂପର୍କ ରହିଛି। ମୋର ମାମୁ ତଥା ପ୍ରସିଦ୍ଧ ସଙ୍ଗୀତକାର ଶାନ୍ତନୁ ମହାପାତ୍ରଙ୍କ (ଲତା କଣ୍ଠଦାନ କରିଥିବା ଦୁଇ ଓଡ଼ିଆ ଫିଲ୍ମ ‘ଅରୁନ୍ଧତୀ’ ଓ ‘ସୂର୍ଯ୍ୟମୁଖୀ’ର ସଂଗୀତ ନିର୍ଦ୍ଦେଶକ) ସମ୍ମାନାର୍ଥେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ସ୍ବରସମ୍ରାଜ୍ଞୀ ଲତା ମଙ୍ଗେସକରଙ୍କୁ ଓଡ଼ିଶା ଆଣିବା ଲାଗି ପ୍ରୟାସ କରିଥିଲୁ। ସେତେବେଳେ ମୁଁ ଉଷା ମଙ୍ଗେସକରଙ୍କୁ ଏ ବିଷୟରେ ଜଣାଇଥିଲି। ମାତ୍ର, ଲତାଜୀ ଏତେ ବାଟ ଯାତ୍ରା କରିପାରିବେନି ବୋଲି ଉଷାଜୀ କହିଥିଲେ। ଭାବିଥିଲି ଲତାଜୀ ଆସିଥିଲେ, ଏଥର ତାଙ୍କ ଆଗରେ ତାଙ୍କରି ଗୀତ ଗାଇବି। ହେଲେ ଏଥର ସେ ଆଶାପୂରଣ ହୋଇପାରିଲାନାହିଁ। ଯାହାଙ୍କୁ ମୁଁ ମୋର ଆଦର୍ଶ ଭାବେ ଗ୍ରହଣ କରିଛି, ତାଙ୍କ ସାମ୍ନାରେ ସଙ୍ଗୀତ ପରିବେଷଣ କରି ନ ପାରିବା ମୋ ଜୀବନର ସବୁଠାରୁ ବଡ଼ ଅବସୋସ ବୋଲି କହିବି।’’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe