ନିଜ ଗୋଡ଼ରେ ଠିଆ ହୋଇ ଲୋକପ୍ରିୟତା ସାଉଁଟିଲେ ସୋନାଲି

Advertisment
ନିଜ ଗୋଡ଼ରେ ଠିଆ ହୋଇ ଲୋକପ୍ରିୟତା ସାଉଁଟିଲେ ସୋନାଲି

Khabar Non Stop

କୌଣସି କଳାକାର ପୃଷ୍ଠଭୂମି ନଥାଇ ମଧ୍ୟ ଅଭିନେତ୍ରୀ ସୋନାଲି ସେଗାଲ ନିଜ ଗୋଡ଼ରେ ସିନେ ଦୁନିଆର ଯାଦୁ ନଗରୀରେ ତିଷ୍ଠି ରହିବାରେ ସକ୍ଷମ ହୋଇଛନ୍ତି। କୋଲକାତାରେ ୧୯୮୯ ମେ ୧ରେ ଜନ୍ମିତ ସୋନାଲିଙ୍କର ବାଲ୍ୟଜୀବନ ଅତ୍ୟନ୍ତ ଦୁର୍ବିଷହମୟ। ତେବେ ପିତାଙ୍କ ଠାରୁ ବିଚ୍ଛେଦ ହୋଇ କର୍ମଜୀବୀ ମାଆଙ୍କ ଦ୍ବାରା ପ୍ରତିପାଳିତ ସୋନାଲି ଇଂରେଜୀ ସମ୍ମାନରେ ସ୍ନାତକ ଡିଗ୍ରି ହାସଲ କରିଛନ୍ତି। ଦାମ୍ପତ୍ୟ ଝଡ଼କୁ ସାହସର ସହ ସାମନା କରି ତାଙ୍କ ମାଆ ସୋନାଲିଙ୍କୁ କୌଣସି ପ୍ରକାର ପ୍ରତିକୂଳ ପରିସ୍ଥିତି ଅନୁଭବ କରିବା ପାଇଁ ସୁଯୋଗ ଦେଇନଥିଲେ।

ସେଥିପାଇଁ ଆଜି ଯାହା ବି କିଛି ହୋଇଛନ୍ତି, ସୋନାଲି ତାହାର ଶ୍ରେୟ ମାଆଙ୍କୁ ଦିଅନ୍ତି। ପିଲାଟି ଦିନୁ ଜଣେ ମଡେଲ ହେବାକୁ ସ୍ବପ୍ନ ଦେଖିଥିବା ସୋନାଲି ୨୦୦୬ରେ ଫେମିନା ଭାରତ ସୁନ୍ଦରୀ (ଆନ୍ତର୍ଜାତିକ) ମୁକୁଟ ଜିତିଲା ପରେ ଆନ୍ତର୍ଜାତିକ ସୁନ୍ଦରୀ ପ୍ରତିଯୋଗିତାରେ ଭାରତର ପ୍ରତିନିଧିତ୍ବ କରିଥିଲେ। ଏଥିରେ ସେ ଶୀର୍ଷ ୧୨ ଜଣଙ୍କ ମଧ୍ୟରେ ରହିଥିଲେ। ଏହାପରେ ସେ ୨୦୦୮ରେ ବାସ୍ତବଧର୍ମୀ ଟିଭି ଧାରାବାହିକ ‘ଦାଦାଗିରି’ରେ ଉପସ୍ଥାପିକା ସାଜିଥିଲେ। ଏଥି ସହିତ ସଂଖ୍ୟାଧିକ ନାମୀ ଦାମୀ କମ୍ପାନିର ବିଜ୍ଞାପନରେ ମଧ୍ୟ ସେ ଦେଖାଦେଇଥିଲେ। ଏହି ଅବସରରେ ସେ ମଧ୍ୟ ରିବକ୍‌, କାଷ୍ଟ୍ରଲ, ଫିଲ୍ମଫେୟାର ଓ ଟାଇମ୍‌ସ ଅଫ୍‌ ଇଣ୍ଡିଆ ଦ୍ବାରା ପ୍ରାୟୋଜିତ ବିଭିନ୍ନ କାର୍ଯ୍ୟକ୍ରମର ସଂଚାଳିକା ସାଜି ନିଜର ଦକ୍ଷତାକୁ ପରିମାର୍ଜିତ କରିଚାଲିଥିଲେ।

ନିଜର ଶାରୀରିକ ଗଠନକୁ ଶାଣିତ ରଖିବା ଲାଗି ନିୟମିତ ଯୋଗ ଓ ବ୍ୟାୟାମର ଆଶ୍ରୟ ନେଉଥିବା ସୋନାଲି ବିଜ୍ଞାପନ ଓ ଉପସ୍ଥାପନା ସହିତ ମଞ୍ଚ ନାଟକରେ ମଧ୍ୟ ଅଭିନୟ କରି ନିଜର ଅଭିନୟ ଚାତୁରୀ ପରଖିଥିଲେ। ୨୦୧୧ରେ ଯାଇ ସେ ଦର୍ଶକ ତଥା ସମୀକ୍ଷକମାନଙ୍କର ବିଶେଷ ଦୃଷ୍ଟି ଆକର୍ଷଣ କରିଥିଲେ ତାଙ୍କର ପ୍ରଥମ ପଦାର୍ପଣ ହିନ୍ଦୀ ସିନେମା ‘ପ୍ୟାର୍‌ କା ପଞ୍ଚନାମା’ ଜରିଆରେ। ଏହା ପରେ ନିଜ ପସନ୍ଦର ଚରିତ୍ର ନମିଳିବାରୁ ସେ ଦୀର୍ଘ ତିନି ବର୍ଷ ଯାଏ ଫିଲ୍ମ ଦୁନିଆରୁ ଦୂରେଇ ରହିଥିଲେ। ୨୦୧୫ରେ ତାଙ୍କ ଅଭିନୀତ ‘ୱେଡିଂ ପୁଲାଵ’ ଓ ‘ପ୍ୟାର କା ପଞ୍ଚନାମା-୨’ ମଧ୍ୟ ଆଶାନୁରୂପ ଦର୍ଶକୀୟ ସ୍ବୀକୃତି ଆଣିଥିଲା। ସେହିପରି ୨୦୧୮ରେ ‘ସୋନୁ କେ ଟିଟୁ କି ସ୍ବିଟି’ରେ ସେ ଏକ ସଂକ୍ଷିପ୍ତ ଭୂମିକାରେ ଅବତୀର୍ଣ୍ଣ ହୋଇ ଦର୍ଶକମାନଙ୍କର ପ୍ରିୟପାତ୍ରୀ ହୋଇପାରିଥିଲେ।

ଏହା ପରେ ‘ହାଇ ଜାକ୍‌’, ‘ସେଟର୍ସ’ ଓ ‘ଜୟ ମମ୍ମି ଦି’ ଆଦି ସିନେମାରେ ସୋନାଲି ଅନୁରୂପ ଲୋକପ୍ରିୟତା ସାଉଁଟିଥିଲେ। ଗତବର୍ଷର ୱେବ୍‌ ଧାରାବାହିକ ‘ଇଲିଗାଲ୍‌- ଜଷ୍ଟିସ ଆଉଟ ଅଫ୍‌ ଅର୍ଡର’ ଓ ଚଳିତବର୍ଷର ‘ଅନାମିକା’ରେ ମଧ୍ୟ ସେ ପ୍ରଶଂସକମାନଙ୍କୁ ଢେର ମନୋରଞ୍ଜନ ଯୋଗାଇଛନ୍ତି। ଏହି ଅବସରରେ ‘ଜବ୍‌ ହମ୍‌ ପଢ଼େୟା କରତେ ଥେ’, ‘ଢୋଲନା’, ‘ଚୁରି’ ଓ ‘ଇସ୍କ ଦା ରୋଗ’ ଆଦି ସଂଗୀତ ଭିଡିଓରେ ମଧ୍ୟ ସୋନାଲିଙ୍କ ନୃତ୍ୟାଭିନୟକୁ ଦର୍ଶକ ମନଭରି ଉପଭୋଗ କରିଛନ୍ତି। ଫାଙ୍କା ସମୟରେ ଆଳସ୍ୟରେ ସମୟ ବିତାଇବାକୁ ପସନ୍ଦ କରୁନଥିବା ସୋନାଲିଙ୍କର ସମାଜସେବାରେ ଆଗ୍ରହ ରହିଛି। ସେ ଦାତବ୍ୟ ସଂଗଠନ ‘ନିରଙ୍କରୀ ମିସନ’ ସହ ଜଡ଼ିତ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe