Image Courtesy of India Today
ମୁମ୍ବାଇ: ଅଭିନେତ୍ରୀ ଜିୟା ଖାଁଙ୍କ ମୃତ୍ୟୁ ମାମଲାର ବିଚାରରେ ତାଙ୍କ ମାଆ ରାବିୟା ବିଳମ୍ବ କରାଉଥିବା ଦର୍ଶାଇ ତାଙ୍କ ନାଁରେ ଜାମିନ୍ବିହୀନ ପର୍ୱାନା ଜାରି କରିବା ଲାଗି ଓକିଲଙ୍କ ଜରିଆରେ ଅଭିନେତା ସୂରଜ ପାଞ୍ଚୋଲି ମୁମ୍ବାଇସ୍ଥିତ ସ୍ବତନ୍ତ୍ର ‘ସିବିଆଇ’ ଅଦାଲତରେ ମଙ୍ଗଳବାର ଦିନ ଦରଖାସ୍ତ କରିଛନ୍ତି।
ରାବିୟା ସମନ୍ ଏଡ଼ାଉଛନ୍ତି ଏବଂ ଜାଣିଶୁଣି ସ୍ବତନ୍ତ୍ର ‘ସିବିଆଇ’ ଅଦାଲତରେ ହାଜର ହେଉ ନାହାନ୍ତି ବୋଲି ପାଞ୍ଚୋଲି କହିଛନ୍ତି। ତେଣୁ, ଅଦାଲତ ତାଙ୍କ ନାଁରେ ଜାମିନ୍ବିହୀନ ଗିରଫ ପର୍ୱାନା ଜାରି କରିବାକୁ ସେ ନିବେଦନ କରିଛନ୍ତି।
ହାତରେ ଲେଖାଯାଇଥିବା ଉକ୍ତ ଦରଖାସ୍ତରେ ଉଲ୍ଲେଖ ଅଛି, ମୂଳ ଅଭିଯୋଗକାରିଣୀଙ୍କୁ ଅଦାଲତ ଅନେକ ଥର ସମନ୍ ଜାରି କଲେଣି, କିନ୍ତୁ, ସେ ବୟାନ ଦେବା ପାଇଁ ସେ ଅଦାଲତରେ ହାଜର ହେଉନାହାନ୍ତି। ତୁରନ୍ତ ବିଚାର ନିମନ୍ତେ ମୂଳ ଅଭିଯୋଗକାରିଣୀ ଅଦାଲତଙ୍କୁ ସହଯୋଗ ନ କରୁଥିବା ପରି ମନେହେଉଛି। ତେଣୁ, ବିଚାରରେ ବିଳମ୍ବ କରାଇବା ଲାଗି ସେ ଅଦାଲତରେ ହାଜର ହେଉନାହାନ୍ତି।
Image Courtesy of India.comପାଞ୍ଚୋଲିଙ୍କ ଦରଖାସ୍ତର ଉତ୍ତର ଦେବା ପାଇଁ ସ୍ବତନ୍ତ୍ର ‘ସିବିଆଇ’ ବିଚାରପତି ଏଏସ୍ ସାୟଦ ‘ସିବିଆଇ’କୁ କହିଛନ୍ତି। ଜୁଲାଇ ୭ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ଦିନ ଧାର୍ଯ୍ୟ କରାଯାଇଛି।
ବୟାନ ଦେବା ପାଇଁ ୨୦୨୨ ଫେବ୍ରୁଆରିରୁ ଅଦାଲତ ରାବିୟାଙ୍କୁ ସମନ୍ ପଠାଇ ଚାଲିଛି। ଏଯାବତ୍ ସେ ଦେଇଥିବା ଦୁଇଟି ଜବାବରେ ଜଣାଇଛନ୍ତି କି, ବୟାନ ଦେବା ପାଇଁ ସେ ଲଣ୍ଡନ୍ରୁ ମୁମ୍ବାଇ ଯାଇ ପାରିବେ ନାହିଁ। ଥରେ ସେ କହିଥିଲେ ଯେ, ତାଙ୍କ ଇଣ୍ଟର୍ନେଟ୍ କାମ କରୁନାହିଁ। ଆଉ ଥରେ ସେ କହିଥିଲେ, ତାଙ୍କ ଘରେ ବଢ଼ିପାଣି ପଶିଯାଇଛି।
ଏଯାବତ୍ ଅଭିନେତ୍ରୀ ଜିୟା ଖାଁ ମୃତ୍ୟୁ ମାମଲା ବିଚାରରେ ଅଦାଲତରେ ୧୪ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଛି। ଆଉ ଅଳ୍ପ କେତେଜଣ ଅଦାଲତରେ ହାଜର ହୋଇ ବୟାନ ଦେବେ।
ସ୍ମରଣଯୋଗ୍ୟ, ୨୦୧୩ରେ ନିଜ ବାସଭବନରେ ଜିୟା ଖାଁ ମୃତାବସ୍ଥାରେ ମିଳିଥିଲେ। ତାଙ୍କୁ ଆତ୍ମହତ୍ୟା କରାଇବାକୁ ବାଧ୍ୟ କରାଇଥିବା କହି ପୁଲିସ ତାଙ୍କ ପ୍ରେମିକ ସୂରଜ ପାଞ୍ଚୋଲିଙ୍କୁ ଗିରଫ କରିଥିଲା। ଘଟଣାର ‘ସିବିଆଇ’ ତଦନ୍ତ କରିବା ଲାଗି ଜିୟାଙ୍କ ମା’ ରାବିୟା ବମ୍ବେ ହାଇକୋର୍ଟଙ୍କୁ ନିବେଦନ କରିଥିଲେ।
Follow Us