ସଫ୍‌ଟୱେର ଇଞ୍ଜିନିଅରରୁ ସଫଳ ଅଭିନେତ୍ରୀ ତାପସୀ ପନ୍ନୁ

Advertisment

ଜୁଲାଇ ୧୫ରେ ମୁକ୍ତିଲାଭ କରିବ ‘ସାବାସ ମିଟ୍‌ଠୁ’

ଜୁଲାଇ ୧୫ରେ ମୁକ୍ତିଲାଭ କରିବ ‘ସାବାସ ମିଟ୍‌ଠୁ’

ସଫ୍‌ଟୱେର ଇଞ୍ଜିନିଅରରୁ ସଫଳ ଅଭିନେତ୍ରୀ ତାପସୀ ପନ୍ନୁ

photo-navbharattimes

ଜଣେ ସଫଳତାର ସ୍ବାଦ ଚାଖିବା ସତ୍ତ୍ବେ ନିଜ ଉଚ୍ଚାଭିଳାଷ ପୂରଣ ପାଇଁ ଠିକଣା ନିଷ୍ପତ୍ତି ନେଲେ କିପରି ଆଶାତୀତ ସଫଳତା ଅଜାଡ଼ି ହୋଇ ପଡ଼େ, ତାହା ଦେଖିବାକୁ ମିଳିଛି ଦକ୍ଷିଣୀ ଅଭିନେତ୍ରୀ ତାପସୀ ପନ୍ନୁଙ୍କ କ୍ଷେତ୍ରରେ। ଜଣେ ସଫ୍‌ଟୱେର ଇଞ୍ଜିନିଅର ଭାବେ ଜୀବିକା ଆରମ୍ଭ କରିଥିବା ତାପସୀ ମଡେଲିଂ ଜଗତ୍‌ରେ ପ୍ରବେଶ କରି ଜଣେ ଆଗଧାଡ଼ିର ମଡେଲ୍‌ ଭାବେ ଅନେକ ଖ୍ୟାତି ଅର୍ଜନ କରିଥିଲେ। ତେବେ ତାହା ତାଙ୍କ ଉଚ୍ଚାକାଂକ୍ଷା ପୂରଣ କରିବାରେ ଯଥେଷ୍ଟ ନୁହେଁ ଅନୁଭବ କରି ସେ ସିନେ ଜଗତ୍‌ ମୁହାଁ ହୋଇଥିଲେ। ଆଉ ତା’ର ପରିଣାମରେ ଦୁଇ ଥର ଫିଲ୍ମଫେୟାର ପୁରସ୍କାର ସମେତ ୧୪ ଥର ଜାତୀୟ ସ୍ତରୀୟ ପୁରସ୍କାର ହାତେଇବାର ବିରଳ କୀର୍ତ୍ତି ସେ ହାସଲ କରିପାରିଛନ୍ତି। ନୂଆଦିଲ୍ଲୀରେ ଏକ ପଞ୍ଜାବୀ ପରିବାରରେ ୧୯୮୭ ଅଗଷ୍ଟ ୧ରେ ଜନ୍ମିତ ତାପସୀ କମ୍ପ୍ୟୁଟର ସାଇନ୍‌ସ ଇଞ୍ଜିନିଅରିଂରେ ସ୍ନାତକ ଡିଗ୍ରି ହାସଲ କରିଛନ୍ତି। ଶିକ୍ଷା ପରେ ଏକ ନାମୀ କମ୍ପାନିରେ ସେ ସପ୍‌ଟୱେର ଇଞ୍ଜିନିଅର ଭାବେ ନିଯୁକ୍ତି ପାଇଥିଲେ।

ତେବେ ୨୦୦୮ରେ ‘ଚାନେଲ୍‌-ଭି’ର ବୁଦ୍ଧିମତା କାର୍ଯ୍ୟକ୍ରମ ‘ଗେଟ୍‌ ଗର୍ଜିଅସ୍‌’ରେ ତାପସୀ ବଛାଯିବା ପରେ ମଡେଲିଂରେ ନିଜ ଜୀବନ ଗଢ଼ିବା ପାଇଁ ଦୃଢ଼ ପରିକର ହୋଇଥିଲେ। ବିଜ୍ଞାପନରେ ଅଭିନୟ କରୁ କରୁ ସେ ସେହିବର୍ଷ ‘ପାଣ୍ଟାଲୁନ୍‌ସ ଫେମିନା ସତେଜ ସୁନ୍ଦରୀ’ ଓ ‘ସାଫି ଫେମିନା ସୁକୋମଳ ତ୍ବଚା ସୁନ୍ଦରୀ’ ଆଖ୍ୟା ହାସଲ କରିଥିଲେ। ତେବେ ମଡେଲିଂରେ ସେ ନିଜ ଅଭିଳାଷର ଶୀର୍ଷ ଛୁଇଁ ପାରିବେ ନାହିଁ ବୋଲି ଆଶଙ୍କା କରି ସିନେ ଦୁନିଆ ପ୍ରତି ମନ ବଳାଇଥିଲେ। ୨୦୧୦ରେ ତେଲୁଗୁ ଫିଲ୍ମ ‘ଜୁମ୍ମାନ୍ଦି ନାଦମ୍‌’ରେ ପ୍ରଥମ ପଦାର୍ପଣ କରି ଦର୍ଶକ ମହଲରେ ହଇଚଇ ସୃଷ୍ଟି କରିଥିଲେ। ୨୦୧୩ରେ ସେ ହିନ୍ଦୀ ସିନେମା ଜଗତ୍‌କୁ ପ୍ରବେଶ କରିଥିଲେ ‘ଚଷମେ ବଦ୍ଦୂର’ ମାଧ୍ୟମରେ। ଏଥିରେ ତାପସୀଙ୍କ ସପକ୍ଷରେ ସମୀକ୍ଷକମାନେ ନଥିଲା ବେଳେ ଫିଲ୍ମଟି କିନ୍ତୁ ବକ୍ସ ଅଫିସରେ ସଫଳ ହୋଇଥିଲା। ୨୦୧୬ରେ ଅମିତାଭ ବଚ୍ଚନ ଅଭିନୀତ ‘ପିଙ୍କ୍‌’ ଫିଲ୍ମରେ ତାପସୀଙ୍କ ଶାଣିତ ଅଭିନୟ ଦର୍ଶକ ତଥା ସମୀକ୍ଷକମାନଙ୍କୁ ମୁଗ୍‌ଧ କରିଥିଲା। ଏହାପରେ ‘ଦି ଗାଜି ଆଟାକ୍‌’, ‘ନାମ୍‌ ଶବାନା’, ‘ଜୁଡଵା-୨’, ‘ମୁଲ୍‌କ’, ‘ମିସନ ମଙ୍ଗଳ’, ‘ଥପ୍‌ପଡ଼’ ଓ ‘ଦିଲ୍‌ ଜଙ୍ଗଲୀ’ ଆଦି ହିନ୍ଦୀ ଫିଲ୍ମ ତାପସୀଙ୍କ ସଫଳତା ମୁକୁଟରେ ନୂଆ ନୂଆ ରଙ୍ଗିନ ପର ଖଞ୍ଜି ଦେଇଥିଲା। ଗତବର୍ଷ ମୁକ୍ତିଲାଭ କରିଥିବା ‘ହସିନ୍‌ ଦିଲରୁବା’ରେ ମଧ୍ୟ ତାଙ୍କ ଚମକ ଜାରି ରହିଥିଲା। ଆସନ୍ତା ଜୁଲାଇ ୧୫ରେ ତାଙ୍କ ଅଭିନୀତ ‘ସାବାସ ମିଟ୍‌ଠୁ’ ମୁକ୍ତିଲାଭ କରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe