ନୂଆଦିଲ୍ଲୀ: ଭାରତୀୟ ସିନେମାକୁ ବିଶ୍ବ ସ୍ତରରେ ପହଞ୍ଚାଇଥିବା ନିର୍ଦ୍ଦେଶକ ଏସ୍‌ଏସ୍‌ ରାଜାମୌଲି ଏବେ ତାଙ୍କର ଅନ୍ୟ ଏକ ଫିଲ୍ମକୁ ନେଇ ଚର୍ଚ୍ଚାରେ ଅଛନ୍ତି। RRR ଏବଂ ବାହୁବଳୀ ଭଳି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିବା ଏସ୍‌ଏସ୍‌ ରାଜାମୌଲି ଏବେ ଏସିଆର ସବୁଠାରୁ ମହଙ୍ଗା ଫିଲ୍ମ ନିର୍ମାଣ କରୁଥିବା ଜଣାଯାଇଛି। ସାଉଥ୍ ସୁପରଷ୍ଟାର ମହେଶ ବାବୁ ଏବଂ ବଲିଉଡ-ହଲିଉଡ ଷ୍ଟାର ପ୍ରିୟଙ୍କା ଚୋପ୍ରାଙ୍କ ଅଭିନୀତ ଏହି ଆକ୍ସନ-ଆଡଭେଞ୍ଚର ସିନେମାଟିର ନାମ 'ବାରାଣସୀ' ରଖାଯାଇଛି। ପ୍ରଶଂସକମାନଙ୍କ ପାଇଁ ହାଇଦ୍ରାବାଦର ରାମୋଜୀ ଫିଲ୍ମ ସିଟିରେ ଏକ ବିଶାଳ କାର୍ଯ୍ୟକ୍ରମ କରାଯାଇ ଫିଲ୍ମର ଟିଜର ରିଲିଜ୍ କରାଯାଇଥିଲା। ଟିଜରରେ କଳାକାରଙ୍କ ପ୍ରଥମ ଲୁକ୍ ଦେଖିବାକୁ ମିଳିଥିଲା। ଟିଜର ରିଲିଜ୍ ପରେ ଫିଲ୍ମକୁ ନେଇ ଦର୍ଶକଙ୍କ ଉତ୍ସାହ ବଢ଼ିଥିଲେ ବି ରାଜାମୌଲି ଦେଇଥିବା ବୟାନକୁ ନେଇ ଏବେ ବିବାଦ ଆରମ୍ଭ ହୋଇଛି।

Advertisment

ଈଶ୍ବରଙ୍କ ଉପରେ ଭରସା ନଥିବା କହିବା ସହ ପ୍ରଭୁ ହନୁମାନଙ୍କୁ ନେଇ କହିଥିବା କଥା ପାଇଁ ଲୋକେ ତାଙ୍କୁ ଟ୍ରୋଲ କରୁଛନ୍ତି। ସୂଚନା ମୁତାବକ, ଇଭେଣ୍ଟରେ କିଛି ଯାନ୍ତ୍ରିକ ତ୍ରୁଟି ପାଇଁ ଫିଲ୍ମର ଟିଜର ଚାଲିବାରେ ଅସୁବିଧା ହୋଇଥିଲା। ଏହାକୁ ଠିକ୍ କରିବା ପାଇଁ ସମୟ ଲାଗିବାରୁ ବିରକ୍ତ ହୋଇଯାଇଥିଲେ ରାଜାମୌଲି।

ମୁଁ ନାସ୍ତିକ

ଭାବପ୍ରବଣ ହୋଇ ରାଜାମୌଲି ଉପସ୍ଥିତ ୫୦,୦୦୦ ଦର୍ଶକଙ୍କୁ କ୍ଷମା ମାଗିଥିଲେ ଏବଂ କହିଥିଲେ ଯେ, ପ୍ରଭୁ ହନୁମାନ ମୋତେ ନିରାଶ କରିଛନ୍ତି। ମୁଁ କୌଣସି ଦେବାଦେବୀଙ୍କ ଉପରେ ବିଶ୍ୱାସ କରେ ନାହିଁ। ଏହା ମୋ ପାଇଁ ଏକ ଭାବପ୍ରବଣ ମୁହୂର୍ତ୍ତ। ମୁଁ ଈଶ୍ୱରଙ୍କ ଉପରେ ବିଶ୍ୱାସ କରେ ନାହିଁ। ଯାନ୍ତ୍ରିକ ତ୍ରୁଟି ଆସିବା ପରେ ମୋ ବାପା ଆସି କହିଲେ ଯେ, ପ୍ରଭୁ ହନୁମାନ ସବୁକିଛି ଠିକ୍ କରିବେ। ହେଲେ ଅନେକ ସମୟ ଧରି ତ୍ରୁଟି ଠିକ୍ ନହେବାରୁ ମୁଁ ବାପାଙ୍କୁ ପାଟି କରି କହିଲି ଯେ, 'ସେ କ'ଣ ମୋତେ ଏପରି ଆଗକୁ ନେବେ?' ମୋ ସ୍ତ୍ରୀ ହନୁମାନଙ୍କର ଜଣେ ବଡ଼ ଭକ୍ତ। ସେ ଭଗବାନଙ୍କ ସହ ବନ୍ଧୁ ପରି ବ୍ୟବହାର କରନ୍ତି ଏବଂ ତାଙ୍କ ସହିତ କଥା ହୁଅନ୍ତି। ଏହି ଘଟଣା ପରେ ମୁଁ ତାଙ୍କ ଉପରେ ମଧ୍ୟ ମୋର କ୍ରୋଧ ପ୍ରକାଶ କରି କହିଲି, 'ସେ କ'ଣ ଏହିପରି ନିଜ କାମ କରନ୍ତି?'"

ରୁଜୁ ହେଲା ଏତଲା

ହିନ୍ଦୁ ଧର୍ମର ସମୃଦ୍ଧ ପୌରାଣିକ ପୃଷ୍ଠଭୂମିକୁ ନେଇ ଫିଲ୍ମ ନିର୍ମାଣ କରିବା ସତ୍ତ୍ୱେ, ଏସଏସ ରାଜାମୌଲି ସର୍ବଦା ନିଜକୁ ନାସ୍ତିକ ବୋଲି କହିଆସିଛନ୍ତି। ଏବେ, ସେ ପ୍ରଭୁ ହନୁମାନଙ୍କୁ ନେଇ ଏଭଳି ବୟାନ ଦେବା ରାଷ୍ଟ୍ରୀୟ ବାନର ସେନାକୁ ପସନ୍ଦ ଆସିନାହିଁ। ତେଣୁ ରାଷ୍ଟ୍ରୀୟ ବାନର ସେନା ସଦସ୍ୟମାନେ ତାଙ୍କର ମନ୍ତବ୍ୟ ପାଇଁ ନିର୍ଦ୍ଦେଶକଙ୍କ ବିରୋଧରେ ପୁଲିସ‌ରେ ଅଭିଯୋଗ ଦାଖଲ କରିଛନ୍ତି। ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେବା ପରେ ଅନେକ ଲୋକ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଛନ୍ତି।

ଆହୁରି ପଢ଼ନ୍ତୁ: Prashant Kishor's Statement: ଆମକୁ ରାଜନୀତି କରିବାର ଆବଶ୍ୟକତା ନାହିଁ: ନୀତିଶଙ୍କୁ କହିଲେ ପିକେ

ଆହୁରି ପଢ଼ନ୍ତୁ: Yograj Singh's Emotional Statement: ଘରେ ଏବେ ମୁଁ ଏକା, କଥା ହେବାକୁ କେହି ନାହାନ୍ତି: ଯୋଗରାଜ ସିଂହ