ସଫଳ ଅଭିନେତ୍ରୀ, ବିଫଳ ଗୃହିଣୀ

Advertisment
ସଫଳ ଅଭିନେତ୍ରୀ, ବିଫଳ ଗୃହିଣୀ

KALKI Fashion

ପନ୍ଦର ବର୍ଷର ଅଭିନୟ କ୍ୟାରିୟର୍‌ ଭିତରେ ହିନ୍ଦୀ, ମରାଠୀ, ତେଲୁଗୁ, ତାମିଲ ଓ ମାଲାୟଲୀ ଭାଷାରେ ତିରିଶରୁ ଅଧିକ ସିନେମାରେ ଅଭିନୟ। ନିଜର ବଂଶ ପରିଚୟ ସହିତ ଦୁଇ ଦୁଇଟି ରାଜ ପରିବାର ଜଡ଼ିତ। ଏଥି ସହିତ ନିଜର ଅଭିନୟ ଦକ୍ଷତା ପାଇଁ ଛଅ ଥର ଜାତୀୟ ସ୍ତରର ସମ୍ମାନ ହାସଲ। ଏଭଳି ବିରଳ କୃତିତ୍ବର ଅଧିକାରିଣୀ ହେଉଛନ୍ତି ଅଭିନେତ୍ରୀ ଆଦିତି ରାଓ ହାଇଦରି। ଅଭିନୟ ଜୀବନରେ ଏତେ ସଫଳତା ସାଉଁଟିଥିବା ଆଦିତିଙ୍କର ବାଲ୍ୟକାଳ ଓ ଦାମ୍ପତ୍ୟ ଜୀବନ ଅତ୍ୟନ୍ତ ଦୁର୍ବିଷହ ହୋଇପଡ଼ିଥିଲା। ତାହା ସତ୍ତ୍ବେ ସେ ନିଜର ଦୁଃଖକୁ ବାହାରେ ପ୍ରକାଶ କରିବାକୁ କୁଣ୍ଠାବୋଧ କରନ୍ତି। ଆନ୍ଧ୍ର ପ୍ରଦେଶର ହାଇଦ୍ରାବାଦ ଠାରେ ୧୯୮୬ ଅକ୍‌ଟୋବର ୨୮ ତାରିଖରେ ମାତା ତଥା ଖ୍ୟାତନାମା ଶାସ୍ତ୍ରୀୟ କଣ୍ଠଶିଳ୍ପୀ ବିଦ୍ୟା ରାଓ ଓ ହାଇଦ୍ରାବାଦ ରାଜାଙ୍କ ବଂଶଧର ଏହସାନ ହାଇଦରିଙ୍କ କୋଳମଣ୍ଡନ କରିଥିବା ଆଦିତିଙ୍କୁ ମାତ୍ର ଦୁଇ ବର୍ଷ ବେଳେ ତାଙ୍କ ପିତା ଓ ମାତାଙ୍କ ମଧ୍ୟରେ ବିବାହ ବିଚ୍ଛେଦ ଘଟିଥିଲା। ଆଦିତିଙ୍କୁ ଧରି ତାଙ୍କ ମାତା ଦିଲ୍ଲୀ ପଳାଇ ଆସିଥିଲେ।

ଶୈଶବାବସ୍ଥାରେ ପିତାଙ୍କର ଅସହଯୋଗ ସତ୍ତ୍ବେ ଉଭୟ ମାତାପିତାଙ୍କ ସତ୍ତାକୁ ନିଜଠାରେ ପ୍ରକାଶ କରିବା ଲାଗି ଆଦିତି ଉଭୟଙ୍କ ସାଙ୍ଗିଆକୁ ନିଜ ନାମ ସହ ବହନ କରିବାରେ ଗର୍ବିତ ବୋଲି କହନ୍ତି। ଛଅ ବର୍ଷ ବେଳୁ ଆଦିତି ଭାରତନାଟ୍ୟମ୍‌ ଶିକ୍ଷା ଆରମ୍ଭ କରିଥିଲେ ଏବଂ ଏଗାର ବର୍ଷ ବୟସରେ ନିଜର ନୃତ୍ୟନୈପୁଣ୍ୟ ପ୍ରଦର୍ଶନ ପୂର୍ବକ ସମସ୍ତଙ୍କୁ ମୁଗ୍‌ଧ କରିପାରିଥିଲେ। ନୃତ୍ୟକୁ ଭିତ୍ତି କରି ୨୦୦୪ରେ ତାମିଲ ଫିଲ୍ମ ‘ଶୃଙ୍ଗାରମ୍‌’ରେ ଏକ ପ୍ରମୁଖ ଚରିତ୍ରରେ ଆଦିତିଙ୍କର ପ୍ରଥମ ପଦାର୍ପଣ ହୋଇଥିଲା। ତେବେ ତାହା ମୁକ୍ତିଲାଭ କରିବାରେ ବିଳମ୍ବିତ ହୋଇଥିବା ବେଳେ ତାହା ପୂର୍ବରୁ ତାଙ୍କ ଅଭିନୀତ ପ୍ରଥମ ମାଲାୟଲୀ ଫିଲ୍ମ ‘ପ୍ରଜାପତି’ ୨୦୦୬ରେ ମୁକ୍ତିଲାଭ କରିଥିଲା। ସେହିପରି ୨୦୦୯ ସେ ହିନ୍ଦୀ ଫିଲ୍ମ ‘ଦିଲ୍ଲୀ-୬’ରେ ପ୍ରଥମ ପଦାର୍ପଣ କରି ପଛକୁ ପଛ ଆହୁରି ଆଠଟି ହିନ୍ଦୀ ସିନେମାରେ ନିଜର ଦକ୍ଷତା ପ୍ରଦର୍ଶନ କରିଥିଲେ। ୨୦୧୧ର ହିନ୍ଦୀ ଫିଲ୍ମ ‘ୟେ ଶାଲି ଜିନ୍ଦଗି’ ତାଙ୍କ ପାଇଁ ଅପୂର୍ବ ଲୋକପ୍ରିୟତା ଆଣିଦେବା ସହ ସେ ସହଅଭିନେତ୍ରୀ ଭାବେ ସ୍କ୍ରିନ୍‌ ସମ୍ମାନ ହାସଲ କରିଥିଲେ।

ସେହିପରି ୨୦୧୪ରେ ସେ ମରାଠୀ ଫିଲ୍ମ ‘ରାମ ମାଧବ’ରେ ପ୍ରଥମେ ଅବତୀର୍ଣ୍ଣ ହୋଇ ଦର୍ଶକଙ୍କ ମନ ଜିଣିଥିଲେ। ତେବେ ୨୦୧୬ରେ ଅମିତାଭ ବଚ୍ଚନ ଅଭିନୀତ ହିନ୍ଦୀ ଚଳଚ୍ଚିତ୍ର ‘ଵାଜିର’ରେ ଆଦିତିଙ୍କ ଭୂମିକାକୁ ସମୀକ୍ଷକମାନେ ଖୁବ୍‌ ପ୍ରଶଂସା କରିଥିଲେ। ୨୦୧୭ରେ ତାଙ୍କର ପ୍ରଥମ ତାମିଲ ଫିଲ୍ମ ‘କାତ୍ରୁ ବେଲିୟିଦାୟି’ ପର୍ଯ୍ୟାପ୍ତ ବ୍ୟବସାୟ କରିବା ସହ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଆଦିତିଙ୍କୁ ଏସିଆଭିଜନ୍‌ ସମ୍ମାନ, ସୀମା ସମ୍ମାନ ଓ ଜୀ ସିନେ ସମ୍ମାନ (ତେଲୁଗୁ) ମିଳିଥିଲା। ସେହିପରି ହିନ୍ଦୀ ସିନେମା ‘ପଦ୍ମାବତ୍‌’ରେ ତାଙ୍କୁ ଶ୍ରେଷ୍ଠ ସହଅଭିନେତ୍ରୀ ଭାବେ ଆଇଫା ସମ୍ମାନ ମଧ୍ୟ ମିଳିଥିଲା। ଏତେ ସବୁ ଅଭିନୟ ଭିତରେ ୨୦୦୯ ବେଳକୁ ଅଭିନେତା ସତ୍ୟଦୀପ ମିଶ୍ରଙ୍କ ସହ ତାଙ୍କର ଗୋପନ ବିବାହ ହୋଇଥିବା ଚର୍ଚ୍ଚା ହେଉଥିବା ବେଳେ ସେ ଏହାକୁ ଖଣ୍ଡନ କରି ଚାଲିଥିଲେ। ତେବେ ସେମାନଙ୍କ ଭିତରେ ବିଚ୍ଛେଦ ହୋଇଥିବା କଥା ସେ ୨୦୧୩ରେ ସ୍ବୀକାର କରିଥିଲେ। ଜଣେ ଗୃହିଣୀ ଭାବେ ଘର ସଂସାର କରିବାରେ ବିଫଳ ହୋଇଥିବା ଆଦିତିଙ୍କର ଅଭିନୟ ହିଁ ଜୀବନ ଏବଂ ଜୀବନ ଥିବା ଯାଏ ଅଭିନୟ ଜାରି ରଖିବେ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe