TOI Photos
ମୁମ୍ବାଇ: ଅଭିନେତ୍ରୀ ଅମୃତା ଖାନ୍ୱିଲକରଙ୍କର ଦାମ୍ପତ୍ୟ ଜୀବନର କାହାଣୀ ବେଶ ରୋଚକ । ଏକ ବାସ୍ତବଧର୍ମୀ ଟିଭି ଧାରାବାହିକରେ ପ୍ରତିଯୋଗୀ ସାଜିବା ଅବସରରେ ଅନ୍ୟ ଜଣେ ପ୍ରତିଯୋଗୀଙ୍କୁ ସେ ଆବିଷ୍କାର କରନ୍ତି ନିଜର ପୁରୁଷବନ୍ଧୁ ଭାବରେ। ଏହାପରେ ଦଶ ବର୍ଷର ନିବିଡ଼ ସମ୍ପର୍କ। ପୁଣି ଏକ ବାସ୍ତବଧର୍ମୀ ଟିଭି ଧାରାବାହିକରେ ଏହି ପ୍ରେମୀଯୁଗଳ ବାଜି ମାରି ନିଅନ୍ତି ଉକ୍ତ ପ୍ରତିଯୋଗିତାର ମୁକୁଟକୁ। ତା’ପରେ ବିବାହ ଓ ଗତ ସାତ ବର୍ଷ ଧରି ବଜାୟ ରହିଛି ସେମାନଙ୍କ ସୁନାର ସଂସାର।
ମହାରାଷ୍ଟ୍ରର ପୁଣେ ଠାରେ ୧୯୮୪ ନଭେମ୍ବର ୨୩ ତାରିଖରେ ଭୂମିଷ୍ଠ ହୋଇଥିବା ଅମୃତାଙ୍କର ଶିକ୍ଷାଦୀକ୍ଷା ଓ ସାରା ଜୀବନ ମାୟା ନଗରୀ ମୁମ୍ବାଇରେ କଟିଛି। ନୃତ୍ୟ ଓ ଭ୍ରମଣରେ ରୁଚି ରଖିଥିବା ଅମୃତା ବାଣିଜ୍ୟ ଓ ଅର୍ଥନୀତିରେ ସ୍ନାତକ ଡିଗ୍ରି ହାସଲ କରିଛନ୍ତି। ତେବେ ଶିକ୍ଷା ପରେ ବାସ୍ତବଧର୍ମୀ ଟିଭି ଧାରାବାହିକ ‘ଇଣ୍ଡିଆଜ୍ ବେଷ୍ଟ ସିନେଷ୍ଟାର୍ସ କି ଖୋଜ୍’ରେ ଅଂଶଗ୍ରହଣ କଲା ପରେ ତାଙ୍କର ସିନେ ଦୁନିଆ ପ୍ରତି ମୋହ ବଢ଼ିବାକୁ ଲାଗିଥିଲା। ଏହି ଅବସରରେ ପ୍ରତିଯୋଗିତାର ଅନ୍ୟତମ ଆଶାୟୀ ହିମାଂଶୁ ମଲହୋତ୍ରାଙ୍କ ସହ ତାଙ୍କର ଭେଟ ହୋଇଥିଲା ଏବଂ ସେମାନେ ପରସ୍ପର ପ୍ରେମରେ ପଡ଼ିଯାଇଥିଲେ।
/sambad/media/post_attachments/wp-content/uploads/2022/07/Capture-copy.png)
ନୃତ୍ୟରେ ନିପୁଣା ଅମୃତା ଏହା ପରେ ଅଭିନୟରେ ନିଜକୁ ପୋଖତ କରିବା ଲାଗି ‘ଅଦା’ ଓ ‘ଟାଇମ୍ ବମ୍ ୯/୧୧’ ପରି ଧାରାବାହିକରେ ଦେଖାଦେଇ ଆଶାନୁରୂପ ଦର୍ଶକୀୟ ସ୍ବୀକୃତି ହାସଲ କରିଥିଲେ।
ଫଳସ୍ବରୂପ, ୨୦୦୮ରେ ମରାଠୀ ଫିଲ୍ମ ‘ଗୋଲମାଲ୍’ରେ ଅମୃତାଙ୍କର ପ୍ରଥମ ପଦାର୍ପଣ ଯଥେଷ୍ଟ ଲୋକପ୍ରିୟ ହୋଇଥିଲା। ପରେ ହିନ୍ଦୀ ଫିଲ୍ମ ‘ମୁମ୍ବାଇ ସାଲସା’ରେ ମଧ୍ୟ ତାଙ୍କର ପ୍ରଥମ ଆବିର୍ଭାବ ଅନୁରୂପ ସଫଳତା ସାଉଁଟିଥିଲା। ସେ ଗୋଟିକ ପରେ ଗୋଟିଏ ହିନ୍ଦୀ ଓ ମରାଠୀ ସିନେମାରେ ନିଜର ଅଭିନୟକୁ ଶାଣିତ କରିଚାଲିଲେ। ୨୦୧୦ ଓ ୨୦୧୨ରେ ନୃତ୍ୟଭିତ୍ତିକ ଧାରାବାହିକ ‘ମହାରାଷ୍ଟ୍ରଚା ସୁପରଷ୍ଟାର’ ଓ ‘ଡ୍ୟାନ୍ସ ମହାରାଷ୍ଟ୍ର ଡ୍ୟାନ୍ସ’ରେ ଉପସ୍ଥାପିକା ସାଜି ସେ ପ୍ରଶଂସକ ମହଲରେ ନିଜର ଉପସ୍ଥିତିକୁ ଜାହିର କରିଥିଲେ।
ସେହିପରି ୨୦୧୫ରେ ନୃତ୍ୟଭିତ୍ତିକ ଧାରାବାହିକ ‘ନଚ୍ ବଲିୟେ-୭’ରେ ସେ ପୁରୁଷବନ୍ଧୁ ହିମାଂଶୁଙ୍କ ସହ ଯୁଗ୍ମ ପ୍ରତିଯୋଗୀ ସାଜିଥିଲେ ଏବଂ ସେମାନେ ଉକ୍ତ ପ୍ରତିଯୋଗିତାକୁ ଜିତିନେଇଥିଲେ। ଏହାପରେ ଏହି ପ୍ରେମୀଯୁଗଳ ବିବାହ କରିଥିଲେ ଏବଂ ଅମୃତାଙ୍କ ଦାମ୍ପତ୍ୟ ଜୀବନର ପ୍ରଥମ ସିନେମା ଥିଲା ମରାଠୀ ଫିଲ୍ମ ‘ୱେଲକମ୍ ଜିନ୍ଦଗି’। ଏ ପର୍ଯ୍ୟନ୍ତ ମାତୃତ୍ବ ହାସଲ କରି ନ ଥିବା ଅମୃତା ନିଜର ସାଂସାରିକ ଜୀବନରେ ବେଶ୍ ସୁଖୀ। ପରବର୍ତ୍ତୀ ହିନ୍ଦୀ ଫିଲ୍ମ ‘ରାଜି’, ‘ସତ୍ୟମେବ ଜୟତେ’ ଓ ‘ମଲଙ୍ଗ’ ସମେତ ମରାଠୀ ସିନେମା ‘ଚୋରିଚା ମାମଲା’, ‘ୱେଲ୍ ଡନ୍ ବେବି’ ଓ ‘ଚନ୍ଦ୍ରମୁଖୀ’ ଆଦି ଦର୍ଶକଙ୍କୁ ପରଷି ସେ ନିଜର ଅଭିନୟ ଜୀବନକୁ ମଧ୍ୟ ସତେଜ କରି ରଖିଛନ୍ତି।
  
 Follow Us