ଅଭିନେତା ସୁନୀଲ ସେଟ୍ଟୀ ଓ ସଞ୍ଜୟ ଦତ୍ତ ୧୨ ବର୍ଷର ବ୍ୟବଧାନ ପରେ ଏକ ହାସ୍ୟରସାତ୍ମକ ଚଳଚ୍ଚିତ୍ରରେ ପୁଣି ଥରେ ଏକାଠି ଦେଖାଦେବାକୁ ଯାଉଛନ୍ତି। ସୁନୀଲ ଓ ସଞ୍ଜୟ ଅତୀତରେ କେବଳ ସିନେପରଦାରେ ଏକାଠି ଦେଖାଦେଇଛନ୍ତି ତାହା ନୁହେଁ, ବାସ୍ତବ ଜୀବନରେ ମଧ୍ୟ ସେମାନେ ଭଲ ବନ୍ଧୁ। ଏହା ସତ୍ତ୍ବେ ସେମାନେ ଏକ ଦଶନ୍ଧିରୁ ଅଧିକ ସମୟ ହେଲା ବଡ଼ପରଦାରେ ଏକା ସାଙ୍ଗେ ଅଭିନୟ କରିନାହାନ୍ତି। କିନ୍ତୁ ନିକଟରେ ସୁନୀଲ ପ୍ରକାଶ କରିଛନ୍ତି ଯେ ସେ ସଞ୍ଜୟଙ୍କ ସହିତ ନିର୍ଦେଶକ ସମୀର କାର୍ନିକଙ୍କ ଏକ ଚଳଚ୍ଚିତ୍ରରେ ଅଭିନୟ କରିବେ। ଏହି ଚଳଚ୍ଚିତ୍ରର ନାମ ଏ ପର୍ଯ୍ୟନ୍ତ ଚୂଡ଼ାନ୍ତ ହୋଇ ନାହିଁ, କିନ୍ତୁ ଏଥିରେ ଦୁଇ ଜଣ ଯେଉଁ ଚରିତ୍ରରେ ଅଭିନୟ କରିବେ ତାହା ସେମାନଙ୍କର ସମବୟସ୍କ ବୋଲି ଶୁଣିବାକୁ ମିଳୁଛି।
ବର୍ତ୍ତମାନ ସୁନୀଲଙ୍କ ବୟସ ୬୦ ବର୍ଷ ହୋଇଥିବା ବେଳେ ସଞ୍ଜୟଙ୍କୁ ୬୨ ଛୁଇଁଲାଣି। ଏହି ଚଳଚ୍ଚିତ୍ର ଜରିଆରେ ସେମାନଙ୍କ ବ୍ୟକ୍ତିଗତ ଘନିଷ୍ଠତା ପରଦାରେ ପ୍ରତିଫଳିତ ହେବ। ଏହି ପାରିବାରିକ ବ୍ୟଙ୍ଗ ସିନେମାରେ ଜାୟେଦ ଖାନ ଓ ଈଶା ଦେଓଲ ମଧ୍ୟ ଅଭିନୟ କରିବେ। ନିକଟ ଅତୀତରେ ସୁନୀଲ ତାଙ୍କ ପୁଅ ଅହାନ ସେଟ୍ଟୀଙ୍କ ‘ତଡ଼ପ’ରେ ଏକ ଛୋଟ ଭୂମିକାରେ ବାହାରିଥିଲେ। ଅପରପକ୍ଷେ ଗତ ବର୍ଷ ସଞ୍ଜୟଙ୍କ ‘ଭୁଜ: ଦି ପ୍ରାଇଡ୍ ଅଫ୍ ଇଣ୍ଡିଆ’ ମୁକ୍ତିଲାଭ କରିଥିଲା। ଶେଷ ଥର ୨୦୧୦ର ‘ନୋ ପ୍ରୋବ୍ଲେମ୍’ ଚଳଚ୍ଚିତ୍ରରେ ଦର୍ଶକ ଦୁହିଁଙ୍କୁ ଏକାଠି ଦେଖିଥିଲେ।
Follow Us