ମୁମ୍ବାଇ: ନିକଟରେ ରିଲିଜ୍ ହୋଇଥିବା ଫିଲ୍ମ 'ଗଦର ୨' ବକ୍ସ ଅଫିସରେ ସୁପରହିଟ୍ ସାବ୍ୟସ୍ତ ହୋଇଥିଲା। ସନ୍ନି ଦେଓଲଙ୍କ ଏହି ଫିଲ୍ମକୁ ଦର୍ଶକଙ୍କ ଭଲପାଇବା ମିଳିଥିଲେ ବି ତାଙ୍କ ପୁଅ ରାଜବୀର ଦେଓଲଙ୍କ ଫିଲ୍ମକୁ ଦର୍ଶକ ପସନ୍ଦ କରିନଥିବା ଦେଖାଯାଇଛି। ବକ୍ସ ଅଫିସରେ ଫିଲ୍ମର ଆୟ ଓ ଅଗ୍ରୀମ ବୁକିଂକୁ ଦେଖିଲେ ଏଭଳି ମନେ ହେଉଛି। ନିକଟରେ ବଡ ପରଦାରେ ମୁକ୍ତିଲାଭ କରିଛି ସନ୍ନି ଦେଓଲଙ୍କ ପୁଅ ରାଜବୀର ଦେଓଲଙ୍କ ଡେବ୍ୟୁ ଫିଲ୍ମ 'ଦୋନୋ'। ହେଲେ ରିଲିଜ୍ ପରେ ବକ୍ସ ଅଫିସରେ ଫିଲ୍ମଟି ଫ୍ଲପ ହୋଇଥିବା ଚର୍ଚ୍ଚା ହେଉଛି।
ନିଜକୁ ସିନେ ସମୀକ୍ଷକ ବୋଲି କହୁଥିବା କମାଲ ଆର ଖାନ୍(କେଆରକେ) ଏକ୍ସରେ ପୋଷ୍ଟ କରି ଏଭଳି ଦାବି କରିଛନ୍ତି। କମାଲ ଆର ଖାନ ଟ୍ୱିଟ କରି କହିଛନ୍ତି ଯେ, "ସନ୍ନିଙ୍କ ପୁଅ ରାଜବୀରଙ୍କ ଡେବ୍ୟୁ ଫିଲ୍ମ 'ଦୋନୋ' ସୁପରଫ୍ଲପ ହୋଇଛି। ଶୁକ୍ରବାର ଦିନ କେବଳ ୯୦ଟି ଟିକେଟ୍ ବିକ୍ରି ହୋଇଥିବା ବେଳେ ଶନିବାର ପାଇଁ କେବଳ ୪୨ଟି ଏବଂ ରବିବାର ପାଇଁ କେବଳ ୪୩ଟି ଟିକେଟ୍ ବିକ୍ରି ହୋଇଛି। ମୁଁ ନିଶ୍ଚିତ ଯେ କେବଳ ପ୍ରଯୋଜକମାନେ ଏହି ଟିକେଟ୍ କିଣିଛନ୍ତି।"
ତେବେ ଏହି ଫିଲ୍ମରେ ରାଜବୀରଙ୍କ ସହ ଅଭିନେତ୍ରୀ ପୁନମ ଢ଼ିଲନଙ୍କ ଝିଅ ପଲୋମା ଠାକେରିଆ ମଧ୍ୟ ବଲିଉଡରେ ଡେବ୍ୟୁ କରିଥିବା ଜଣାପଡ଼ିଛି।
Follow Us