Discourse Magazine
ସମୟ ଭିନ୍ନ, ସମାଜ ଭିନ୍ନ, ଚରିତ୍ର ଭିନ୍ନ। ଏଣୁ ଚିନ୍ତାଧାରା ବି ଏକା ନୁହେଁ। କିନ୍ତୁ ଗୋଟିଏ ବିନ୍ଦୁରେ ଆମେ ସେମାନଙ୍କୁ ଯୋଡ଼ି ପାରିବା। ପ୍ରାପ୍ତି ବା ସଫଳତା ସେମାନଙ୍କୁ ଅନ୍ୟମାନଙ୍କଠୁ ଭିନ୍ନ କରିପାରିଛି। ଲୌହମାନବୀ ବ୍ରିଟେନର ପ୍ରଥମ ପ୍ରଧାନମନ୍ତ୍ରୀ ମାର୍ଗାରେଟ୍ ଥାଚର ହୁଅନ୍ତୁ ବା ଭାରତୀୟ ହିନ୍ଦୀ ସିନେମାର ଲୋକପ୍ରିୟ ନାୟିକା ଶର୍ମିଲା ଟାଗୋର ହୁଅନ୍ତୁ କିମ୍ବା ଲିଙ୍ଗଗତ ଅସମାନତା ବିରୋଧରେ ଆଲୋକଶିଖା ପରି ନିଜକୁ ଦୀପ୍ତିମତୀ କରିପାରିଥିବା ଦୀପା ସାହୁ... ଜୀବନକୁ ନେଇ ସେମାନଙ୍କ ସକାରାତ୍ମକ ମାନସିକତା ଏସପ୍ତାହର ‘ଭିନ୍ନଦୃଷ୍ଟି’
ଇଂଲଣ୍ଡର ଲୌହମାନବୀ ମାର୍ଗାରେଟ୍ ଥାଚର୍ଙ୍କ ପ୍ରକୃତ ନାମ ଥିଲା ମାର୍ଗାରେଟ୍ ହିଲ୍ଡା ରବର୍ଟ। ୧୩ ଅକ୍ଟୋବର ୧୯୨୫ରେ ଇଂଲଣ୍ଡର ଲିଙ୍କନଶିୟର ଗ୍ରାନ୍ଥାମ୍ରେ ଜନ୍ମଗ୍ରହଣ କରିଥିଲେ ମାର୍ଗାରେଟ୍। ତାଙ୍କ ପିତା ଥିଲେ ଆଲ୍ଫ୍ରେଡ୍ ରବର୍ଟ ଓ ମାତା ଏଥେଲ ଷ୍ଟିଫେନ୍ସନ୍। ମାର୍ଗାରେଟ୍ଙ୍କ ପିଲାଦିନ ଗ୍ରାନ୍ଥାମ୍ରେ କଟିଥିଲା, ଯେଉଁଠାରେ ତାଙ୍କ ବାପାଙ୍କର ଗୋଟେ ତମାଖୁ ଦୋକାନ ଥିଲା। ଆଲ୍ଫ୍ରେଡ୍ ଜଣେ ଧର୍ମପ୍ରଚାରକ ଥିଲେ। ସେ ତାଙ୍କ ଝିଅକୁ ୱେସଲିୟାନ୍ ମେଥୋଡିଷ୍ଟ ଭାବେ ପ୍ରତିପୋଷଣ କରିଥିଲେ ଓ ଫିଙ୍କିନ୍ ଷ୍ଟ୍ରିଟ୍ ମେଥୋଡିଷ୍ଟ ଚର୍ଚ୍ଚରେ ଭର୍ତ୍ତି କରାଇଥିଲେ। ମାତ୍ର ମାର୍ଗାରେଟ୍ ଏସବୁରେ ଖୁବ୍ ସନ୍ଦେହୀ ଥିଲେ। କୌଣସି ଅଲୌକିକତାରେ ତାଙ୍କର ବିଶ୍ବାସ ନଥିଲା। ଖୁବ୍ ବାସ୍ତବବାଦୀ ଥିଲେ ସେ।
ଥାଚର ଅକ୍ସଫୋର୍ଡର ସୋମେରଭିଲ କଲେଜରେ ରସାୟନ ବିଜ୍ଞାନ ଅଧ୍ୟୟନ କରିଥିଲେ ଏବଂ ଜଣେ ବାରିଷ୍ଟର ହେବା ପୂର୍ବରୁ ରସାୟନବିଜ୍ଞାନୀ ଗବେଷିକା ଭାବରେ କାର୍ଯ୍ୟ କରିଥିଲେ। ଛାତ୍ରଜୀବନରୁ ମାର୍ଗାରେଟ୍ ରାଜନୀତିରେ ସକ୍ରିୟ ଭୂମିକା ଗ୍ରହଣ କରିଥିେଲ। ୧୯୫୯ ମସିହାରେ ଫିଞ୍ଚଲି ପାଇଁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ମାର୍ଗାରେଟ୍। ୧୯୭୦-୧୯୭୪ ସରକାରରେ ଏଡ୍ୱାର୍ଡ ହିଥ୍ ତାଙ୍କୁ ଶିକ୍ଷା ଓ ବିଜ୍ଞାନ ବିଭାଗର ସଚିବ ଭାବରେ ନିଯୁକ୍ତ ଦେଇଥିଲେ। ୧୯୭୫ରେ ସେ କଞ୍ଜରଭେଟିଭ୍ ପାର୍ଟି ନେତୃତ୍ୱାଧୀନ ନିର୍ବାଚନରେ ହିଥ୍ଙ୍କୁ ପରାସ୍ତ କରି ବିରୋଧୀଦଳ ନେତ୍ରୀ ହୋଇଥିଲେ। ଏବଂ ପ୍ରଥମଥର ପାଇଁ ଜଣେ ମହିଳା ଭାବେ ବ୍ରିଟେନରେ ଏକ ପ୍ରମୁଖ ରାଜନୈତିକ ଦଳର ନେତୃତ୍ୱ ନେଇଥିଲେ।
ମାର୍ଗାରେଟ୍ ଥାଚର ନିଜେ କେବେ ଭାବିନଥିଲେ ଯେ ଦିନେ ଜଣେ ମହିଳା ତାଙ୍କ ଦେଶରେ ପ୍ରଧାନମନ୍ତ୍ରୀ ହୋଇପାରିବେ। ଛାତ୍ରାବସ୍ଥାରୁ ତାଙ୍କଠାରେ ନେତୃତ୍ବ ନେବାର ସାମର୍ଥ୍ୟ ଓ କଳା ଦେଖି ବନ୍ଧୁମହଲରେ ତାଙ୍କୁ ‘ଦେଶର ଭାବୀ ପ୍ରଧାନମନ୍ତ୍ରୀ’ ବୋଲି ପରିହାସ ଛଳରେ କୁହାଯାଉଥିଲା। ସପ୍ତମ ଦଶକ ବେଳକୁ ସେ ବ୍ରିଟିସ କଞ୍ଜରଭେଟିଭ ଦଳର ଜଣେ ଆଗଧାଡ଼ିର ସଦସ୍ୟା ହୋଇସାରିଥାନ୍ତି। ଶ୍ରମିକ ଦଳର ଶାସନ ବେଳେ ସେ ପ୍ରଥମେ ପରିବହନ ଓ ପରେ ଶିକ୍ଷା ବିଭାଗର ଛାୟାମନ୍ତ୍ରୀ ଭାବେ ମଧ୍ୟ କାର୍ଯ୍ୟ କରିସାରିଥାନ୍ତି। ପ୍ରଧାନମନ୍ତ୍ରୀ ଏଡ୍ୱାର୍ଡ ହିଥ୍ଙ୍କ ପରେ ଦଳରେ ତାଙ୍କୁ ସବୁଠୁ ଅଧିକ ଗୁରୁତ୍ବ ମିଳୁଥିଲା। ଏ ସବୁ ଦୃଷ୍ଟିରୁ ସେ ଭବିଷ୍ୟତରେ ଦେଶର ନେତୃତ୍ବ ନେବେ ବୋଲି ବିଭିନ୍ନ ମହଲରେ କଳ୍ପନାଜଳ୍ପନା ପ୍ରକାଶ ପାଇବାରୁ ସେ ସ୍ପଷ୍ଟ ଶବ୍ଦରେ କହିଥିଲେ, ‘‘ଆମ ସମାଜ ଏତେ ପୁରୁଷ-ପ୍ରଧାନ ଯେ ଜଣେ ମହିଳା ଏଠି କେବେ ପ୍ରଧାନମନ୍ତ୍ରୀ ହେବା ଅସମ୍ଭବ।’’ ସେତେବେଳକୁ ଶ୍ରୀଲଙ୍କାର ଶିରିମାଭୋ ବନ୍ଦରାନାଏକ, ଭାରତର ଇନ୍ଦିରା ଗାନ୍ଧି ଓ ଇସ୍ରାଏଲର ଗୋଲ୍ଡା ମେୟାର ପ୍ରମୁଖ ମହିଳା ବିଭିନ୍ନ ଦେଶରେ ଶାସନ କ୍ଷମତାକୁ ଆସିସାରିଥାନ୍ତି। ଥାଚରଙ୍କୁ ମଧ୍ୟ ବେଶିଦିନ ଅପେକ୍ଷା କରିବାକୁ ପଡ଼ିଲାନି। ୧୯୭୪ରେ ତାଙ୍କ ଦଳର ପରାଜୟ ପରେ ହିଥ୍ଙ୍କୁ ହଟାଇ ଥାଚର ଦଳର ନେତୃତ୍ବ ନେଲେ। ଶ୍ରମିକ ଦଳର ଜେମ୍ସ କାଲାଘାନଙ୍କ ପ୍ରଧାନମନ୍ତ୍ରିତ୍ବ (୧୯୭୪-୭୯) ବେଳେ ଥାଚର ବିରୋଧୀ ଦଳ ନେତ୍ରୀ ରହିଲେ। ୧୯୭୯ରୁ ୯୦ ଯାଏ ସବୁଠୁ ଲମ୍ବା ସମୟ ପାଇଁ ଦେଶର ପ୍ରଧାନମନ୍ତ୍ରୀ ହେଲେ ଏହି ଲୋୖହମାନବୀ।
Follow Us