Elli Avram at women's day on 8th March 2016 shown to user
ବିଦେଶିନୀ ହୋଇ ମଧ୍ୟ ଭାରତୀୟ କଳା ଓ ସଂସ୍କୃତି ପ୍ରତି ଆକୃଷ୍ଟ ହୋଇ ଭାରତୀୟ ସିନେ ଦୁନିଆ ସମେତ ଟିଭି ଧାରାବାହିକ ଓ ୱେବ୍ ସିରିଜ୍ରେ ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଥିବା ସ୍ୱିଡିସ୍ ଅଭିନେତ୍ରୀ ଏଲି ଆବ୍ରାହାମ୍ଙ୍କ ଜୀବନଯାତ୍ରା ବେଶ ରୋଚକପୂର୍ଣ୍ଣ। ସ୍ୱିଡେନ୍ ରାଜଧାନୀ ଷ୍ଟକ୍ହୋମ୍ ଠାରେ ୧୯୯୦ ଜୁଲାଇ ୨୯ରେ ଏକ କଳାକାର ପରିବାରରେ ଜନ୍ମିତ ଏଲିଙ୍କର ପିତା ଜଣେ ସଂଗୀତକାର ଏବଂ ମାଆ ଜଣେ ଅଭିନେତ୍ରୀ। ତେବେ ପିଲାଟି ବେଳୁ ଭାରତୀୟ ନୃତ୍ୟ ଓ ରଙ୍ଗିନ୍ ବେଶଭୂଷା ପ୍ରତି ଏକ ଅହେତୁକ ଦୁର୍ବଳତା ରହି ଆସିଥିବା ଏଲିଙ୍କର ଜଣେ ଭାରତୀୟ ଅଭିନେତ୍ରୀ ହେବାର ସ୍ୱପ୍ନ ଧୀରେ ଧୀରେ ସାକାର ହେବାକୁ ଲାଗିଥିଲା। ବିଶେଷ କରି ହିନ୍ଦୀ ଫିଲ୍ମ ‘ଦେବଦାସ’ ଦ୍ୱାରା ସେ ଏପରି ପ୍ରଭାବିତ ହୋଇପଡ଼ିଥିଲେ ଯେ ନିଜକୁ ଜଣେ ନର୍ତ୍ତକୀ ତଥା ଅଭିନେତ୍ରୀ ହେବାକୁ ସଂକଳ୍ପ କରି ବସିଥିଲେ। ସେଥିପାଇଁ ସେ ନିୟମିତ ହିନ୍ଦୀ ଫିଲ୍ମର ଭିଡିଓ କିଣି ଘରେ ଉପଭୋଗ କରିବା ସହ ୧୭ ବର୍ଷ ବୟସରେ ଷ୍ଟକ୍ହୋମ୍ ସ୍ଥିତ ‘ପରଦେଶୀ ଡ୍ୟାନ୍ସ ଗ୍ରୁପ୍’ ଅନୁଷ୍ଠାନ ମାଧ୍ୟମରେ ନୃତ୍ୟ ପ୍ରଦର୍ଶନ ଆରମ୍ଭ କରିଥିଲେ।
The Hans Indiaତେବେ ୨୦୧୨ ମସିହାରେ ସେ ମୁମ୍ବାଇରେ ନିଜର ଅଭିନୟ ଦକ୍ଷତାକୁ ପରଖିବା ପାଇଁ ଏକ ପର୍ଯ୍ୟଟକ ଭିସା ବଳରେ ଭାରତ ଚାଲି ଆସିଥିଲେ। ଏଠାରେ ସେ ବିଭିନ୍ନ ବିଜ୍ଞାପନ ସଂସ୍ଥା ସହ କାମ କରିବାର ସୁଯୋଗ ପାଇ ଭାରତରେ ରହିବା ଲାଗି ଓ୍ୱାର୍କିଂ ଭିସା ମଧ୍ୟ ହାସଲ କରିଥିଲେ। ତେବେ ଅଭିନୟ କ୍ଷେତ୍ରକୁ ତାଙ୍କର ପ୍ରଥମ ପ୍ରମୁଖ ପଦାର୍ପଣ ହୋଇଥିଲା ରୋମାଞ୍ଚଭରା ହାସ୍ୟରସାତ୍ମକ ଫିଲ୍ମ ‘ମିକି ଭାଇରସ’ ମାଧ୍ୟମରେ। ଅନ୍ୟତମ ବିଦେଶିନୀ ଅଭିନେତ୍ରୀ କାଟ୍ରିନା କୈଫ୍ଙ୍କ ଚେହେରା ସହ ସାମଞ୍ଜସ୍ୟ ଥିବା ଏଲିଙ୍କୁ ଦର୍ଶକ ଖୁବ୍ ଗ୍ରହଣ କରିଥିଲେ। ଏହାପରେ ଟିଭି ଧାରାବାହିକ ‘ବିଗ୍ ବସ୍-୭’ ଓ ‘ଝଲକ ଦିଖଲା ଯା’ରେ ତାଙ୍କ ଅଭିଜ୍ଞତା ତାଙ୍କୁ ୨୦୧୪ର ଫିଲ୍ମ ‘ଉଙ୍ଗଲି’ରେ ଏକ ସ୍ବତନ୍ତ୍ର ଭୂମିକା ନିଭାଇବା ଲାଗି ସୁଯୋଗ ଆଣିଥିଲା।
Koimoiତେବେ ତାଙ୍କ ପାଇଁ କଳ୍ପନାତୀତ ଦର୍ଶକୀୟ ସ୍ବୀକୃତି ମିଳିଥିଲା ୨୦୧୫ର ଫିଲ୍ମ ‘କିସ୍ କିସ୍ କୋ ପ୍ୟାର କରୁଁ’ରେ। ଏହା ପଛକୁ ପଛ ‘ଓ୍ୱାନ୍ ନାଇଟ୍ ସୋ’, ‘ନାମ୍ ସବାନା’ ଓ ‘ପୋଷ୍ଟର ବୟଜ୍’ ପରି ହିନ୍ଦୀ ସିନେମା ସାଙ୍ଗକୁ ଟିଭି ସୋ’ ‘ଦି ଗ୍ରେଟ୍ ଇଣ୍ଡିଆନ୍ ଲାଫ୍ଟର ଚାଲେଞ୍ଜ’ରେ ତାଙ୍କର ଭୂମିକାକୁ ମଧ୍ୟ ଦର୍ଶକ ଖୁବ୍ ତାରିଫ କରିଥିଲେ। ଏହାପରେ ନିୟମିତ ହିନ୍ଦୀ ଫିଲ୍ମରେ ଅଭିନୟ ଜାରି ରଖିବା ସହ ସେ ମଧ୍ୟ କିଛି ତେଲୁଗୁ, କନ୍ନଡ଼ ଓ ତାମିଲ ଭାଷାର ସିନେମାରେ ଦେଖିବାକୁ ମିଳିଥିଲେ। ଗତବର୍ଷ ମୁକ୍ତିଲାଭ କରିଥିବା ‘କୋଇ ଜାନେ ନା’ ସିନେମାରେ ତାଙ୍କୁ ଆଶାନୁରୂପ ସନ୍ତୋଷ ମିଳିଥିବା ବେଳେ ଚଳିତ ବର୍ଷ ଆସିବାକୁ ଥିବା ହିନ୍ଦୀ ଓ ଇଂରେଜୀ ଦ୍ବିଭାଷୀ ଫିଲ୍ମ ‘ପିଆନୋ’ ଓ ହିନ୍ଦୀ ସିନେମା ‘ଗଣପତ’ ପାଇଁ ସେ ବେଶ ଉତ୍ସାହିତ ଅଛନ୍ତି।
Follow Us