sambhu Photograph: (sambad.in)
ଅରିନ୍ଦମଙ୍କ ଅଭିନୀତ ‘ଲଭ୍ ୟୁ ହମେଶା’ ଓ ବାବୁସାନ୍ଙ୍କ ଅଭିନୀତ ‘ବିଦ୍ୟାରାଣ’ରେ ଖଳନାୟକ ଭାବେ ନଜର ଆସିଥିବା ଯାତ୍ରା ଜଗତର ଜଣାଶୁଣା ଅଭିନେତା ପୀୟୂଷ ତ୍ରିପାଠୀଙ୍କୁ ଓଡ଼ିଆ ସିନେପ୍ରେମୀ ପୁଣି ଥରେ ବଡ଼ପରଦାରେ ଦେଖିବାକୁ ପାଇବେ। ନୂଆ ଓଡ଼ିଆ ଛବି ‘ଶମ୍ଭୁ’ରେ ଆଉ ଥରେ ଖଳନାୟକୀ କରୁଛନ୍ତି ସେ। ଏଥିରେ ପୀୟୂଷଙ୍କ ଅଭିନୀତ ଚରିତ୍ରର ନାଆଁ ରହିଛି କେଳୁ କୁଅଁର। ବ୍ରହ୍ମପୁରିଆ ଯୁବକ କେଳୁ ରାଜଧାନୀରେ ରହନ୍ତି। ଜଣେ ମନ୍ତ୍ରୀଙ୍କ ଛତ୍ରଛାୟା ତଳେ ରହି ଅପରାଧ ଦୁନିଆରେ ନିଜର ଦବଦବା ଜାହିର କରନ୍ତି। ଘଟଣାକ୍ରମେ ନାୟକ ଶମ୍ଭୁଙ୍କ ସହ କେଳୁ କୁଅଁରର ଶତ୍ରୁତା ହୁଏ। ଶେଷରେ ଏହି ଶତ୍ରୁତା କିଭଳି ରୂପନିଏ ତାହା ଜାଣିବାକୁ ହେଲେ ଆପଣଙ୍କୁ ଚଳଚ୍ଚିତ୍ରର ରିଲିଜ୍ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ। ଆକ୍ସନ୍ରେ ଭରପୂର ଏହି କାହାଣୀରେ ଜବରଦସ୍ତ ଟୁଇଷ୍ଟ୍ ରହିଛି ବୋଲି କହିଛନ୍ତି ନିର୍ଦ୍ଦେଶକ ଏସ୍ ଦିଲୀପ ପଣ୍ଡା।
ଏହି ଫିଲ୍ମର ନାୟକ ଶମ୍ଭୁ ଭୂମିକାରେ ଅଛନ୍ତି ଶୁଭମ୍। ତମନ୍ନା, ଜୀବନ ପଣ୍ଡା, ହରିହର ମହାପାତ୍ର, ବାବୁ ପ୍ରଧାନ, ଚିନ୍ତାମଣି ବିଶ୍ୱାଳ, କେକେ, ଡିସ୍କୋ ରେଡ୍ଡୀ, ବ୍ଲାକ୍ ରବି ଓ ଶିଶୁ କଳାକାର ବିନପ୍ସା ଜେନା ପ୍ରମୁଖ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ନଜର ଆସିବେ। ଫାଇଟ୍ ମାଷ୍ଟର୍ ଶୈଳେନ୍ଦ୍ର ଏହାର ଷ୍ଟଣ୍ଟ୍ ଡିରେକ୍ଟର୍। ଅନୁପମା ମୁଭିଜ୍ ବ୍ୟାନର୍ରେ ନିର୍ମିତ ତଥା ବିଭୂତି ଜେନାଙ୍କ ପ୍ରଯୋଜିତ ‘ଶମ୍ଭୁ’ର ସଂଳାପକାର ଡକ୍ଟର ରଜନୀରଂଜନ ଓ ସଙ୍ଗୀତକାର ଦୀପକ କୁମାର।
Follow Us