ଭାଗ୍ୟଶ୍ରୀଙ୍କ ଭାଗ୍ୟରେ ଭଟ୍ଟା

Advertisment
ଭାଗ୍ୟଶ୍ରୀଙ୍କ ଭାଗ୍ୟରେ ଭଟ୍ଟା

(representational immage) Lokmat.com

ଆଞ୍ଚଳିକ ଭାଷାରେ ଯେତେ ସୁନାମ ଅର୍ଜନ କଲେ ମଧ୍ୟ ଜଣେ କଳାକାର ପାଇଁ ହିନ୍ଦୀ ଶିଳ୍ପରେ ପ୍ରସିଦ୍ଧି ଲାଭ କରିବାର ଏକ ଗୋପନ ଇଚ୍ଛା ରହିଥାଏ। ସେହିପରି ହିନ୍ଦୀ ଫିଲ୍ମ ନିର୍ମାଣର ପେଣ୍ଠ ମୁମ୍ବାଇ ସହର ହୋଇଥିବାରୁ ସାଧାରଣତଃ ମରାଠୀ କଳାକାରଙ୍କ ପାଇଁ ସେପରି ଉପଲବ୍‌ଧି ହାସଲ କରିବା ସହଜ ହୋଇଥାଏ। ମାତ୍ର ଅଗ୍ରଣୀ ମରାଠୀ ଅଭିନେତ୍ରୀ ଭାଗ୍ୟଶ୍ରୀ ମୋଟେଙ୍କ ଭାଗ୍ୟରେ ସେଭଳି କିଛି ଈପ୍‌ସିତ ପରିବର୍ତ୍ତନ ଘଟୁନଥିବାରୁ ସେ ମାନସିକ ଅବସାଦରେ ଅଛନ୍ତି। ନିଜ ଏଗାର ବର୍ଷର ଅଭିନୟ ଜୀବନ ଭିତରେ ଆଠଟି ମରାଠୀ ଫିଲ୍ମରେ ନାୟିକା ସାଜିବା ସହ ଦୁଇଟି ମରାଠୀ ଧାରାବାହିକ ଓ ଦୁଇଟି ହିନ୍ଦୀ ଧାରାବାହିକରେ ଅଭିନୟ କରି ଦର୍ଶକଙ୍କୁ ମୁଗ୍‌ଧ କରିପାରିଥିବା ଭାଗ୍ୟଶ୍ରୀ ଏଯାଏ ମାତ୍ର ଗୋଟିଏ ହିନ୍ଦୀ ସିନେମାରେ ସୁଯୋଗ ପାଇଛନ୍ତି, ତାହା ପୁଣି ଆଶାନୁରୂପ ସଫଳତା ହାସଲ କରିପାରିନାହିଁ।

ତେବେ ଭାଗ୍ୟରୁ ଭଟ୍ଟା ଦିନେ ନା ଦିନେ ହଟିବ ଏବଂ ସେ ହିନ୍ଦୀ ସିନେମାରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ପାଇବେ ବୋଲି ଆଶା ରଖିଛନ୍ତି। ମହାରାଷ୍ଟ୍ରର ମାଣ୍ଡଵା ଠାରେ ୧୯୯୪ ସେପ୍ଟେମ୍ବର ୨୭ରେ ଜନ୍ମ ନେଇଥିବା ଭାଗ୍ୟଶ୍ରୀ କିଶୋରାବସ୍ଥାରୁ ହିଁ ମୁମ୍ବାଇରେ ପ୍ରତିପାଳିତ। ସେ ଅର୍ଥଶାସ୍ତ୍ରରେ ସ୍ନାତକ ଡିଗ୍ରି କରୁଥିବା ସମୟରେ ବିଭିନ୍ନ ବ୍ୟାବସାୟିକ ନାଟକରେ ଅଭିନୟ କରିବାର ସୁଯୋଗ ପାଇଥିଲେ ଯାହା କି ତାଙ୍କୁ ଅଭିନୟରେ ଜୀବନ ଗଢ଼ିବା ପାଇଁ ଖୋରାକ ଯୋଗାଇଥିଲା। ୨୦୧୧ରେ ମରାଠୀ ଫିଲ୍ମ ‘ସୋଧୁ କୁଠେ’ରେ ପ୍ରଥମ ପଦାର୍ପଣ କରି ସେ ଅନ୍ୟମାନଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ। ୨୦୧୩ରେ ଟିଭି ଧାରାବାହିକ ‘ଦେବୋଁ କେ ଦେବ ମହାଦେବ’ରେ ତାଙ୍କର ଏକ ସଂକ୍ଷିପ୍ତ ଭୂମିକା ହିନ୍ଦୀ ଦର୍ଶକଙ୍କ ମନକୁ ଛୁଇଁଥିଲା।

ଏହାପରେ ମରାଠୀ ଧାରାବାହିକ ‘ଦେବଯାନୀ’ର ଶୀର୍ଷକ ଭୂମିକା ତାଙ୍କୁ ଲୋକପ୍ରିୟ କରାଇଥିଲା। ଏହି ଅବସରରେ ଦୀର୍ଘ ତିନି ବର୍ଷ ପାଇଁ ସେ ଫିଲ୍ମ ଜଗତ୍‌ରୁ ଦୂରେଇ ଯାଇଥିବା ବେଳେ ୨୦୧୭ରେ ମରାଠୀ ଫିଲ୍ମ ‘କାୟ ରେ ରସ୍କାଲା’ ମାଧ୍ୟମରେ ପ୍ରତ୍ୟାବର୍ତ୍ତନ କରିଥିଲେ। ଏଥି ସହିତ ୨୦୧୯ରେ ତେଲୁଗୁ ଫିଲ୍ମ ‘ଚିକଟି ଗାଦିଲୋ ଚିଠାକୋଡୁଲୁ’ରେ ମଧ୍ୟ ନିଜର ଭାଗ୍ୟ ପରଖିଥିଲେ। ଏହାପରେ ଆଉ ଦୁଇଟି ମରାଠୀ ଫିଲ୍ମରେ ଅଭିନୟ କରି ସେ ୨୦୨୧ରେ ହିନ୍ଦୀ ଫିଲ୍ମ ‘ଭବାଇ’ ମାଧ୍ୟମରେ ଜାତୀୟସ୍ତରୀୟ ଦର୍ଶକଙ୍କ ପାଖରେ ପହଞ୍ଚିବାକୁ ଚେଷ୍ଟା କରିଥିଲେ। ମାତ୍ର ତାଙ୍କୁ ସେଭଳି ସଫଳତା ମିଳିନଥିଲା। ତଥାପି ମରାଠୀ ଧାରାବାହିକ ଓ ଫିଲ୍ମ ମାଧ୍ୟମରେ ସେ ତାଙ୍କର ଅଧ୍ୟବସାୟ ଜାରି ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe