ପ୍ରଖ୍ୟାତ ଅଭିନେତା ଉତ୍ତମ ମହାନ୍ତିଙ୍କ ଦେହାନ୍ତ ପରେ ବାବୁସାନ୍ଙ୍କ ନୂଆ ସିନେମା ‘ବୋଉ ଭୁଟ୍ଟୁ ଭୂତ’ର ସୁଟିଂ ଅଧାରେ ଅଟକିଯାଇଥିଲା। ହେଲେ ନିକଟରେ ଏହାର ସମସ୍ତ ସୁଟିଂ ଶେଷ ହୋଇଛି। ଏହାର ଶେଷ ପର୍ଯ୍ୟାୟ ସୁଟିଂ କଟକ ଜିଲ୍ଲା ଆଠଗଡ଼ଠାରେ କରାଯାଇଛି। ‘ବୋଉ ଭୁଟ୍ଟୁ ଭୂତ’ ଏକ ସସ୍ପେନ୍ସ ଡ୍ରାମା। ଏଥିରେ ପୁଣିଥରେ ଅର୍ଚ୍ଚିତାଙ୍କୁ ବାବୁସାନ୍ଙ୍କ ନାୟିକା ଭାବେ ଦେଖିବାକୁ ପାଇବେ ଦର୍ଶକ। ଏଥିରେ ଦିବଂଗତ ଉତ୍ତମ ମହାନ୍ତି ଓ ଅପରାଜିତାଙ୍କୁ ବି ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ।
ଏହାଛଡ଼ା ଚୌଧୁରୀ ଜୟପ୍ରକାଶ ଦାସ, କେ କେ, ରବି ମିଶ୍ର ଓ ଉଦିତ ଗୁରୁ ପ୍ରମୁଖ ବି ଏହି ସିନେମାରେ ଅଭିନୟ କରିଛନ୍ତି। ‘ଗ୍ୟାଙ୍ଗସ୍ ଅଫ୍ ପୁରୀ’ ଫେମ୍ ଜଗଦୀଶ ମିଶ୍ର ‘ବୋଉ ଭୁଟ୍ଟୁ ଭୂତ’ର ନିର୍ଦ୍ଦେଶନା ଦେଇଛନ୍ତି। ଏହି ଫିଲ୍ମର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଛନ୍ତି ମହମ୍ମଦ ଇମ୍ରାନ୍। ପ୍ରଣବପ୍ରସନ୍ନ ରଥ ଏହାର ସଂଳାପ ରଚନା କରିଥିବା ବେଳେ ପ୍ରଯୋଜନା କରିଛନ୍ତି ତୃପ୍ତି ଶତପଥୀ। ବାବୁସାନ୍ ଫିଲ୍ମସ୍ ବ୍ୟାନର୍ରେ ନିର୍ମିତ ଏହି ଛବିର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଗୌରବ ଆନନ୍ଦ। ଇତିମଧ୍ୟରେ ‘ବୋଉ ଭୁଟ୍ଟୁ ଭୂତ’ର ପ୍ରଥମ ଟିଜର୍ ବି ସାମ୍ନାକୁ ଆସିଛି, ଯାହାକୁ ସିନେପ୍ରେମୀ ପସନ୍ଦ କରିଛନ୍ତି। ଆଗରୁ ‘ଦମନ’, ‘ମାଲ୍ୟଗିରି’ ଓ ‘ପାବାର’ ଭଳି ଭିନ୍ନ ଧାରାର ଛବିରେ ନଜର ଆସିଥିବା ବାବୁସାନ୍ଙ୍କ ଏହି ସିନେମା ରଜ ଅବସରରେ ମୁକ୍ତିଲାଭ କରିବ ବୋଲି ଜଣାଯାଇଛି।
Follow Us