୧୯୬୯ ମସିହାର ଶେଷଭାଗ। ଛାୟାବାଣୀ ପ୍ରତିଷ୍ଠାନ ଶ୍ରୀମତୀ କୁନ୍ତଳା କୁମାରୀ ଆଚାର୍ଯ୍ୟଙ୍କ ଲିଖିତ ଉପନ୍ୟାସ ‘ଅଦିନ ମେଘ’କୁ ଚିତ୍ରରୂପ ଦେଉଥାଆନ୍ତି। ସଂଗୀତ ନିର୍ଦ୍ଦେଶକ ବାଳକୃଷ୍ଣ ଦାଶଙ୍କ ତତ୍ତ୍ବାବଧାନରେ ‘ଅଦିନ ମେଘ’ ଚଳଚ୍ଚିତ୍ରର ସ୍ବର ସଂଯୋଜନା କାର୍ଯ୍ୟ ଚାଲିଥାଏ କଟକର କଳା ବିକାଶ କେନ୍ଦ୍ରରେ। ଏଇ ସମୟରେ ଦିନେ ଗାୟିକା ସ୍ବାଗତିକା ରଥ ଓ ତାଙ୍କ ବାପା ସେଠାକୁ ଆସି ବାଳକୃଷ୍ଣବାବୁଙ୍କୁ ଦେଖା କରନ୍ତି ଏବଂ ସ୍ବାଗତିକାଙ୍କ ହାତରେ ଥାଏ ଗୀତିକାର ଗୌରାଙ୍ଗ ସାମନ୍ତରାୟଙ୍କ ହାତଲେଖା ଗୀତଟିଏ। ସେ ବାଳକୃଷ୍ଣବାବୁଙ୍କୁ ଏହି ଗୀତଟି ଦେଖାଇ ତାକୁ ସ୍ବର କରିବା ପାଇଁ ଅନୁରୋଧ କରନ୍ତି। ବାଳକୃଷ୍ଣବାବୁ ଗୀତଟିକୁ ପଢ଼ି ଖୁବ୍ ଖୁସି ହୁଅନ୍ତି। 

Advertisment

Protest: ଛତ୍ରପୁର ପୌରପାଲିକାରେ ମିଶ୍ରଣକୁ ବିରୋଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

 ବୋଉଲୋ କି କହିବି... ଗୀତା ଥିଲେ ପ୍ରଥମ ପସନ୍ଦ

ତା’ ପରେ ସଂଗୀତ ସୁଧାକର ବାଳକୃଷ୍ଣ ହାର୍‌ମୋନିୟମ୍ ଧରି ଗୀତଟିର ସ୍ବର କରିବସନ୍ତି। ତାଙ୍କ ପାଖରେ ଉପସ୍ଥିତ ଥାଆନ୍ତି ସେ ସମୟର ଦୁଇ ଉଦୀୟମାନ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକ ଓ ତୃପ୍ତି ଦାସ। ପରବର୍ତ୍ତୀ ସମୟରେ ସେମାନେ ଓଡ଼ିଶାର ଦୁଇ ଜଣ ଲବ୍‌ଧପ୍ରତିଷ୍ଠ ଗାୟିକା ଭାବେ ଆତ୍ମପ୍ରକାଶ କରନ୍ତି। ଲେଖାଟିକୁ ବାଳକୃଷ୍ଣବାବୁ ସ୍ୱରରେ ଢାଳିବା ପରେ ତାହା ଚମତ୍କାର ଶୁଣାଯାଏ। ସ୍ବର ଶୁଣି ସମସ୍ତେ ଖୁବ୍ ଉତ୍ସାହିତ ହୋଇପଡ଼ନ୍ତି। ସଂଗୀତ ନିର୍ଦ୍ଦେଶକ ବାଳକୃଷ୍ଣ ଦାଶଙ୍କ ମନକୁ କଥାଟିଏ ଆସେ- ଏହି ଗୀତକୁ ‘ଅଦିନ ମେଘ’ରେ ସ୍ଥାନିତ କଲେ କେମିତି ହୁଅନ୍ତା? କାରଣ ଦିଅର-ଭାଉଜ ସଂପର୍କର ମାଧୁର୍ଯ୍ୟ ଗୀତଟିରେ ନିଚ୍ଛକ ଭାବେ ପ୍ରତିଫଳିତ ହୋଇଥିଲା। ସେ ପ୍ରଯୋଜକ ବାବୁଲାଲ୍ ଦୋଶୀ ଓ ନିର୍ଦ୍ଦେଶକ ଅମିତ୍ ମୈତ୍ରଙ୍କୁ ଗୀତଟି ଶୁଣାନ୍ତି ଓ ସେ ଦୁହିଁଙ୍କର ବି ପସନ୍ଦ ହୁଏ। ତା’ ପରେ ପ୍ରଶ୍ନ ଉଠେ, ଏହି ଗୀତଟିକୁ କିଏ ଗାଇବ?

Dharmendra Pradhan: ଦ୍ୱିପାକ୍ଷିକ ଏକାଡେମିକ, ଗବେଷଣା ସହଯୋଗ ଅଧିକ ସୁଦୃଢ଼ ହେବ: ଧର୍ମେନ୍ଦ୍ର

ସ୍ବରକାର ବାଳକୃଷ୍ଣ ଦାଶ ପ୍ରଥମେ ଗୀତା ପଟ୍ଟନାୟକଙ୍କ କଣ୍ଠରେ ଏହାକୁ ରେକର୍ଡ କରାଯିବା କଥା ଚିନ୍ତା କରନ୍ତି। ଏଥିପାଇଁ ଗୀତାଙ୍କର ଭଏସ୍ ଟେଷ୍ଟ୍ ନିଆଯାଏ, କିନ୍ତୁ ତାଙ୍କର କଣ୍ଠସ୍ବର ଥିଲା ଖୁବ୍‌ ପତଳା। ଯେହେତୁ ଗୀତଟି ଜଣେ ବାଳକ ଉପରେ ଦୃଶ୍ୟାୟିତ ହେବ ବୋଲି ନିର୍ଦ୍ଦେଶକ ସ୍ଥିର କରିଥାଆନ୍ତି, ଏଣୁ ଅପେକ୍ଷାକୃତ ମୋଟା ନାରୀକଣ୍ଠର ଆବଶ୍ୟକତା ଦେଖାଦିଏ। ତା’ ପରେ ତୃପ୍ତି ଦାସଙ୍କ ସ୍ବର ପରୀକ୍ଷା କରାଯାଏ ଓ ତାଙ୍କ ଗଳା ପାତ୍ରୋପଯୋଗୀ ବୋଲି ହୃଦୟଙ୍ଗମ ହୁଏ। ଶେଷରେ ଗୀତାଙ୍କ ଲାଗି ସ୍ଥିରୀକୃତ ଗୀତଟି ତୃପ୍ତି ଦାସଙ୍କ କଣ୍ଠରେ ରେକର୍ଡ କରାଯାଏ। ‘ଅଦିନ ମେଘ’ର ଅନ୍ୟସବୁ ଗୀତ ଭଳି ‘ବୋଉଲୋ କି କହିବି ନୂଆ ଭାଉଜଙ୍କ କଥା...’ ବେଶ୍‌ ଲୋକପ୍ରିୟ ହୁଏ। ଏହା ତୃପ୍ତି ଦାସଙ୍କ ପ୍ରଥମ ସଫଳ ଚଳଚ୍ଚିତ୍ର ଗୀତର ମାନ୍ୟତା ପାଇବା ସଙ୍ଗେ ସଙ୍ଗେ ତାଙ୍କ କ୍ୟାରିୟରର ଏକ ମାଇଲ୍‌ଖୁଣ୍ଟ ହୋଇଯାଏ।
- ଶିବଶଙ୍କର ଓଝା