ବନ୍ଧୁତାର ପରାକାଷ୍ଠା ଓ ଅଲିଭା କ୍ଷତ

ଇଣ୍ଟର୍‌ନେଟ୍‌ରେ ଗୋଟିଏ ଫଟୋ ଦେଖିବା ପରେ ସାମ୍ବାଦିକ ବଶାରତ ପୀର ସେହି ଫଟୋର ଦୁଇ ଚରିତ୍ରଙ୍କୁ ନେଇ ଏକ ସମ୍ବାଦପତ୍ର ସ୍ତମ୍ଭ ଲେଖିଥିଲେ। ତାକୁ ନେଇ ନିର୍ଦେଶକ ନୀରଜ ଘେଵାନ ନିର୍ମାଣ କରିଛନ୍ତି ତାଙ୍କର ଦ୍ବିତୀୟ  ଚଳଚ୍ଚିତ୍ର ‘ହୋମ୍‌ବାଉଣ୍ଡ୍‌’।

homebound

Photograph: (The Hollywood Reporter India)

ଇଣ୍ଟର୍‌ନେଟ୍‌ରେ ଗୋଟିଏ ଫଟୋ ଦେଖିବା ପରେ ସାମ୍ବାଦିକ ବଶାରତ ପୀର ସେହି ଫଟୋର ଦୁଇ ଚରିତ୍ରଙ୍କୁ ନେଇ ଏକ ସମ୍ବାଦପତ୍ର ସ୍ତମ୍ଭ ଲେଖିଥିଲେ। ତାକୁ ନେଇ ନିର୍ଦେଶକ ନୀରଜ ଘେଵାନ ନିର୍ମାଣ କରିଛନ୍ତି ତାଙ୍କର ଦ୍ବିତୀୟ  ଚଳଚ୍ଚିତ୍ର ‘ହୋମ୍‌ବାଉଣ୍ଡ୍‌’। ନୀରଜଙ୍କ ପ୍ରଥମ ଚଳଚ୍ଚିତ୍ର ‘ମଶାନ’ ଯେଉଁ ଉଚ୍ଚ ମାନ ନିର୍ଦ୍ଧାରଣ କରିଥିଲା ତାହାକୁ କୋଭିଡ୍‌ ଲକ୍‌ଡାଉନ୍‌ ବେଳର ଏକ କାହାଣୀ ଅତିକ୍ରମ କରିପାରିବା ନେଇ ସନ୍ଦେହ ରଖି ‘ହୋମ୍‌ବାଉଣ୍ଡ୍‌’ ଦେଖିବାକୁ ପଡ଼ିଲା। କିନ୍ତୁ ଦେଖିଲା ପରେ ମନେ ହେଉଛି, ‘ମଶାନ’ ଯଦି ମନରେ ସହାନୁଭୂତି ଜଗାଇଥିଲା ତେବେ ‘ହୋମ୍‌ବାଉଣ୍ଡ୍‌’ ପାଦେ ଆଗକୁ ଯାଇ ସମାନୁଭୂତି ଅନୁଭବ କରାଇଛି। ଏହାର କାହାଣୀ କୋଭିଡ୍‌ ଲକ୍‌ଡାଉନ୍‌ରେ ଗାଁ ଫେରନ୍ତା ପ୍ରବାସୀଙ୍କ ଉପରେ କେନ୍ଦ୍ରିତ ନୁହେଁ, ଏହା ମୂଳତଃ ଦୁଇ ବାଲ୍ୟ ବନ୍ଧୁଙ୍କ ସଂଘର୍ଷର କାହାଣୀ, ଯେଉଁଥିରେ ଭାରତର ଅଧିକାଂଶ ଯୁବକ ନିଜ ଜୀବନ ସହ ସମାନତା ବାରିପାରିବେ। ଜାତିବାଦ ଓ ଧାର୍ମିକ ବିଦ୍ବେଷର ପରିବେଶ ଭିତରେ ସରକାରୀ ଚାକିରି ପାଇବାର ସଂଘର୍ଷ ସେମାନଙ୍କ ବନ୍ଧୁତା ତଥା ଧୈର୍ଯ୍ୟର ପରୀକ୍ଷା ନେଉଛି।
ଚଳଚ୍ଚିତ୍ରର ପ୍ରଥମ ଦୃଶ୍ୟରେ ଶୋଏବ ଅଲୀ (ଈଶାନ ଖଟ୍ଟର) ଓ  ଚନ୍ଦନ କୁମାର (ବିଶାଲ ଜେଠଵା) ଟ୍ରେନ୍‌ ଷ୍ଟେସନରେ ଛିଡ଼ା ହୋଇ ଯୁକ୍ତି କରୁଛନ୍ତି। ଚନ୍ଦନ ପରୀକ୍ଷା ଆଶାୟୀଙ୍କ ଭିଡ଼କୁ ଦେଖି ପରୀକ୍ଷା ଦେବାକୁ ଯିବା ପାଇଁ ଚାହୁଁନାହିଁ, କିନ୍ତୁ ଶୋଏବ ତାକୁ କୌଣସିମତେ ବୁଝାଇ ପରୀକ୍ଷା କେନ୍ଦ୍ରକୁ ନେଇଯାଉଛି। ଷ୍ଟେସନରେ ଚନ୍ଦନର ଦେଖା ହେଉଛି ସୁଧା ଭାରତୀ (ଜାହ୍ନବୀ କପୁର) ସହିତ, କିଛି କ୍ଷଣର ସାକ୍ଷାତରେ ଉଭୟଙ୍କ ଭିତରେ ବନ୍ଧୁତା ଗଢ଼ିଉଠୁଛି।

ଦୀର୍ଘ ପ୍ରତୀକ୍ଷା ପରେ ଯେଉଁ ଫଳାଫଳ ବାହାରୁଛି ସେଥିରେ ଜଣେ ବନ୍ଧୁ ହିଁ କୃତକାର୍ଯ୍ୟ ହେଉଛି। ଏହା ସେମାନଙ୍କ ବନ୍ଧୁତାରେ ସାମୟିକ ଫାଟ ସୃଷ୍ଟି କରୁଛି। ହେଲେ ପରୀକ୍ଷାରେ ଦୁର୍ନୀତି ଯୋଗୁଁ ନିଯୁକ୍ତି ପ୍ରକ୍ରିୟା ବାତିଲ ହୋଇଯାଉଛି। ପରିସ୍ଥିତିର ବାଧ୍ୟବାଧକତା ସେମାନଙ୍କୁ ନେଇ ପହଞ୍ଚାଇଦେଉଛି ସୁରଟର କପଡ଼ା ମିଲ୍‌ରେ। ଯନ୍ତ୍ରସମ ଜୀବନରେ ସେମାନେ ପରିବାରର ଦାୟିତ୍ବ ତୁଲାଇବା ଆରମ୍ଭ କରୁଥିବା ବେଳେ ଆରମ୍ଭ ହୋଇଯାଉଛି କୋଭିଡ୍‌ ଲକ୍‌ଡାଉନ୍‌। ଚାରିଆଡ଼େ ଯେତେବେଳେ ବିଶ୍ବାସର ସଙ୍କଟ, ସେତେବେଳେ ହିଁ ଚନ୍ଦନ ଓ ଶୋଏବଙ୍କୁ ବନ୍ଧୁତାର ଚରମ ପରୀକ୍ଷା ଦେବାକୁ ପଡୁଛି- ଏ ପରୀକ୍ଷାରେ ଉଭୟ ପୂରା ନମ୍ବର ପାଇ ଉତ୍ତୀର୍ଣ୍ଣ ହେଉଛନ୍ତି। 

ଏହି ଚଳଚ୍ଚିତ୍ରରେ ଆମ ସମୟର ଅନେକ ଅପ୍ରୀତିକର କଥାକୁ ସୂକ୍ଷ୍ମ ଢଙ୍ଗରେ ପ୍ରକାଶ କରାଯାଇଛି। ଗୋଟିଏ ଦୃଶ୍ୟରେ ଶୋଏବ କାମ କରୁଥିବା କମ୍ପାନିର ମାଲିକ କ୍ରିକେଟ୍‌ ମ୍ୟାଚ୍‌ ପାର୍ଟିର ଆୟୋଜନ କରିଛନ୍ତି, ସେଠାରେ ଶୋଏବକୁ ଅନ୍ୟମାନେ ପାକିସ୍ତାନ ଦଳର ସମର୍ଥକ ଦର୍ଶାଇ ଅପମାନିତ କରୁଛନ୍ତି। ହେଲେ ଶୋଏବ ନିଜ ମାଟିର ମମତା ପାଇଁ ଦୁବାଇରେ ଚାକିରି ସୁଯୋଗକୁ ପ୍ରତ୍ୟାଖ୍ୟାନ କରିଛି। ସେହିପରି ଚନ୍ଦନ ଜଣେ ଦଳିତ, କିନ୍ତୁ ଆରକ୍ଷଣ ସହ ଜଡ଼ିତ ଅପବାଦରୁ ବର୍ତ୍ତିବାକୁ ସେ ସବୁ ପରୀକ୍ଷାରେ ‘ଜେନେରାଲ୍‌’ ବର୍ଗରେ ଆବେଦନ କରିଆସିଛି। ଲକ୍‌ଡାଉନ୍‌ରେ ଚାଲିଚାଲି ଘରକୁ ଫେରୁଥିବା ସମୟର ଏକ ଦୃଶ୍ୟରେ ପାଣି ମୁନ୍ଦାଏ ପାଇଁ ବିକଳ ହେଉଥିବା ଦୁଇ ସାଙ୍ଗ ଗୋଟିଏ ଗାଁରେ ପହଞ୍ଚିବା ପରେ ସଂକ୍ରମଣ ଭୟରେ ଗ୍ରାମବାସୀ ତଡ଼ିଦେଉଛନ୍ତି, ହେଲେ ଜଣେ ବୃଦ୍ଧା ସେମାନଙ୍କ ହାତକୁ ପାଣି ବଢ଼ାଇଦେଉଛନ୍ତି। ଚନ୍ଦନ ତା’ ମାଆଙ୍କ ଫଟା ପାଦର ଯତ୍ନ ପାଇଁ ଅତି ଆଦରରେ ଆଣିଥିବା ଚପଲ ଯେତେବେଳେ ତା’ ମାଆଙ୍କୁ ମିଳୁଛି ସେ କ୍ଷଣର ଦୃଶ୍ୟଟି ପଥର ହୃଦୟକୁ ମଧ୍ୟ ତରଳାଇବାକୁ ସକ୍ଷମ।
ନିକଟ ଅତୀତର ସବୁଠାରୁ ବଡ଼ ମାନବ ସଙ୍କଟର ଅଲିଭା କ୍ଷତକୁ ଆମେ ପ୍ରାୟ ସମସ୍ତେ ମନର କେଉଁ ଏକ ନିଭୃତ କୋଣରେ ଲୁଚାଇରଖିଛୁ। ବୋଧହୁଏ ଏଥିପାଇଁ ଯେ ମହାମାରୀ ବେଳର ରୋଗ ତୁଳନାରେ ସେ ସମୟର ପାରସ୍ପରିକ ଅବିଶ୍ବାସ, ଅମାନବୀୟ ବ୍ୟବହାର ଓ ପ୍ରଶାସନିକ ଉଦାସୀନତା ଆମ ସମାଜ ଓ ବ୍ୟବସ୍ଥାର ନିକୃଷ୍ଟତମ ରୂପକୁ ପଦାରେ ପକାଇଦେଇଥିଲା। ‘ହୋମ୍‌ବାଉଣ୍ଡ୍‌’ ସେହି କ୍ଷତକୁ ଉଖୁରେଇ ଆମକୁ ମନେ ପକାଇ ଦେଉଛି ଯେ ଆମେ ଆଜି ବି ସେଭଳି ସଙ୍କଟ ଲାଗି ଅପ୍ରସ୍ତୁତ ଅଛୁ।

‘ହୋମ୍‌ବାଉଣ୍ଡ୍‌’
ନିର୍ଦେଶକ: ନୀରଜ ଘେଵାନ
ମୁଖ୍ୟ ଚରିତ୍ରରେ: ବିଶାଲ ଜେଠଵା, ଈଶାନ ଖଟ୍ଟର, ଜାହ୍ନବୀ କପୁର

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe