ହରିବାବୁ ପ୍ରାତଃଭ୍ରମଣ ସାରି ନରି ଚା ଖଟିରେ ବସିଛନ୍ତି। ଆଉ ଚାରିପାଞ୍ଚଜଣ ବରିଷ୍ଠ ନାଗରିକ ବି ଅଛନ୍ତି। ପ୍ରାତଃଭ୍ରମଣ ପରେ ଏଇଠି ସେମାନଙ୍କର ଖଟି ଜମେ। ଏହି ସମୟରେ ମାଗୁଣି ପଣ୍ଡିତେ ପହଞ୍ଚିଲେ। ହରିବାବୁ ଚା ଦୋକାନୀକୁ କହିଲେ- ଆରେ ନରି, ପଣ୍ଡିତଙ୍କ ପାଇଁ ଓ ଆମ ପାଇଁ କଡ଼ା ଅଦା-ଗୁଜୁରାତିଦିଆ ଚା ବନା। ଚିନି ପଡ଼ିବ ନାହିଁ। କାରଣ ଆମେ ସବୁ ଡାଇବେଟିସ୍‌ବାଲା। ନରି ଚା ବସାଇଲା। ତେଣେ ଚା ଫୁଟୁଥିବା ବେଳେ ଏପଟେ ବାବୁମାନଙ୍କର ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ଚାଲିଥାଏ। ପୂର୍ବର ଦୀପାବଳି ଦ୍ବନ୍ଦ୍ବକୁ ନେଇ ସୁଶା କହିଲା, ସରକାର ଏଥର ଦ୍ବନ୍ଦ୍ବର ସମାଧାନ ନ ପାଇ ଦୁଇଦିନ ଛୁଟି କରିଦେଲେ- ଯିଏ ଯୋଉଦିନ ପାଳୁଛି ପାଳୁ। କିନ୍ତୁ ମୁଁ ଶୁଣୁଚି, ଏଥର କୁଆଡ଼େ ପଞ୍ଚୁକ ୪ଦିନ ପଡୁଛି- ପାଞ୍ଚଦିନିଆ ବ୍ରତ ହୋଇଥିବାରୁ ତା’ ନାଁ ପଞ୍ଚୁକ, ପୁଣି ଚାରିଦିନ କେମିତି ହେଲା? 

Advertisment

ହରିବାବୁ- ପଣ୍ଡିତେ ଭଲକରି ବୁଝେଇ ଦିଅନ୍ତୁ। ମୁଁ ଜାଣିବାରେ ପଞ୍ଚୁକ ସବୁବର୍ଷ ୫ଦିନ ପଡ଼େନା। କେଉଁବର୍ଷ ୪ଦିନ ହୋଇପାରେ, ପୁଣି କେଉଁବର୍ଷ ୬ଦିନ ବି ହୋଇପାରେ। ଆମେ ଏହା ଆବହମାନ କାଳରୁ ଦେଖିଆସୁଛୁ। କିନ୍ତୁ ସବୁବର୍ଷ ସମାନ ଭାବେ ପଡୁ ନ ଥିବାରୁ ଲୋକେ ଭୁଲିଯାଆନ୍ତି, ପଞ୍ଚୁକ କାହିଁକି ୪ଦିନ ବା ୬ଦିନ ହେଲା ବୋଲି ପ୍ରଶ୍ନ କରନ୍ତି। ଗୋଟିଏ ବର୍ଷ ଛଅଦିନିଆ ପଞ୍ଚୁକରେ ଜଗନ୍ନାଥ ମନ୍ଦିରରେ ଦଳାଚକଟା ହୋଇ ନ ଥିଲା? 

ମାଗୁଣି ପଣ୍ଡିତ- ହଁ, ହରିବାବୁ ଠିକ୍ ମନେରଖିଛନ୍ତି। ୧୯୯୩ ମସିହାରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ଦେଖିବା ପାଇଁ ପ୍ରବଳ ଭିଡ଼ ଯୋଗୁଁ ଦଳାଚକଟା ହୋଇଥିଲା ଓ ବହୁଲୋକ ମୃତାହତ ହୋଇଥିଲେ। ତେବେ ଶୁଣନ୍ତୁ- ପଞ୍ଚୁକ ମାନେ ୫ଦିନ ନୁହେଁ, ୫ଟା ତିଥି- ତାହା କାର୍ତ୍ତିକ ଶୁକ୍ଳ ହରି ଉତ୍ଥାପନୀ ବଡ଼ ଏକାଦଶୀଠାରୁ ରାସପୂର୍ଣ୍ଣିମା ପର୍ଯ୍ୟନ୍ତ। ଯଦି ଏକାଦଶୀଠାରୁ ଚତୁର୍ଦ୍ଦଶୀ ପର୍ଯ୍ୟନ୍ତ କୌଣସି ଗୋଟିଏ ଦିନ କ୍ଷୟା ତିଥି ପଡ଼େ, ତେବେ ସେ ବର୍ଷ ପଞ୍ଚୁକ ଚାରିଦିନିଆ ହୋଇଯାଏ। ଏ ବର୍ଷ ସେଇଆ ହୋଇଛି। ଏ ବର୍ଷ ଉତ୍ଥାପନୀ ଏକାଦଶୀ ପରଦିନ ତ୍ରୟୋଦଶୀ ପଡୁଛି। ନଭେମ୍ବର ୨ ତାରିଖ ରବିବାର ଗୋଟିଏ ଦିନରେ ଏକାଦଶୀ, ଦ୍ବାଦଶୀ ଓ ତ୍ରୟୋଦଶୀ ସ୍ପର୍ଶ ହେଉଛି ବା ତ୍ର୍ୟହସ୍ପର୍ଶ ହେଉଛି। ଦ୍ବାଦଶୀ କ୍ଷୟ ହେଉଥିବାରୁ ଏହାକୁ କ୍ଷୟା ତିଥି ବା ଅବମ ତିଥି ବି କୁହାଯାଏ। ବୈଷ୍ଣବମାନେ ଏହାକୁ ତ୍ରିସ୍ପୃଶା ଏକାଦଶୀ ଭାବେ ପାଳନ୍ତି। ତେଣୁ ଏକାଦଶୀରୁ ପୂର୍ଣ୍ଣିମା ଭିତରେ ଗୋଟିଏ ତିଥି କ୍ଷୟ ହେବାରୁ ଏ ବର୍ଷ ପଞ୍ଚୁକ ଚାରିଦିନ ପଡୁଛି। ଆସନ୍ତାବର୍ଷ ବି ଚାରିଦିନିଆ ପଞ୍ଚୁକ ପଡ଼ିବ।

ସୁଶା ପଚାରିଲା- ତା’ ହେଲେ ଏ ଛଅଦିନିଆ ପଞ୍ଚୁକ ଓ ନାଗାର୍ଜୁନ ବେଶ ପୁଣି କେବେ ପଡ଼ିବ? 

ପଣ୍ଡିତ- ଯେଉଁବର୍ଷ କାର୍ତ୍ତିକ ଶୁକ୍ଳ ଦ୍ବାଦଶୀରୁ ଚତୁର୍ଦ୍ଦଶୀ ଭିତରେ ଗୋଟିଏ ତିଥି ବୃଦ୍ଧିହୁଏ ବା ପୂର୍ବଦିନ ୬୦ ଦଣ୍ଡ ଭୋଗ ହେବାପରେ ପରଦିନ ସୂର୍ଯ୍ୟୋଦୟ ପରେ କିଛି ସମୟ ଥାଏ, ଯାହାକୁ ମଳ ତିଥି କହନ୍ତି, ସେ ବର୍ଷ ପଞ୍ଚୁକ ଛଅଦିନ ପଡ଼େ। ଏକାଦଶୀରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ପାଞ୍ଚଦିନ ମହାପ୍ରଭୁଙ୍କର ବିଭିନ୍ନ ପ୍ରକାର ବେଶ ହୁଏ ଓ ପୂର୍ଣ୍ଣିମା ଦିନ ସୁନାବେଶ ହୁଏ। ଯଦି ପଞ୍ଚୁକ ଛଅଦିନ ପଡ଼େ ତେବେ ମଳତିଥି ଦିନ ମହାପ୍ରଭୁଙ୍କର ନାଗାର୍ଜୁନ ବେଶ ବା ନାଗାର୍ଜୁନାନ୍ତକ ବେଶ ହୁଏ। ଏହାକୁ ପର୍ଶୁରାମ ବେଶ ବି କୁହାଯାଏ। ମହାଶକ୍ତିଶାଳୀ ତଥା ଦୁରାଚାରୀ ଓ ପ୍ରଜାପୀଡ଼କ ରାଜା ସହସ୍ରାର୍ଜୁନକୁ ପର୍ଶୁରାମ ବଧ କରିବାର ସ୍ମୃତିରେ ଏହା ପାଳନ କରାଯାଏ। ଅତୀତରେ ୧୯୯୩ ନଭେମ୍ବର ୨୬ ତାରିଖରେ ଏହି ଦୁର୍ଲଭ ବେଶ ଦେଖିବା ପାଇଁ ହୋଇଥିବା ଭିଡ଼ର ସୁପରିଚାଳନା କରାଯାଇ ନ ପାରିବାରୁ ଦଳାଚକଟା ହୋଇଥିଲା। ତା’ ପରେ ଏହି ବେଶ ୧୯୯୪ ମସିହାରେ ଏବଂ ପୂର୍ବରୁ ୧୯୬୮, ୧୯୬୭ ଓ ୧୯୬୬ ମସିହାରେ ହୋଇଥିଲା। ଶେଷଥର ପାଇଁ ୨୦୨୦ ନଭେମ୍ବର ୨୭ ତାରିଖରେ ଏହି ବେଶ ହୋଇଥିଲା। 

ହରିବାବୁ- ଏହାପରେ କେବେ ପଡ଼ିବ କହନ୍ତୁ? ୨୦୨୦ରେ ତ କୋଭିଡ୍‌ ଯୋଗୁଁ ଯାଇ ହେଲାନି। ଏଥର ନିଶ୍ଚୟ ଯିବା। 

ପଣ୍ଡିତ- ଏସବୁ ଭବିଷ୍ୟତ ଗଣନାର କଥା। ତେବେ ମୋ ଗଣନା ଅନୁସାରେ ଏହା ଆସନ୍ତା ୨୦୨୯ ମସିହାରେ ପଡ଼ିବ। ୨୦୨୯ ନଭେମ୍ବର ୨୦ ତାରିଖରେ ମଳ ଚତୁର୍ଦ୍ଦଶୀ ଦିନ ନାଗାର୍ଜୁନ ବେଶ ହେବ। ତା’ପରେ ୨୦୩୦ରେ ବି ଛଅଦିନିଆ ପଞ୍ଚୁକ ପଡୁଛି। ତାହା ୨୦୩୦ ‌ନଭେମ୍ବର ୯ ତାରିଖରେ ପଡ଼ିବ। ପୁଣି ୬ବର୍ଷ ପରେ ୨୦୩୬ ନଭେମ୍ବର ୨ ତାରିଖରେ ବି ନାଗାର୍ଜୁନ ବେଶ ଅଛି। 

ଜ୍ୟୋତିର୍ବିଦ୍, ମୋ-୭୦୦୮୯୬୦୫୦୨

ଆହୁରି ପଢ଼ନ୍ତୁ: EV Car Stopped: ମଝି ରାସ୍ତାରେ ବନ୍ଦ ହେଲା ୧୫ଲକ୍ଷର ଇଭି କାର୍, ଟାଣି ଟାଣି ଘରକୁ ନେଲା ୧.୫ଲକ୍ଷର ଇ-ରିକ୍ସା

ଆହୁରି ପଢ଼ନ୍ତୁ: Trishul 2025 Military Exercise: ଭୟରେ ପାଞ୍ଚ ଦିନରେ ଦ୍ୱିତୀୟ ଥର NOTAM ଜାରି କଲା ପାକ୍‌