ପୁଣେ: ବିବାଦରେ ଟିଭି ଅଭିନେତା ଆଶିଷ କପୁର। ଦୁଷ୍କର୍ମ ଆରୋପ ଲାଗିବା ପରେ ଗିରଫ ହେଲେ ଲୋକପ୍ରିୟ ଅଭିନେତା। ଦିଲ୍ଲୀ ପୁଲିସ ତାଙ୍କୁ ପୁଣେରୁ ଗିରଫ କରିଛି। ପୀଡିତା ଅଭିଯୋଗ କରିଛନ୍ତି ଯେ, ଅଗଷ୍ଟ ଦ୍ୱିତୀୟ ସପ୍ତାହରେ ବାଥରୁମ ଭିତରେ ଆଶିଷ କପୁର ତାଙ୍କ ସହିତ ଜୋରଜବରଦସ୍ତ ଶାରୀରିକ ସମ୍ପର୍କ ରଖିଥିଲେ। ଏହି ଘଟଣା ଦିଲ୍ଲୀରେ ଏକ ଘରୋଇ ପାର୍ଟି ସମୟରେ ଘଟିଥିଲା। ଏହି ଘଟଣା ପରେ, ଅଗଷ୍ଟ ୧୧ରେ ଏତଲା ରୁଜୁ କରି ଅଭିଯୁକ୍ତକୁ ଖୋଜିବା ଆରମ୍ଭ କରିଥିଲା ପୁଲିସ।
ସୂଚନା ମୁତାବକ, ସିଭିଲ ଲାଇନ୍ସ ଥାନାରେ ଏହି ମାମଲା ପଞ୍ଜିକୃତ ହେବା ପରେ ପୁଲିସ ଆଶିଷଙ୍କ ଠିକଣା ଟ୍ରାକ୍ କରିବା ଆରମ୍ଭ କରିଥିଲା। ଏବେ ତାଙ୍କୁ ପୁଣେରୁ ପୁଲିସ ଗିରଫ କରିଥିବା ଜଣାଯାଇଛି। ଏଫଆଇଆରରେ ପ୍ରଥମେ ଆଶିଷ କପୁର, ତାଙ୍କ ବନ୍ଧୁ, ବନ୍ଧୁଙ୍କ ସ୍ତ୍ରୀ ଏବଂ ଦୁଇ ଅଜଣା ବ୍ୟକ୍ତିଙ୍କ ନାମ ଥିଲା। ପରେ, ପୀଡିତା ତାଙ୍କ ବୟାନ ବଦଳାଇ କହିଥିଲେ ଯେ, କେବଳ ଆଶିଷ କପୁର ତାଙ୍କ ସହ ଦୁଷ୍କର୍ମ କରିଛନ୍ତି। ପୀଡ଼ିତା ପ୍ରଥମେ ଅଭିଯୋଗ କରିଥିଲେ ଯେ, ପାର୍ଟିର ଆୟୋଜନ କରିଥିବା ଯୁବକ, ଆଶିଷ କପୁର ଏବଂ ଦୁଇଜଣ ଅଜଣା ପୁରୁଷ ତାଙ୍କ ସହ ଦୁଷ୍କର୍ମ କରିଥିଲେ। ଏହା ସହ ଜଣେ ମହିଳା ତାଙ୍କ ଉପରେ ଆକ୍ରମଣ କରିଥିଲେ। ସେ ଏହା ମଧ୍ୟ ଦାବି କରିଥିଲେ ଯେ, ଅଭିଯୁକ୍ତମାନେ ସମ୍ପୂର୍ଣ୍ଣ ଘଟଣାର ଭିଡିଓ ରେକର୍ଡି କରିଥିଲେ। ଯଦି ସେ ଏହା ବିଷୟରେ ଅଭିଯୋଗ କରନ୍ତି ତେବେ ସେ ଭିଡିଓକୁ ସୋସିଆଲ ମିଡିଆରେ ଅପଲୋଡ୍ କରିବେ ବୋଲି ଧମକ ଦେଇଥିଲେ। କିନ୍ତୁ ପୁଲିସ ଏପର୍ଯ୍ୟନ୍ତ ଏପରି କୌଣସି ଭିଡିଓ ପାଇପାରିନାହିଁ।
ତେବେ ଏଭଳି ଅଭିଯୋଗ କରିବାର କିଛି ଦିନ ପରେ ପୀଡ଼ିତା ନିଜ ବୟାନ ବଦଳାଇ କହିଥିଲେ ଯେ, କେବଳ ଆଶିଷ ହିଁ ତାଙ୍କ ସହ ଦୁଷ୍କର୍ମ କରିଥିଲେ ଅନ୍ୟ କେହି ନୁହେଁ। ଏହି ନୂଆ ଏତଲା ପରେ ଏବେ ପୁଲିସ ଆଶିଷଙ୍କୁ ଗିରଫ କରିଛି।
Follow Us