Advertisment

କୌତୂହଳର ଚମତ୍କାରିତା, ଟିଭି ଅଭିନେତ୍ରୀ ତେଜସ୍ବୀ ପ୍ରକାଶ

Advertisment
କୌତୂହଳର ଚମତ୍କାରିତା, ଟିଭି ଅଭିନେତ୍ରୀ ତେଜସ୍ବୀ ପ୍ରକାଶ

vibe

ମୁମ୍ବାଇ:  ବେଳେ ବେଳେ କୌତୂହଳ ଜଣକର ଜୀବନର ମୋଡ଼ ବଦଳାଇଥାଏ ଏବଂ ବଞ୍ଚିବାର ରାହା ଯୋଗାଇଥାଏ। ଏକ ନିର୍ଦ୍ଦିଷ୍ଟ କ୍ଷେତ୍ର ପ୍ରତି ଦୁର୍ବଳତା ନଥାଇ ମଧ୍ୟ କୌତୂହଳବଶତଃ ସେଥିରେ ପାଦ ଦେଲା ପରେ ନିଜ ଭିତରେ ଛପିଥିବା ପାରିବାପଣ ଆବିଷ୍କୃତ ହୋଇଥାଏ। ଟିଭି ଅଭିନେତ୍ରୀ ତେଜସ୍ବୀ ପ୍ରକାଶଙ୍କର ପେସାଗତ ଜୀବନ ଠିକ୍‌ ଏହି ପ୍ରକାରେ ଅତର୍କିତ ନିର୍ବାଚିତ ହୋଇଥିଲା। ଜଣେ ଯନ୍ତ୍ରୀ ଭାବରେ ବୈଷୟିକ ଜ୍ଞାନକୌଶଳରେ କିଛି ନିଆରା କରି ଦେଖାଇବାର ସ୍ବପ୍ନ ଦେଖିଥିବା ଏହି ଲଳନାଙ୍କୁ ଶେଷରେ ଅଭିନୟ କଳାରେ ଜୀବନର ଭିତ୍ତି ପକାଇବାକୁ ପଡ଼ିଥିଲା ଏବଂ ସେଥିରେ ସନ୍ତୁଷ୍ଟ ରହି ସେ ଅନ୍ୟଥା କିଛି ଚିନ୍ତା କରିନାହାନ୍ତି। ଜଣେ ଭାରତୀୟ ଯନ୍ତ୍ରୀଙ୍କ ଔରସରୁ ୧୯୯୩ ଜୁନ୍‌ ୧୧ ତାରିଖରେ ସାଉଦି ଆରବର ଜେଦ୍ଦାହରେ ଜନ୍ମ ନେଇଥିବା ତେଜସ୍ବୀ ପ୍ରକାଶ  ଓରଫ ତେଜୁଙ୍କର ବାଲ୍ୟ ଜୀବନ ଯଦିଓ ବିଦେଶରେ କଟିଥିଲା, ତେବେ ତାଙ୍କର ଶିକ୍ଷାଦୀକ୍ଷା ସବୁ ମୁମ୍ବାଇ ସହରରେ ହିଁ ସଂପନ୍ନ ହୋଇଥିଲା। ଇଲେକ୍ଟ୍ରୋନିକ୍ସ ଆଣ୍ଡ୍‌ ଟେଲିକମ୍ୟୁନିକେସନ୍‌ସରେ ସ୍ନାତକ ଡିଗ୍ରି ହାସଲ କରିଥିବା ତେଜୁ ଏକ ଚାକିରିଜୀବୀ ପରିବାରରେ ପ୍ରତିପାଳିତ ହୋଇଥିବାରୁ ସ୍ବାଭାବିକ ଭାବେ ଉଚ୍ଚ ଶିକ୍ଷା ଲାଭ କରି ଭଲ ଚାକିରି ଖଣ୍ଡେ ଆଦରି ଶୃଙ୍ଖଳିତ ଧରାବନ୍ଧା ଜୀବନଯାପନ କରିବାର ଆକାଂକ୍ଷା ତାଙ୍କ ମନରେ ରହିଥିଲା।

publive-image
WikiAndBio

ତେବେ କଲେଜରେ ପଢ଼ିଲା ଭିତରେ ନିଜର ସୁଠାମ ଚେହେରା ଓ ବିଦ୍ବତା ତାଙ୍କୁ କଲେଜସ୍ତରୀୟ ବିଭିନ୍ନ ଉତ୍ସବରେ ଜଣେ ଉପସ୍ଥାପିକା ଓ ବେଳେ ବେଳେ ପ୍ରତିଯୋଗୀ ହେବାକୁ ପ୍ରୋତ୍ସାହିତ କରିଥିଲା। ଏହି ଅବସରରେ ବିଭିନ୍ନ ଖବରକାଗଜରେ ପ୍ରକାଶିତ ତାଙ୍କର ଆକର୍ଷଣୀୟ ଫଟୋ ସମ୍ବଳିତ କଲେଜ ଉତ୍ସବ ସଂକ୍ରାନ୍ତ ଖବର ହିଁ ବିଭିନ୍ନ ପ୍ରଯୋଜନା ସଂସ୍ଥାର ଦୃଷ୍ଟି ଆକର୍ଷଣ କରିଥିଲା। ସେମାନଙ୍କ ଭିତରୁ ଜଣେ ହଠାତ୍‌ ତେଜୁଙ୍କୁ ଯୋଗାଯୋଗ କରି ଏକ ଟିଭି ଧାରାବାହିକ ପାଇଁ ଚୟନ ପ୍ରକ୍ରିୟାରେ ଭାଗ ନେବାକୁ ପ୍ରସ୍ତାବ ଦେଇଥିଲେ। ଅଭିନୟର ଧାର ଧାରିନଥିବା ତେଜୁ କୌତୂହଳବଶତଃ ଏଥିରେ ରାଜି ହୋଇ ଆଗକୁ ପାଦ କାଢ଼ିଥିଲେ। ବାସ୍‌, ସମୟ ଓ ସୁଯୋଗ ତାଙ୍କ ପାଇଁ ଗୋଟିଏ ସରଳରେଖାରେ ରହିବା ଯୋଗୁଁ ୨୦୧୨ରେ ଲାଇଫ୍‌ ଓକେ ଚ୍ୟାନେଲ୍‌ରେ ପ୍ରସାରିତ ଧାରାବାହିକ ‘୨୬୧୨’ରେ ସେ ପ୍ରଥମ ପଦାର୍ପଣ କରିଥିଲେ। ଏଥିରେ ସେ ଦର୍ଶକମାନଙ୍କୁ କିଛି ନୂଆ ଚମକରେ ଆପ୍ୟାୟିତ କରିବା ସହ ପରବର୍ତ୍ତୀ ଧାରାବାହିକ ‘ସଂସ୍କାର-ଧରୋହର ଅପନୋ କୀ’ରେ ତାଙ୍କ ଅଭିନୟକୁ ଆଶାତୀତ ଗ୍ରହଣୀୟତା ମିଳିଥିଲା।

publive-image

ଏହାପରେ ବିଭିନ୍ନ ଚ୍ୟାନେଲ୍‌ରେ ପ୍ରସାରିତ ତାଙ୍କ ଅଭିନୀତ ‘ସ୍ବରାଗିଣୀ-ଯୋଡ଼େ ରିସ୍ତୋଁ କେ ସୁର’, ‘ପେର୍ହେଦାର ପିୟା କୀ’ ଓ ‘ରିସ୍ତା ଲିଖେଙ୍ଗେ ହମ୍‌ ନୟା’ ଆଦି ଧାରାବାହିକରେ ସେ ଆଶାନୁରୂପ ପ୍ରତିଷ୍ଠା ଅର୍ଜନ କରିପାରିଥିଲେ। ତେବେ ‘ସ୍ବିସଵାଲେ ଦୁଲହନିଆ ଲେ ଯାଏଙ୍ଗେ’, ‘କର୍ଣ୍ଣସଙ୍ଗିନୀ’, ‘ଶାଦି ହୋ ତୋ ଐସା’ ଓ ‘ସିଲ୍‌ସିଲା ବଦଲତେ ରିସ୍ତୋଁ କା’ ଆଦି ଧାରାବାହିକରେ ତାଙ୍କର ଶାଣିତ ଅଭିନୟ ତାଙ୍କୁ ଜଣେ ଅଭିଜ୍ଞ ତଥା ଲୋକପ୍ରିୟ ଅଭିନେତ୍ରୀର ମାନ୍ୟତା ଦେଇଥିଲା। କିଛି ରିଅଲିଟି ସୋ’ରେ ମଧ୍ୟ ଭାଗନେଇ ସେ ନିଜ ପ୍ରଶଂସକମାନଙ୍କୁ ମୁଗ୍‌ଧ କରିଥିଲେ। କଲର୍ସ ଟିଭିର ‘ଫିଅର ଫାକ୍ଟର: ଖତରୋଁ କେ ଖିଲାଡ଼ି-୧୦’ରେ ତେଜୁ ମଝିରୁ ବିଦା ହୋଇଥିଲେ ହେଁ ‘ବିଗ୍‌ ବସ-୧୫’ରେ ବିଜୟିନୀ ହୋଇ ପ୍ରଶଂସକମାନଙ୍କ ହୃଦୟରେ ପୁଣି ବସା ବାନ୍ଧିଥିଲେ। ଏପରି ଭାବେ ସେ ପଚିଶରୁ ଅଧିକ ଧାରାବାହିକରେ ବିଭିନ୍ନ ଧରଣର ଚରିତ୍ରରେ ଅଭିନୟ କରିବା ସହ ନଅଟି ସଂଗୀତ ଭିଡିଓରେ ମଧ୍ୟ ନିଜର ଚମତ୍କାରିତା ଦେଖାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe