Image Courtesy of Mint
ମୁମ୍ବାଇ: ଅନେକ ବଲିଉଡ୍ ସିନେମାରେ ଅଭିନୟ କରି ଜନସାଧାରଣଙ୍କ ମନୋରଞ୍ଜନ କରିଥିବା ପ୍ରବୀଣ ଅଭିନେତା ଅରୁଣ ବାଲୀଙ୍କର ଆଜି ୭୯ ବର୍ଷ ବୟସରେ ମୁମ୍ବାଇରେ ଦେହାନ୍ତ ହୋଇଯାଇଛି ବୋଲି ‘ଏଏନ୍ଆଇ’ ରିପୋର୍ଟ କରିଛି।
ବିରଳ ସ୍ନାୟୁ-ମାଂସପେଶୀୟ ରୋଗ ‘ମାୟାସ୍ଥେନିଆ ଗ୍ରେଭିସ୍’ରେ ପୀଡ଼ିତ ବାଲୀଙ୍କ ଦେହ କିଛି ଦିନ ହେବ ଭଲ ରହୁ ନ ଥିଲା। ଚଳିତ ବର୍ଷ ପ୍ରାରମ୍ଭରେ ମଧ୍ୟ ତାଙ୍କୁ ‘ହୀରାନନ୍ଦାନୀ ହସ୍ପିଟାଲ୍’ରେ ଭର୍ତ୍ତି କରାଯାଇଥିଲା।
ପାହାନ୍ତା ୪.୩୦ରେ ତାଙ୍କର ମୃତ୍ୟୁ ହୋଇଥିବା କଥା ପୁଅ ଅନୁଷ୍କ ସୂଚନା ଦେଇଛନ୍ତି।
Image Courtesy of My India Newsସେ ଅନେକ ଚଳଚ୍ଚିତ୍ର ଓ ଟେଲିଭିଜନ୍ ସିରିଜ୍ରେ ଅଭିନୟ କରିଛନ୍ତି। ‘ଥ୍ରି ଇଡିଅଟ୍ସ୍’, ‘କେଦାରନାଥ’, ‘ପାନିପତ୍’, ‘ହେ ରାମ୍’, ‘ଦଣ୍ଡ ନାୟକ’, ‘ରେଡି’, ‘ଜମିନ୍’, ‘ପୋଲିସ୍ୱାଲା ଗୁଣ୍ଡା’, ‘ଫୁଲ୍ ଔର୍ ଅଙ୍ଗାର୍’ ଏବଂ ‘ରାମ୍ ଜାନେ’ ଭଳି ଅନେକ ସିନେମାରେ କରିଥିବା ଅଭିନୟ ପାଇଁ ଅରୁଣ ବାଲୀ ସୁପରିଚିତ।
ଅରୁଣ ବାଲୀଙ୍କର ଦୁଇ ଝିଅ ଆମେରିକାରେ ଅବସ୍ଥାନ କରୁଛନ୍ତି। ଆସନ୍ତାକାଲି ସେମାନେ ଆସି ପହଞ୍ଚିବା ପରେ ବାଲୀଙ୍କର ଶେଷକୃତ୍ୟ କରାଯିବ।
୧୯୯୧ ଐତିହାସିକ ସିରିଏଲ୍ ‘ଚାଣକ୍ୟ’ରେ ସେ ରାଜା ପୁରୁ, ଦୂରଦର୍ଶନ ସିରିଏଲ୍ ‘ସ୍ବାଭିମାନ’ରେ କନ୍ୱାର୍ ସିଂହ ଭୂମିକାରେ ଅଭିନୟ କରିଛନ୍ତି। ସେହିପରି ୨୦୦୦ ମସିହାର ଚଳଚ୍ଚିତ୍ର ‘ହେ ରାମ୍’ରେ ସେ ଅବିଭକ୍ତ ବଙ୍ଗର ମୁଖ୍ୟମନ୍ତ୍ରୀ ହୁସେନ୍ ଶାହୀଦ ସୁରୱର୍ଦୀ ଭୂମିକାରେ ଅଭିନୟ କରିଥିଲେ। ଏହାଛଡ଼ା, ‘କୁମ୍କୁମ୍’ରେ ହର୍ଷବର୍ଦ୍ଧନ ୱାଧ୍ୱା ଭଳି ଜେଜେବାପା ଭୂମିକାରେ ଅଭିନୟ କରି ସେ ୨୦୦୦ ମସିହାରେ ଲୋକପ୍ରିୟ ପୁରସ୍କାର ପାଇଥିଲେ। ଏହାଛଡ଼ା, ସେ ଥିଲେ ଜଣେ ଜାତୀୟ ପୁରସ୍କାର ପ୍ରାପ୍ତ ପ୍ରଯୋଜକ।
ତାଙ୍କ ଅଭିନୀତ ଶେଷ ଚଳଚ୍ଚିତ୍ର ହେଉଛି ‘ଫରେଷ୍ଟ୍ ଗମ୍ପ୍’ ଅନୁସୃତ ବଲିଉଡ୍ ଚଳଚ୍ଚିତ୍ର ‘ଲାଲ୍ ସିଂହ ଚଢ଼ା’। ସେଥିରେ ସେ ଟ୍ରେନ୍ରେ ଯାତ୍ରା କରୁଥିବା ଜଣେ ବୃଦ୍ଧ ଭୂମିକାରେ ଅଭିନୟ କରିଛନ୍ତି।
Follow Us