ପୁଣେ: ପରଲୋକରେ ବରିଷ୍ଠ ଅଭିନେତା ବିକ୍ରମ ଗୋଖଲେ। ଗତ କିଛି ଦିନ ହେବ ସେ ଡାକ୍ତରଖାନରେ ମୃତ୍ୟୁ ସହ ଲଢ଼ୁଥିବା ବେଳେ ଆଜି ତାଙ୍କର ଦେହାନ୍ତ ହୋଇଛି। ଗୁରୁବାର ତାଙ୍କର ମୃତ୍ୟୁ ହୋଇଥିବା ନେଇ ଖବର ସାମ୍ନାକୁ ଆସିଥିବା ବେଳେ ପରେ ଏହାକୁ ଖଣ୍ଡନ କରିଥିଲେ ପରିବାର ଲୋକେ। ହେଲେ ଗୋଟିଏ ଦିନ ପରେ ଆଜି ତାଙ୍କର ପରଲୋକ ଘଟିଛି।
ସୂଚନା ମୁତାବକ, ପୁଣେର ଦୀନାନାଥ ମଙ୍ଗେସକର ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା। ତାଙ୍କୁ କିଛି ଦିନ ପୂର୍ବରୁ ଡାକ୍ତରଖାନା ଅଣାଯାଇଥିଲା ଏବଂ ଚିକିତ୍ସା ପରେ ତାଙ୍କ ଅବସ୍ଥା ସ୍ଥିର ହୋଇଥିଲା। ହେଲେ ପରେ ଅବସ୍ଥା ପୁଣି ଖରାପ ହେବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖିଥିଲେ ଡାକ୍ତର। ହେଲେ ଆଜି ସେ ଜୀବନ ଯୁଦ୍ଧରେ ହାରି ଆର ପାରିକୁ ଚାଲିଯାଇଛନ୍ତି।
ଉଲ୍ଲେଖଯୋଗ୍ୟ, ବିକ୍ରମ ଗୋଖଲେ ତାଙ୍କର ଅଭିନୟ କ୍ୟାରିଅରରେ ମରାଠୀ ଓ ହିନ୍ଦୀ ଚଳଚ୍ଚିତ୍ର ଏବଂ ଧାରାବାହିକରେ କାମ କରିିଥିଲେ। ଅମିତାଭ ବଚ୍ଚନଙ୍କ ସହ ‘ଅଗ୍ନିପଥ’ ଏବଂ ସଲମାନ ଖାନ ଏବଂ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ଅଭିନୀତ ସଞ୍ଜୟ ଲୀଲା ଭଂସାଲୀଙ୍କ ଫିଲ୍ମ ‘ହମ ଦିଲ ଦେ ଚୁକେ ସନମ’ରେ ସେ ଅଭିନୟ କରିଥିଲେ। ନିକଟ ଅତୀତରେ ସେ 'ମିଶନ ମଙ୍ଗଲ', 'ହିଚକି', 'ଅୟାରି', 'ବ୍ୟାଙ୍ଗ ବ୍ୟାଙ୍ଗ', 'ଦେ ଦନା ଦନ' ଏବଂ 'ଭୁଲ ଭୁଲୈଆ' ଭଳି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ନିଜ ୪୦ବର୍ଷର କ୍ୟାରିଅରରେ ସେ ଅନେକ ଟିଭି ସୋ’ରେ ମଧ୍ୟ ଅଭିନୟ କରିଥିଲେ।
ବିକ୍ରମ ଗୋଖଲେ ୧୯୭୧ରେ ଅମିତାଭ ବଚ୍ଚନଙ୍କ ଫିଲ୍ମ 'ପରୱାନା'ରୁ ବଲିଉଡରେ ଡେବ୍ୟୁ କରିଥିଲେ। ୨୦୧୦ରେ, ସେ ମରାଠୀ ଚଳଚ୍ଚିତ୍ର 'ଅନୁମାଟି'ରେ କାମ କରି ଶ୍ରେଷ୍ଠ ଅଭିନେତା ଭାବରେ ଜାତୀୟ ପୁରସ୍କାର ଗ୍ରହଣ କରିଥିଲେ। ଏହା ସହ ମରାଠୀ ଫିଲ୍ମ 'ଆଘଟ'ରୁ ସେ ନିର୍ଦ୍ଦେଶନା ଦେବା ଆରମ୍ଭ କରିଥିଲେ। ତାଙ୍କର ବିୟୋଗରେ ବଲିଉଡ୍ ଓ ମରାଠୀ ଚଳଚ୍ଚିତ୍ର ଜଗତରେ ଶୋକର ଛାୟା ଖେଳିଯାଇଛି।
Follow Us