(Photo Credits: Twitter)
ମୁମ୍ବାଇ: ବଚ୍ଚନ ପରିବାରର ବୋହୂ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ସଂପର୍କରେ ଆପତ୍ତିଜନକ ପୋଷ୍ଟ୍ କରି ବଲିଉଡ୍ ଅଭିନେତା ବିବେକ ଓବରାଏ ନିଜର ଭୁଲ୍ ସ୍ୱୀକାର କରି ସାରିଛନ୍ତି। ବିବେକ ଐଶ୍ୱାର୍ଯ୍ୟାଙ୍କୁ ନେଇ କରିଥିବା ମେମେ ଟ୍ଵିଟ୍ ହେତୁ ତାଙ୍କୁ ବିଭିନ୍ନ ଆଡୁ ନିନ୍ଦା କରାଯାଇଛି। ଅନେକ ବଲିଉଡ୍ ଷ୍ଟାର୍ ବିବେକଙ୍କର ଏପରି ଅଦ୍ଭୂତ ମଜାକକୁ ସମାଲୋଚନା କରିଛନ୍ତି।
ବିବେକଙ୍କ ପୋଷ୍ଟରେ ପ୍ରତିକ୍ରିୟା ରଖି ଅଭିନେତ୍ରୀ ଉର୍ମିଳା ମାତୋଣ୍ଡକର ଲେଖିଛନ୍ତି, ‘ଏହା ଅତ୍ୟନ୍ତ ଅପମାନଜନକ ପୋଷ୍ଟ୍। ଯଦିଓ ଜଣେ ମହିଳା ଓ ତାଙ୍କ ଛୋଟ ଝିଅକୁ ନେଇ ମେମେ କରିଥିବା ହେତୁ କ୍ଷମା ମାଗିପାରୁନାହିଁ ଅତିକମ୍ରେ ପୋଷ୍ଟ ହଟାଇବାର ଭଦ୍ରାମୀ ଦେଖାଅ।’
ସେହିପରି ସିମି ଗେରେଓ୍ଵାଲ୍ ଲେଖିଛନ୍ତି, ‘ତୁମର ପତ୍ନୀ ଓ ପିଲା ଅଛନ୍ତି। ନାହାନ୍ତି କି? ତୁମେ କାହିଁକି ସେମାନଙ୍କ ଫଟୋକୁ ଏପରି ମେମେରେ ଦେଉନ?’
ଗୌହ୍ଵାର ଖାନ୍ ଲେଖିଛନ୍ତି, ‘ୟାଙ୍କର ଭଲ ଦିନ କେବେ ଆସିବ? ନିହାତି ଭାବେ ଅପମାନଜନକ।’
ଉଲ୍ଳେଖଯୋଗ୍ୟ, ରବିବାର ଏକ୍ଜିଟ୍ ପୋଲ୍ ଆସିବା ପରେ ଏହାକୁ ନେଇ ବିବେକ ଟ୍ଵିଟର୍ରେ ଏକ ମଜାଦାର ଟ୍ଵିଟ୍ କରିଥିଲେ। ସେ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟଙ୍କର ସଲମାନଙ୍କ ସହ ଥିବା ଏକ ଫଟୋକୁ ‘ଓପିନିୟନ ପୋଲ୍’, ନିଜ ସହ ଥିବା ଏକ ଫଟୋକୁ ‘ଏକ୍ଜିଟ୍ ପୋଲ୍’ ଏବଂ ଶେଷରେ ସ୍ୱାମୀ ଅଭିଷେକଙ୍କ ସହ ଥିବା ଏକ ଫଟୋକୁ ‘ରେଜେଲ୍ଟ’ ବୋଲି ଲେଖ ଟ୍ଵିଟ୍ କରିଥିଲେ। ଯାହା ତତ୍କ୍ଷଣାତ ଚାରିଆଡ଼େ ପ୍ରଘଟ ହୋଇ ଯାଇଥିଲା। ଏହା ପରେ ବିବେକଙ୍କୁ ମହାରାଷ୍ଟ୍ର ରାଜ୍ୟ ମହିଳା କମିସନ ପକ୍ଷରୁ ଜଣେ ମହିଳାଙ୍କୁ ଅପମାନ କରିଥିବା ଅଭିଯୋଗରେ ଏକ ନୋଟିସ୍ ଜାରି କରାଯାଇଥିଲା।
ବଲିଉଡ୍ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟଙ୍କୁ ନେଇ ଅଭିନେତା ବିବେକ ଓବରାୟ ଦେଇଥିବା ବିବାଦୀୟ ମନ୍ତବ୍ୟ ପାଇଁ ସେ ମଙ୍ଗଳବାର କ୍ଷମା ମାଗିଛନ୍ତି। ସେ ତାଙ୍କର ପୁରୁଣା ଟ୍ଵିଟ୍କୁ ଡିଲିଟ୍ କରିଦେବା ସହ ଅନ୍ୟ ଏକ ଟ୍ଵିଟ୍ କରି ଲେଖିଛନ୍ତି ଯେ ‘ଯଦି ମୋ ମେମେରେ କୌଣସି ମହିଳାଙ୍କ ଅପମାନ ହୋଇଛି ତେବେ ମୁଁ କ୍ଷମା ମାଗୁଛି। ପୁରୁଣା ଟ୍ଵିଟ୍ ଡିଲିଟ୍ କରି ଦେଇଛି।’
Follow Us