ଶୀର୍ଷକରେ ଥିବା ପ୍ରଶ୍ନ ସଂପର୍କରେ ଆପଣ ନିଶ୍ଚୟ ଅବଗତ ଥିବେ। ବଲିଉଡ୍ରେ ବୟସ୍କ ପ୍ରେମିକ-ପ୍ରେମକାଙ୍କୁ ନେଇ କ୍ବଚିତ୍ ଫିଲ୍ମ ତିଆରି ହୁଏ। ସତେ ଯେମିତି ପ୍ରେମ କରିବାକୁ କେବଳ କଲେଜ ଯାଉଥିବା ପୁଅ ଝିଅଙ୍କର ଅଧିକାର ଅଛି! ତେବେ ଏ ପ୍ରଶ୍ନଟି ଅନ୍ୟ କେହି ନୁହେଁ, ଏ ପ୍ରଶ୍ନ ପଚାରିଛନ୍ତି ‘କୁଛ୍ କୁଛ୍ ହୋତା ହୈ’ ଭଳି କଲେଜ ପ୍ରେମ କାହାଣୀକୁ ନେଇ ତିଆରି ହୋଇଥିବା ଫିଲ୍ମର ନାୟିକା ରାଣୀ ମୁଖାର୍ଜୀ। ପ୍ରଶ୍ନଟି ବି ଅନ୍ୟ କାହାକୁ ନୁହେଁ, ସେଇ ଫିଲ୍ମର ନିର୍ଦ୍ଦେଶକ କରନ ଜୋହରଙ୍କୁ।
କରନଙ୍କ ବିଖ୍ୟାତ ବା କୁଖ୍ୟାତ ଟକ୍ ସୋ’ ‘କଫି ଉଇଥ୍ କରନ୍’ର ଏକ ଅଧ୍ୟାୟରେ ରାଣୀ ନିକଟରେ ଅତିଥି ହୋଇଥିଲେ। ସେହି ଅବସରରେ କରନ କହିଥିଲେ, ବଲିଉଡ୍ ବୟସକୁ ନେଇ ଭାରି ରକ୍ଷଣଶୀଳ। ତ ରାଣୀ ବାଧା ଦେଇ କହିଥିଲେ, ବଲିଉଡ୍କୁ କାହିଁକି ଦୋଷ ଦେବା? ଦର୍ଶକମାନେ ଯାହା ପସନ୍ଦ କରିବେବୋଲି ଫିଲ୍ମ ନିର୍ମାତାମାନେ ଭାବୁଛନ୍ତି, ସେହି ଅନୁସାରେ ବଲିଉଡ୍ ଚାଲିଛି। କରନ ଯୁକ୍ତି କରିବାକୁ କହିଥିଲେ, ତେବେ ଏବେ ଶାହ୍ରୁଖ୍ ଖାଁ ଓ କାଜୋଲ୍ଙ୍କୁ ନେଇ ରୋମାଣ୍ଟିକ୍ ଫିଲ୍ମ କାହିଁକି ଆସୁନି?
ଏହାର ଉତ୍ତରରେ ରାଣୀ ସିଧା କହିଥିଲେ, ‘‘କାରଣ ତମଭଳି ନିର୍ମାତାମାନେ ସେମିତି ଫିଲ୍ମ ତିଆରି କରୁ ନାହାନ୍ତି।’’
ରାଣୀଙ୍କ କଥାରେ କରନ ପୂରା ଚୁପ୍ ହୋଇ ଯାଇଥିଲେ।
କହିବା ଆବଶ୍ୟକ ନୁହେଁ ଯେ ‘କୁଛ୍ କୁଛ୍ ହୋତା ହୈ’ର କଲେଜ ବା ସ୍କୁଲ୍ ଯାଉଥିବା ନାୟିକା ଭୂମିକାରେ ଅଭିନୟ କରିଥିବା ରାଣୀ ଏବେ ବିବାହିତା ଓ ବୟସ୍କା। ଅନ୍ୟ ପକ୍ଷରେ ସେ ଫିଲ୍ମର ନିର୍ଦ୍ଦେଶନା ଦେଇଥିବା କରନଙ୍କର ମଧ୍ୟ ବୟସ ବଢ଼ିଛି। କିନ୍ତୁ ସେ ଏବେ ବି କଲେଜ ପ୍ରେମ କାହାଣୀକୁ ନେଇ ଫିଲ୍ମ ତିଆରିବା ଛାଡ଼ି ନାହାନ୍ତି।
ବୟସ୍କଙ୍କୁ ନେଇ ରୋମାଣ୍ଟିକ୍ ଫିଲ୍ମ ନିର୍ମାଣ ଚର୍ଚ୍ଚାରେ କରନଙ୍କୁ ଚୁପ୍ କରାଇଦେଲେ ରାଣୀ
Advertisment
Follow Us