ସନମୀରାଙ୍କ ଫିଲ୍ମ ସଂଖ୍ୟା କମ୍ କାହିଁକି?

Advertisment
ସନମୀରାଙ୍କ ଫିଲ୍ମ ସଂଖ୍ୟା କମ୍ କାହିଁକି?

ମାତ୍ର ତିନିବର୍ଷ ବୟସରେ ‘ସୁନା ଚଢ଼େଇ ମୋ ରୁପା ଚଢ଼େଇ’ରେ ଶିଶୁ କଳାକାର ଭାବେ ଅଭିନୟ କରିଥିଲେ ସେ। ତା’ପରେ ‘ଆକାଶେ କି ରଙ୍ଗ ଲାଗିଲା’ ଓ ‘ଆଲୋ ମୋର କଣ୍ଢେଇ’ରେ ବି ଶିଶୁ କଳାକାର ଭାବେ ପରଦାକୁ ଆସି ବେଶ୍ ଚର୍ଚ୍ଚିତା ହୋଇଥିଲେ। ପରବର୍ତ୍ତୀ ସମୟରେ ସେ ଓଡ଼ିଆ ଛବିରେ ନାୟିକା ଭାବେ ଅଭିନୟ କରି ଲୋକପ୍ରିୟତା ସାଉଁଟିଥିବା ଏହି ଅଭିନେତ୍ରୀ ହେଲେ ସନମୀରା।

ଶିଶୁ କଳାକାର ଭାବେ ଚମକପ୍ରଦ ଅଭିନୟ କରିବା ସମୟରୁ ହିଁ ଜଣାପଡ଼ିଥିଲା ଯେ ସନମୀରା ଭବିଷ୍ୟତରେ ଜଣେ ଭଲ ନାୟିକା ହେବେ। ତାଙ୍କୁ ପ୍ରଯୋଜକ ସୀତାରାମ ଅଗ୍ରୱାଲ ଓ ନିର୍ଦ୍ଦେଶକ ସୁଶାନ୍ତ ମଣି ‘ସପନର ପଥେ ପଥେ’ରେ ନାୟିକା ଭାବେ ବ୍ରେକ୍ ଦେଇଥିଲେ। ଏଥିରେ ଅମ୍ଳାନଙ୍କ ବିପକ୍ଷରେ ନଜର ଆସିଥିଲେ ସନମୀରା। ଏହାପରେ ସେ ଆଉ ପଛକୁ ଫେରି ଚାହିଁନାହାନ୍ତି।

ସନମୀରା ଏହା ଭିତରେ ‘ଲୈଲା ଓ ଲୈଲା’, ‘ଲଭ୍ ଏକ୍ସପ୍ରେସ୍’, ‘ଲୋକାଲ୍ ଟୋକା ଲଭ୍ ଚୋଖା’ ଓ ‘ଗୁପ୍‌ଚୁପ୍‌’ ଭଳି ସିନେମାରେ ନାୟିକା ଭୂମିକାରେ ଅଭିନୟ କରିସାରିଛନ୍ତି। ‘ଲୈଲା ଓ ଲୈଲା’ରେ ଉଚ୍ଚକୋଟୀର ଅଭିନୟ କରି ସେ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ମଧ୍ୟ ଲାଭ କରିଛନ୍ତି। ତେବେ ସାତ ବର୍ଷ ଭିତରେ ମାତ୍ର ପାଞ୍ଚଟି ସିନେମାରେ ନାୟିକା ଭୂମିକାରେ ନଜର ଆସିଛନ୍ତି ସେ। ତାଙ୍କର ଫିଲ୍ମ ସଂଖ୍ୟା କମ୍ କାହିଁକି? ପ୍ରଶ୍ନରେ ସନମୀରା କହନ୍ତି, ‘‘ମୁଁ ସଂଖ୍ୟାରେ ବିଶ୍ବାସ କରେନି। ଗୁଣାତ୍ମକ ସିନେମାରେ କାମ କରିବାକୁ ଚାହେଁ। ସବୁଠୁ ବଡ଼କଥା ହେଲା ମୁଁ କାହାଣୀ, ପ୍ରଯୋଜକ ଓ ନିର୍ଦ୍ଦେଶକଙ୍କୁ ଦେଖି ଫିଲ୍ମ ସାଇନ୍ କରିଥାଏ। କାହାଣୀ ପସନ୍ଦ ନ ହେବାରୁ ମୁଁ କେତେଟି ଫିଲ୍ମ ମଧ୍ୟ ଛାଡ଼ିଛି।’’

ସନମୀରା ତାଙ୍କ କ୍ୟାରିୟରରେ କେବଳ ଓଲିଉଡ୍‌ର ନାମୀ ନିର୍ଦ୍ଦେଶକଙ୍କ ସହ କାମ କରିଛନ୍ତି। ଏମାନଙ୍କ ମଧ୍ୟରେ ଅଛନ୍ତି ସୁଶାନ୍ତ ମଣି, ସୁଧାଂଶୁ ମୋହନ ସାହୁ, ରମେଶ ରାଉତ, ପୃଥ୍ବୀରାଜ ପଟ୍ଟନାୟକ ଓ ତାପସ ସରଘରିଆ। ଉକ୍ତ ନିର୍ଦ୍ଦେଶକମାନଙ୍କ ସହ କାମ କରି ସେ ବହୁତ କଥା ଶିଖିଛନ୍ତି। ତେଣେ ସେ ବ୍ୟାନର ବା ପ୍ରଯୋଜନା ସଂସ୍ଥାକୁ ବି ଗୁରୁତ୍ବ ଦେଇଥା’ନ୍ତି। କାରଣ ଭଲ ବା ପ୍ରତିଷ୍ଠିତ ପ୍ରଯୋଜନା ସଂସ୍ଥା ହେଲେ ଫିଲ୍ମଟି ନିର୍ଦ୍ଧାରିତ ସମୟରେ ସୁଟିଂ ହେବ ଓ ଠିକ୍ ସମୟରେ ରିଲିଜ୍ ହେବ। ଏହି କାରଣରୁ ସେ ସୀତାରାମ ଅଗ୍ରୱାଲ ଓ ପ୍ରଦ୍ୟୁମ୍ନ ଲେଙ୍କାଙ୍କ ପରି ଜଣାଶୁଣା ପ୍ରଯୋଜକଙ୍କ ସହିତ କାମ କରି ଆତ୍ମସନ୍ତୋଷ ପାଇଛନ୍ତି ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe