ଦୀପ୍ତିଙ୍କ ଦକ୍ଷିଣ ଦଖଲ

Advertisment
ଦୀପ୍ତିଙ୍କ ଦକ୍ଷିଣ ଦଖଲ

ଉତ୍ତରାଖଣ୍ଡ ଅନ୍ତର୍ଗତ ନୈନିତାଲର ପିତା ଦିବ୍ୟେଶ ସତୀ ଓ କେରଳ ଅନ୍ତର୍ଗତ କୋଚିର ମାତା ମାଧୁରୀ ସତୀଙ୍କ କୋଳମଣ୍ଡନ କରିଥିବା ଅଭିନେତ୍ରୀ ଦୀପ୍ତି ସତୀଙ୍କ ଠାରେ ଉତ୍ତର ଓ ଦକ୍ଷିଣ ଭାରତର ଅପୂର୍ବ ସମନ୍ବୟ ଥିବା ସୁସ୍ପଷ୍ଟ। ତେବେ ତାଙ୍କଠାରେ ମା’ଙ୍କ ପ୍ରଭାବ ବେଶୀ ରହିଥିବା ଜଣାଯାଏ। କାରଣ ମାତ୍ର ଛଅ ବର୍ଷର ଅଭିନୟ ଜୀବନ ଭିତରେ ୧୫ରୁ ଅଧିକ ଫିଲ୍ମ, ୪ଟି ଟିଭି ଧାରାବାହିକ ଓ ୪ଟି ୱେବ୍‌ ଧାରାବାହିକରେ ନିଜର ଯାଦୁ ପରଷିଥିବା ଦୀପ୍ତି କିନ୍ତୁ ଏଯାଏ ଗୋଟିଏ ହେଲେ ହିନ୍ଦୀ ସିନେମା କରିନାହାନ୍ତି। ସେ ଦଶଟି ମାଲାୟଲୀ ଫିଲ୍ମ କରିବା ସହ କନ୍ନଡ, ତାମିଲ ଓ ତେଲୁଗୁ ପରି ଦକ୍ଷିଣ ଭାରତୀୟ ଭାଷା ସମେତ ମରାଠୀ ଭାଷାର ସିନେମାରେ ମଧ୍ୟ ଅଭିନୟ କରିଛନ୍ତି। ସେହିପରି ତାଙ୍କର ଚାରିଟି ଯାକ ଟିଭି ଧାରାବାହିକ ହେଉଛି ମାଲାୟଲୀ। ଅବଶ୍ୟ ୱେବ୍‌ ଧାରାବାହିକରୁ ଗୋଟିଏ ହେଉଛି ହିନ୍ଦୀ, ତେବେ ଅନ୍ୟ ଦୁଇଟି ମାଲାୟଲୀ ଓ ଗୋଟିଏ ତେଲୁଗୁ ଭାଷାର। ତେବେ ସାମଗ୍ରିକ ଭାବେ ଦକ୍ଷିଣ ଭାରତୀୟ ମନୋରଞ୍ଜନ କ୍ଷେତ୍ରରେ ତାଙ୍କର ଏପରି ଦଖଲ ପାଇଁ ତାଙ୍କୁ ଦୁଇ ଥର ଜାତୀୟ ପୁରସ୍କାର ମିଳିଛି। ମହାରାଷ୍ଟ୍ରର ମୁମ୍ବାଇରେ ୧୯୯୫ ଜାନୁଆରି ୨୯ ତାରିଖରେ ଜନ୍ମ ନେଇଥିବା ଦୀପ୍ତି ମୁମ୍ବାଇରେ ହିଁ ପ୍ରତିପାଳିତ। ଦୀପ୍ତିଙ୍କର ପିଲାଟି ବେଳୁ ଗ୍ଲାମର ଦୁନିଆ ପ୍ରତି ଏକ ଅହେତୁକ ଦୁର୍ବଳତା ଜାଗି ଉଠିଥିଲା। ତାଙ୍କର କମନୀୟ ଅଙ୍ଗସୌଷ୍ଠବ ତାଙ୍କୁ ଏ ଦିଗରେ ପ୍ରୋତ୍ସାହିତ କରି ଚାଲିଥିଲା। ତାଙ୍କୁ ମାତ୍ର ତିନି ବର୍ଷ ବୟସ ବେଳୁ ସେ ଭାରତନାଟ୍ୟମ୍‌ ଓ କଥକ ପରି ଶାସ୍ତ୍ରୀୟ ନୃତ୍ୟରେ ପ୍ରଶିକ୍ଷଣ ନେବା ଆରମ୍ଭ କରିଥିଲେ।

୨୦୧୨ରେ ପେଣ୍ଟାଲୁନ୍‌ ପକ୍ଷରୁ ଆୟୋଜିତ ‘ଫ୍ରେସ ଫେସ ହଣ୍ଟ୍‌’ ସୁନ୍ଦରୀ ପ୍ରତିଯୋଗିତାରେ ସେ ‘ପ୍ରଭାବଶୀଳା କେରଳ ସୁନ୍ଦରୀ’ ଆଖ୍ୟା ଅର୍ଜନ କରିଥିଲେ। ସେହିପରି ୨୦୧୩ରେ ମଧ୍ୟ ‘ନୌସେନା ରାଣୀ’ ମୁକୁଟ ହାସଲ କରିଥିଲେ। ଏଥି ସହିତ ୨୦୧୪ରେ ‘ଭାରତୀୟ ରାଜକୁମାରୀ’ ପ୍ରତିଯୋଗିତାର ଉପବିଜୟିନୀ ହେବା ସହ ‘ଫେମିନା ଭାରତ ସୁନ୍ଦରୀ’ ପ୍ରତିଯୋଗିତାର ପ୍ରଥମ ଦଶ ଜଣଙ୍କ ଭିତରେ ରହିଥିଲେ। ତେବେ ଚଳଚ୍ଚିତ୍ର ଜଗତ୍‌କୁ ତାଙ୍କର ପ୍ରଥମ ପ୍ରବେଶ ହୋଇଥିଲା ୨୦୧୫ରେ ମାଲାୟଲୀ ସିନେମା ‘ନୀ-ନା’ ମାଧ୍ୟମରେ। ଏଥିରେ ସେ ପ୍ରଶଂସକ ଓ ସମୀକ୍ଷକମାନଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ। ସେହିପରି ୨୦୧୬ର କନ୍ନଡ଼/ତେଲୁଗୁ ଫିଲ୍ମ ‘ଜାଗୁଆର’ରେ ସେ ପ୍ରଥମ ପ୍ରବେଶ କରି ଦର୍ଶକମାନଙ୍କ ମନରେ ପ୍ରଭାବଶାଳୀ ଛାପ ଛାଡ଼ିପାରିଥିଲେ। ସେହିପରି ୨୦୧୯ରେ ସେ ମରାଠୀ ଫିଲ୍ମ ‘ଲକି’ରେ ପ୍ରଥମେ ଆବିର୍ଭାବ ହୋଇ ଦର୍ଶକଙ୍କୁ ମୁଗ୍‌ଧ କରିପାରିଥିଲେ। ଏହି ଅବସରରେ ମାଲାୟଲୀ ଭାଷାରେ ବିଭିନ୍ନ ବାସ୍ତବଧର୍ମୀ ଧାରାବାହିକରେ ବିଚାରିକା ଓ ପଥପ୍ରଦର୍ଶିକା ଭୂମିକାମାନ ନିଭାଇ ସେ ଦର୍ଶକମାନଙ୍କର ପ୍ରିୟପାତ୍ରୀ ହୋଇପାରିଥିଲେ। ‘ପିଅର୍‌ଲିସ’, ‘ଓନ୍‌ଲି ଫର ସିଙ୍ଗଲ୍‌ସ’, ‘ସିନ୍‌’ ଓ ‘ଲକ୍‌ଡାଉନ୍‌ ଟକ୍ସ’ ପରି ୱେବ୍‌ ଧାରାବାହିକ ମଧ୍ୟ ତାଙ୍କ ଉନ୍ନତମାନ ପ୍ରଦର୍ଶନର ନମୁନା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe