ଦନ୍ତଚିକିତ୍ସା ଛାଡ଼ି ମୟୂରୀଙ୍କ ଅଭିନୟରେ ମନ

Advertisment
ଦନ୍ତଚିକିତ୍ସା ଛାଡ଼ି ମୟୂରୀଙ୍କ ଅଭିନୟରେ ମନ

TV9 Marathi

ଦନ୍ତ ଚିକିତ୍ସା ପାଠ୍ୟକ୍ରମରେ ସ୍ନାତକ ଡିଗ୍ରି ହାସଲ କରି ସୁଦ୍ଧା ଆହ୍ବାନପୂର୍ଣ୍ଣ ଅଭିନୟ ପେସାକୁ ଆଦରିଥିବା ମରାଠୀ ଅଭିନେତ୍ରୀ ମୟୂରୀ ଦେଶମୁଖଙ୍କର ଜୀବନରେ ଭାଗ୍ୟ ଅନେକ ଉଠାପକା ଖେଳ ଖେଳି ଆସିଛି। ତେବେ ସବୁ ପରିସ୍ଥିତିର ମୁକାବିଲା କରି ମୟୂରୀ ତିଷ୍ଠି ରହି ପାରିଛନ୍ତି। ମହାରାଷ୍ଟ୍ରର ଧୂଲେଠାରେ ୧୯୯୨ ସେପ୍ଟେମ୍ବର ୩ରେ ଜନ୍ମିତା ମୟୂରୀ ଡାକ୍ତରୀ ପଢ଼ା ପରେ ଦନ୍ତ ଚିକିତ୍ସା ପେସାକୁ ଆପଣେଇବା ଅପେକ୍ଷା ଅଭିନୟ ଦୁନିଆରେ ନିଜର ଅସ୍ଥିତ୍ବ ଜାହିର କରିବା ଲାଗି ତତ୍ପର ହୋଇ ପଡ଼ିଥିଲେ। ତେଣୁ ସେ ମୁମ୍ବାଇ ସ୍ଥିତ ଏକ ନାମୀ ଅଭିନୟ ପ୍ରତିଷ୍ଠାନରେ ନାମ ଲେଖାଇ ବିଭିନ୍ନ ନାଟକରେ ଅଭିନୟ କରିବା ଆରମ୍ଭ କରିଥିଲେ। ତେବେ ରୁପେଲି ପରଦାରେ ତାଙ୍କର ପ୍ରଥମ ପ୍ରବେଶ ହୋଇଥିଲା ୨୦୧୪ର ମରାଠୀ ସିନେମା ‘ଡ. ପ୍ରକାଶ ବାବା ଆମତେ- ଦି ରିଅଲ୍‌ ହିରୋ’ ମାଧ୍ୟମରେ। ତାଙ୍କୁ ଆଶାତୀତ ଖ୍ୟାତି ମିଳିଥିଲା ୨୦୧୬ରୁ ଦୁଇ ବର୍ଷ ଯାଏ ପ୍ରସାରିତ ମରାଠୀ ଟିଭି ଧାରାବାହିକ ‘ଖୁଲତା କଲି ଖୁଲେନା’ରେ। ସେଥିରେ ସେ ନିର୍ବାହ କରିଥିବା ପ୍ରମୁଖ ଚରିତ୍ରକୁ ଦର୍ଶକ ଓ ସମୀକ୍ଷକମାନେ ଖୁବ୍‌ ଗ୍ରହଣ କରିଥିଲେ। ଏହାପରେ ୨୦୧୮ରେ ଦ୍ବିତୀୟ ମରାଠୀ ସିନେମା ’୩୧ ଦିବସ’ ପାଇଁ ସେ ଆହୁରି ଲୋକପ୍ରିୟ ହୋଇପାରିଥିଲେ।

ଏଥି ସହିତ ତାଙ୍କ ରଚିତ ପ୍ରଥମ ନାଟକ ‘ଡିଅର ଆଜୋ’ ମଧ୍ୟ ସେହିବର୍ଷ ବିଭିନ୍ନ ମଞ୍ଚରେ ପରିବେଷିତ ହୋଇ ମୟୂରୀଙ୍କୁ ପ୍ରଶଂସାରେ ପୋତି ପକାଇଥିଲା। ଜଣେ ଅଭିନେତ୍ରୀ ଭାବରେ ସେ ଯେତିକି ପରିଚିତ ଥିଲେ ଏହି ମରାଠୀ ନାଟକ ତାଙ୍କୁ ତା’ଠାରୁ ଯଥେଷ୍ଟ ଅଧିକ ରାଜ୍ୟବ୍ୟାପୀ ପ୍ରତିଷ୍ଠା ଆଣିଦେଇଥିଲା। ସିନେମା କି ଟିଭି ଧାରାବାହିକ ଅପେକ୍ଷା ମଞ୍ଚ ନାଟକକୁ ବେଶୀ ଗୁରୁତ୍ବ ଦେଉଥିବା ମୟୂରୀଙ୍କ ପାଇଁ ତାଙ୍କ ଅଭିନୀତ ପରବର୍ତ୍ତୀ ନାଟକ ‘ତିସରେ ବାଦଶାହ ହମ୍‌’ ତାଙ୍କ ପାଇଁ ଆହୁରି ସଫଳ ସାବ୍ୟସ୍ତ ହୋଇଥିଲା। ସେ ଏଥିରେ ନିଭାଇଥିବା ଚାରୁଶୀଳା ଭୂମିକା ତାଙ୍କର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲା। ତେବେ ୨୦୨୦ ଥିଲା ମୟୂରୀଙ୍କ ପାଇଁ ସବୁଠୁ ବ୍ୟସ୍ତବହୁଳ ବର୍ଷ। ସେହିବର୍ଷ ତାଙ୍କ ଅଭିନୀତ ‘ଗ୍ରେ’ ଓ ‘ଲଗ୍ନା କାଲ୍ଲୋଳ’ ପରି ଦୁଇ ଦୁଇଟି ମରାଠୀ ସିନେମା ମୁକ୍ତିଲାଭ କରିବା ସହ ଚଳିତବର୍ଷ ଯାଏ ପ୍ରସାରଣ ଜାରି ରହିଥିବା ଟିଭି ଧାରାବାହିକ ‘ଇମଲି’ରେ ମଧ୍ୟ ସେ ଅଭିନୟ କରିଥିଲେ। ଏଥିରେ ତାଙ୍କୁ ମିଳିଥିବା ଭିନ୍ନ ଚରିତ୍ର ପ୍ର. ମାଳିନୀ ଚତୁର୍ବେଦୀ ପୂର୍ବର ସମସ୍ତ ଲୋକପ୍ରିୟତାକୁ ଟପିଯାଇଥିଲା। ଏହିପରି ଜଣେ ଉଦୀୟମତି କଳାକାରଙ୍କର ଦାମ୍ପତ୍ୟ ଜୀବନ କିନ୍ତୁ ଦୁର୍ଭାଗ୍ୟଜନକ ହୋଇଛି। ୨୦୧୬ ମସିହାରେ ଅଭିନେତା ଆଶୁତୋଷ ଭାକ୍ରେଙ୍କୁ ମୟୂରୀ ବିବାହ କରିଥିଲେ। ମାତ୍ର ଚାରି ବର୍ଷର ଘରସଂସାରରେ ସେଭଳି କିଛି ଝଡ଼ ଦେଖାଦେଇନଥିବା ବେଳେ ୨୦୨୦ ଜୁଲାଇରେ ଆଶୁତୋଷ କୌଣସି କାରଣରୁ ନିଜ ଘରେ ଆତ୍ମହତ୍ୟା କରିଥିଲେ। ଏଥିରେ ମୟୂରୀ ଖୁବ୍‌ ଭାଙ୍ଗିପଡ଼ିଥିଲେ ହେଁ ନିଜକୁ ଅଭିନୟ ବ୍ୟସ୍ତତା ଭିତରେ ହଜାଇ ଆଗକୁ ବଢ଼ିବାକୁ ଚେଷ୍ଟିତ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe