ଭଦ୍ରକରେ ରାଜ ବବ୍ବରଙ୍କ ରୋଡ୍ ସୋ’

Advertisment
ଭଦ୍ରକରେ ରାଜ ବବ୍ବରଙ୍କ ରୋଡ୍ ସୋ’

ଭଦ୍ରକ: ଭଦ୍ରକ ବିଧାନସଭା ନିର୍ବାଚନ ମଣ୍ଡଳୀରେ କଂଗ୍ରେସର ବରିଷ୍ଠ ନେତା ତଥା ବଲିଉଡ୍‌ ଅଭିନେତା ରାଜ ବବ୍ବରଙ୍କ ବିଶାଳ ରୋଡ୍‌ ସୋ’ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସେ କେନ୍ଦ୍ରରେ ମୋଦୀ ସରକାର ଓ ରାଜ୍ୟର ନବୀନ ସରକାରକୁ ସମାଲୋଚନା କରି ଦେଶ ତଥା ରାଜ୍ୟର ବିକାଶ ଲାଗି କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିଥିଲେ। ୮୦ ଓ ୯୦ ଦଶକର ଏହି ଚର୍ଚ୍ଚିତ ବଲିଉଡ୍‌ ଅଭିନେତାଙ୍କୁ ଦେଖିବା ଲାଗି ସହରର ବିଭିନ୍ନ ସ୍ଥାନରେ ବିପୁଳ ଜନ ସମାଗମ ମିଳୁଥିବା ପରିଲକ୍ଷିତ ହୋଇଥିଲା। ନିର୍ଦ୍ଧାରିତ ସମୟ ଦିନ ୧୧ଟାରେ ରାଜ ବବ୍ବର ଭଦ୍ରକ ପୁରୁଣାବଜାର ମହାବୀର ପଡ଼ିଆରେ ହେଲିକୋପ୍ଟର ଯୋଗେ ଆସି ପହଞ୍ଚିଥିଲେ। ତାଙ୍କ ସହ ଓଡ଼ିଶା ପ୍ରଦେଶ ଦାୟିତ୍ୱରେ ଥିବା କଂଗ୍ରେସର ସହପ୍ରଭାରୀ ରୁଦ୍ର ରାଜୁ, ଅନିଲ ଚୌଧୁରୀ, ବିରୋଧୀ ଦଳ ନେତା ନରସିଂହ ମିଶ୍ର ମଧ୍ୟ ଆସିଥିଲେ। ସେଠାରେ ଭଦ୍ରକ ଲୋକସଭା ପ୍ରାର୍ଥୀ ମଧୁସ୍ମିତା ସେଠୀ, ବିଧାୟକ ପ୍ରାର୍ଥୀ ନଳିନୀକାନ୍ତ ମହାନ୍ତିଙ୍କ ସମେତ ବହୁ କଂଗ୍ରେସ ନେତା ତାଙ୍କୁ ସ୍ବାଗତ କରିଥିଲେ। ପରେ ଶ୍ରୀ ବବ୍ବର ମହାବୀର ପଡ଼ିଆରୁ ଏକ ବିଶାଳ ବାଇକ୍ ରାଲି ସହ ଖୋଲା ଜିପ୍‌ରେ ଭଦ୍ରକ ସହର ପରିକ୍ରମା କରିଥିଲେ। ସହରର ପୁରୁଣାବଜାର, ଗରଦପୁର, ପାଟଣା ସାହି, ସନ୍ଥିଆ, କଚେରି ବଜାର, ନୂଆବଜାର ଦେଇ ଗୋଶାଳା ଛକ, କୁଆଁଶ, କଦମବେଢ଼ା ହୋଇ ପୁଣି ପୁରୁଣାବଜାରରେ ଏହି ଶୋଭାଯାତ୍ରା ପହଞ୍ଚିଥିଲା। ଏହି ଅବସରରେ ଶ୍ରୀ ବବ୍ବର ଭଦ୍ରକର ସାଂସଦ ପ୍ରାର୍ଥିନୀ ଓ ବିଧାୟକ ପ୍ରାର୍ଥୀଙ୍କୁ ବହୁମତ ଦେଇ ଜୟଯୁକ୍ତ କରାଇବା ସହିତ କେନ୍ଦ୍ରରେ କଂଗ୍ରେସକୁ କ୍ଷମତାସୀନ କରାଇବାକୁ ଅନୁରୋଧ କରିଥିଲେ। ଭଦ୍ରକ ବିଧାୟକ ପ୍ରାର୍ଥୀ ନଳିନୀକାନ୍ତ ମହାନ୍ତି ତାଙ୍କ ବକ୍ତବ୍ୟରେ ଭଦ୍ରକର ସାମୂହିକ ବିକାଶ, ଉଭୟ ସମ୍ପ୍ରଦାୟ ମଧ୍ୟରେ ଭାଇଚାରା ରକ୍ଷା କରିବା, ଭଦ୍ରକରେ ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା, ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟକୁ ଏକକ ବିଶ୍ୱବିଦ୍ୟାଳୟରେ ପରିଣତ କରିବା, ପୁରୁଣାବଜାରରେ ଏକ ଉର୍ଦ୍ଦୁ ସିଟି ସ୍କୁଲ ପ୍ରତିଷ୍ଠା, ସେଠାରେ ଏକ ଦମକଳ କେନ୍ଦ୍ର ସ୍ଥାପନ, ଭଦ୍ରକ ସହରର ରାସ୍ତା, ପାନୀୟ ଜଳ ସମସ୍ୟା ଦୂର କରିବାକୁ ସେ ସଂକଳ୍ପବଦ୍ଧ ବୋଲି ପ୍ରକାଶ କରିଥିଲେ।

ଏହି ଶୋଭାଯାତ୍ରାରେ ଟାଉନ ସଭାପତି ଅବଦୁଲ ମୁକିତ ଖାଁ, ପିସିସି ସମ୍ପାଦକ ସେକ୍‌ ଗୁଲାମ ମଇଉଦ୍ଦିନ, ବ୍ଲକ୍‌ ସଭାପତି ପ୍ରଫୁଲ୍ଲ ସାମଲ, ଜିଲ୍ଲା ଉପସଭାପତି ଅତୁଲ୍ୟ ନାୟକ, କାଉନ୍‌ସିଲର ଦିଲ୍ଲୀପ ନାୟକ, ସେକ୍ ସମଦାନୀ, ଅସରଫ ଅଲ୍ଲି ଖାଁ, ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ବଳରାମ ରାଉତ (ଚିଲିକା), ଜିଲ୍ଲା ସେବାଦଳ ମୁଖ୍ୟ ସେକ୍ ନଇମ, ମୀର୍ଜା ଏକ୍ରାମ, ସେକ୍ ଜୁଲଫିକର, ଯାଦବ ନେତା ପ୍ରକାଶଜ୍ୟୋତି ମହାକୁଡ଼, ପୀତବାସ ଧଳ, ଜିଲ୍ଲା ସଂପାଦକ ପ୍ରଦୀପ ନାୟକ, ଶଶିକାନ୍ତ ଜେନା, ସେକ୍ ବବି, ସେକ ଇଲିୟାସ, ରାଜୀବ ଲୋଚନ ନାୟକ, ପିଙ୍କୁ ଚକ୍ରବର୍ତ୍ତୀ, ସତ୍ୟ ପୁହାଣ, ଚନ୍ଦ୍ରକାନ୍ତ ମହାପାତ୍ର, ସେକ୍ ଜକିରୁଦ୍ଦିନ, ସେକ୍ ବୁଗ୍‌ଦାଦ, ଅନନ୍ତ ପଣ୍ଡା ପ୍ରମୁଖ ସାମିଲ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe