ଭଦ୍ରକ ଲୋକସଭା ଆସନ: ଚର୍ଚ୍ଚାରେ ତିନି ପ୍ରମୁଖ ଦଳର ୩ ନବାଗତ ପ୍ରାର୍ଥୀ

Advertisment
ଭଦ୍ରକ ଲୋକସଭା ଆସନ: ଚର୍ଚ୍ଚାରେ ତିନି ପ୍ରମୁଖ ଦଳର ୩ ନବାଗତ ପ୍ରାର୍ଥୀ

ଭଦ୍ରକ: ଆସନ୍ତା ୨୯ତାରିଖରେ ହେବାକୁ ଥିବା ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ସବୁ ରାଜନୈତିକ ଦଳ ପକ୍ଷରୁ ତାରକା ପ୍ରଚାରକମାନଙ୍କ ମାରାଥନ ପ୍ରଚାର ଓ ରୋଡ ସୋ’ରେ କମ୍ପୁଛି ଭଦ୍ରକ ଜିଲ୍ଲା। ଶେଷ ମୁହୂର୍ତ୍ତରେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ରାଜନୈତିକ ଦଳମାନେ କୌଣସି ସୁଯୋଗ ହାତଛଡ଼ା କରୁନାହାନ୍ତି। ଏଥର ଭଦ୍ରକ ଲୋକସଭା କ୍ଷେତ୍ରରେ ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ସଂପୂର୍ଣ୍ଣ ନୂଆ ଚେହେରାମାନଙ୍କୁ ନେଇ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଥିବାରୁ ଏହା ବେଶ୍ ଚର୍ଚ୍ଚାର ବିଷୟ ହୋଇଛି। ଭଦ୍ରକ ଲୋକସଭା କ୍ଷେତ୍ରର ରାଜନୈତିକ ପାଣିପାଗ ପ୍ରାର୍ଥୀ ଚୟନ ବେଳୁ ଓଲଟପାଲଟ ହୋଇଯାଇଥିଲା। ଯେଉଁମାନଙ୍କ ନାମ ନିର୍ବାଚନ ମଇଦାନରେ ପ୍ରାର୍ଥୀ ହେବା ପାଇଁ ଚର୍ଚ୍ଚା ହେଉଥିଲା, ସେମାନଙ୍କୁ ସେହିସବୁ ଦଳ ପ୍ରାର୍ଥୀ କଲାନାହିଁ। ବିଜେଡି, ବିଜେପି ଓ କଂଗ୍ରେସ ବରିଷ୍ଠ ନେତାଙ୍କୁ ପ୍ରାର୍ଥୀ ନ କରି ତିନି ନୂଆ ମୁହଁକୁ ଟିକେଟ ଦେଇଥିଲା। ବିଜେଡି ଧାମନଗର ବିଧାୟକ ମୁକ୍ତିକାନ୍ତ ମଣ୍ଡଳଙ୍କ ପତ୍ନୀ ମଞ୍ଜୁଲତା ମଣ୍ଡଳଙ୍କୁ ପ୍ରାର୍ଥୀ କରିଥିବାବେଳେ କଂଗ୍ରେସ ପୂର୍ବତନ ସାଂସଦ ଅନନ୍ତ ସେଠୀଙ୍କ ଝିଅ ମଧୁସ୍ମିତା ସେଠୀଙ୍କୁ ପ୍ରାର୍ଥୀ କରିଛି। ଅନ୍ୟପକ୍ଷରେ ବିଜେଡି ଟିକେଟର ବଞ୍ଚିତ ହୋଇଥିବା ସାଂସଦ ଅର୍ଜୁନ ସେଠୀ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେବା ପରେ ବିଜେପି ତାଙ୍କ ପୁଅ ଅଭି‌ମନ୍ୟୁ ସେଠୀଙ୍କୁ ପ୍ରାର୍ଥୀ କରିଛି। ତେଣୁ ଏହି ତିନି ନୂଆ ଚେହେରାକୁ ନେଇ ସମଗ୍ର ଲୋକସଭା କ୍ଷେତ୍ରରେ ରାଜନୈତିକ ପ୍ରଚାର ଜମିଛି। ବିଜେପି ପ୍ରାର୍ଥୀ ଅଭିମନ୍ୟୁ ସେଠୀଙ୍କ ରୋଡ ସୋ’ ଓ ପ୍ରଚାର ବେଳେ ଲୋକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ପରିଲକ୍ଷିତ ହେଉଥିବା ବେଳେ ଅଭିମନ୍ୟୁ ରାଜନୀତିରେ ନୂଆ ହୋଇଥିବାରୁ ଅଭିଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର କେନ୍ଦ୍ରୀଭୂତ ହୋଇଛି। ସେହିପରି କଂଗ୍ରେସ ପ୍ରାର୍ଥୀ ମଧୁମିତାଙ୍କ ପ୍ରଚାର ବେଳେ ମଧ୍ୟ ତାଙ୍କୁ ନେଇ ଭୋଟରଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହେଉଛି। ବିଜେଡି ପ୍ରାର୍ଥୀ ମଂଜୁଲତା ମଣ୍ଡଳ ବି ରାଜନୀତି‌େର ନୂଆ ହୋଇଥିବାରୁ ତାଙ୍କ ନାମକୁ ନେଇ ଭୋଟରଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି। ଏଇ ତିନି ନବାଗତ ପ୍ରାର୍ଥୀ ନୂଆକରି ରାଜନୈତିକ ଜୀବନ ଆରମ୍ଭ କରିଥିବା ବେଳେ ସେମାନେ ମଧ୍ୟ ଭଦ୍ରକ ଲୋକସଭା କ୍ଷେତ୍ରରେ ବିକାଶ ପାଇଁ କିଛି ନୂଆ ସ୍ବପ୍ନ ଦେଖିଛନ୍ତି। ଭଦ୍ରକ ଲୋକସଭା କ୍ଷେତ୍ରରେ ବିକାଶମୂଳକ କାମକୁ ଅଧିକ ତ୍ବରାନ୍ବିତ କରିବା ପାଇଁ ପ୍ରାର୍ଥୀମାନେ ନିଜ ନିଜର ନିର୍ବାଚନୀ ପ୍ରସଙ୍ଗ ରଖୁଥିବା ବେଳେ ସେମାନଙ୍କ ସପକ୍ଷରେ ମତଦାନ କରିବାକୁ ଘରେ ଘରେ ବୁଲି ଭୋଟରଙ୍କୁ ନିବେଦନ କରୁଛନ୍ତି।

ବିଜେଡି–ବିଜେପି-କଂଗ୍ରେସ ତିନି ପ୍ରମୁଖ ଦଳ ପ୍ରାର୍ଥୀ ନୂଆ ଦେଇଥିବା ବେଳେ ସେମାନଙ୍କ ପ୍ରଚ୍ଛଦପଟରେ କିନ୍ତୁ ରହିଛନ୍ତି ହେଭିୱେଟ ନେତା। ଅଭିଙ୍କ ପଛରେ ସାଂସଦ ପିତା ଅର୍ଜୁନ ସେଠୀ ଥିବା ବେଳେ ମଧୁମିତାଙ୍କ ପଥରେ ପିତା ବରିଷ୍ଠ କଂଗ୍ରେସନେତା ଅନନ୍ତ ସେଠୀ ଓ ମଞ୍ଜୁଲତାଙ୍କ ପଛରେ ସ୍ବାମୀ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ପ୍ରଚାର କରୁ୍ଛନ୍ତି। ବିଜେପି ଅଭିମନ୍ୟୁଙ୍କୁ ନେଇ ନିର୍ବାଚନ ମଇଦାନରେ ନିଜର ଗୋଟିଚାଳନା ଆରମ୍ଭ କରିଛି। ପ୍ରଚାର କ୍ଷେତ୍ରରେ କଂଗ୍ରେସ ମଧ୍ୟ ପଛରେ ପଡ଼ିନାହିଁ। ବରିଷ୍ଠ କଂଗ୍ରେସ ନେତା ପୂର୍ବତନ ସାଂସଦ ଅନନ୍ତ ପ୍ରସାଦ ସେଠୀଙ୍କ ନାମ କଂଗ୍ରେସର ଲୋକସଭା ପ୍ରାର୍ଥୀ ପାଇଁ ମୂଳରୁ ଚର୍ଚ୍ଚା ହେଉଥିଲା। ମାତ୍ର ଅନନ୍ତଙ୍କୁ ଦଳ ସିମୁଳିଆ ବିଧାନସଭା କ୍ଷେତ୍ର ପାଇଁ ପ୍ରାର୍ଥୀ କରିଥିବାବେଳେ ଅନନ୍ତଙ୍କ ଝିଅ ମଧୁମିତାଙ୍କୁ ପ୍ରାର୍ଥୀ କରି ମହିଳା କାର୍ଡ‌ ଖେଳିଛି କଂଗ୍ରେସ। କଂଗ୍ରେସ ଦଳ ତାଙ୍କ ଉପରେ ଆସ୍ଥା ଓ ବିଶ୍ବାସ ରଖି ତାଙ୍କୁ ପ୍ରାର୍ଥୀ କରିଥିବାରୁ ସେ ମଧ୍ୟ ନିଜର ନିର୍ବାଚନ ପ୍ରଚାର ଜୋରଦାର ଚଳାଇଛନ୍ତି। ବିଜେଡିରୁ ଅର୍ଜୁନଙ୍କୁ ଅନ୍ତର କରାଯିବା ପରେ ଧାମନଗର ବିଧାୟକ ମୁକ୍ତି ମଣ୍ଡଳଙ୍କୁ ଦଳୀୟ ପ୍ରାର୍ଥୀ କରାଯିବ ବୋଲି ମୂଳରୁ ଚର୍ଚ୍ଚା ହେଉଥିଲା। ମାତ୍ର ଶେଷ ବେଳକୁ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ମୁକ୍ତିଙ୍କ ପତ୍ନୀ ମଞ୍ଜୁଲତାଙ୍କୁ ଟିକଟ ଦେଇ ଦଳର ସୁପ୍ରିମୋ ମହିଳା କାର୍ଡ ଖେଳିଲେ। ରାଜନୈତିକ ମଇଦାନରେ ମଂଜୁ ନୂଆ ହେଲେ ମଧ୍ୟ ତାଙ୍କ ସ୍ବାମୀ ବିଜେଡିର ଜଣେ ଆଗଧାଡିର ରାଜନେତା ତଥା ଧାମନଗରର ବିଧାୟକ। ମଂଜୁଲତାଙ୍କ ପାଇଁ ତାଙ୍କ ସ୍ବାମୀ ମୁକ୍ତିକାନ୍ତ ମଧ୍ୟ ଜୋରଦାର ପ୍ରଚାର ଆରମ୍ଭ କରିଦେଇଛନ୍ତି। ବିଜେଡି ଦଳ ମଧ୍ୟ ନବାଗତ ମଂଜୁଲତାଙ୍କୁ ନେଇ ଏଥର ନିର୍ବାଚନ ବୈତରଣୀ ପାର ହେବା ପାଇଁ ଜୋରଦାର ପ୍ରୟାସ ଚଳାଇଛି। ତେବେ ଭଦ୍ରକ ଲୋକସଭା କ୍ଷେତ୍ରରେ ଏଇ ନୂଆ ରାଜନେତାଙ୍କ ଭବିଷ୍ୟତ କଣ ଲେଖା ଅଛି ତାହା ଶେଷରେ ଭୋଟର ହିଁ ସ୍ଥିର କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe