ରଣନୀତି ବଦଳାଇଲା ବିଜେପି, ଭୋପାଳରେ ଦିଗବିଜୟ ବନାମ ସାଧ୍ବୀ

Advertisment
ରଣନୀତି ବଦଳାଇଲା ବିଜେପି, ଭୋପାଳରେ ଦିଗବିଜୟ ବନାମ ସାଧ୍ବୀ

ନୂଆଦିଲ୍ଲୀ : ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଆଜି ବିଜେପି ସାଧ୍ବୀ ପ୍ରଜ୍ଞା ସିଂହ ଠାକୁରଙ୍କୁ ଭୋପାଳ ଲୋକସଭା ଆସନରୁ ପ୍ରାର୍ଥୀ ଘୋଷଣା କରିଛି। ସାଧ୍ବୀ ପ୍ରଜ୍ଞା ଆଜି ବିଜେପିରେ ଯୋଗ ଦେବାର ମାତ୍ର ୩ ଘଣ୍ଟା ମଧ୍ୟରେ ତାଙ୍କୁ ଦଳୀୟ ଟିକଟ ମିଳିବା ପରେ ଭୋପାଳ ରାଜନୀତି ସରଗରମ ହୋଇଉଠିଛି। ଏହି ଆସନରେ ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂହଙ୍କ ବିରୋଧରେ ବିଜେପି ସାଧ୍ବୀଙ୍କୁ ମଇଦାନରେ ଅବତୀର୍ଣ୍ଣ କରାଇବା ପରେ ଏବେ ଧାର୍ମିକ ଆଧାରରେ ପ୍ରଚାର ତେଜିବ ବୋଲି କୁହାଯାଉଛି। ବିଜେପିର ଗଡ଼ ଭାବେ ପରିଚିତ ଭୋପାଳରୁ ଦିଗବିଜୟ କଂଗ୍ରେସ ପ୍ରାର୍ଥୀ ହେବାପରେ ଏହି ଆସନରେ ଜଣେ ଟାଣୁଆ ପ୍ରାର୍ଥୀ ଦେବାକୁ କସରତ ଚାଲିଥିଲା। ପୂର୍ବ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଏବଂ ବରିଷ୍ଠ ନେତ୍ରୀ ଉମା ଭାରତୀ ଲୋକସଭା ନିର୍ବାଚନ ଲଢ଼ିବେ ନାହିଁ ବୋଲି ଘୋଷଣା କରିଥିବାରୁ ଏଠାରେ ପ୍ରାର୍ଥୀ ଚୟନ କରିବା ନେଇ ବିଜେପିରେ ସଙ୍କଟ ଦେଖାଦେଇଥିଲା। ତେବେ ବରିଷ୍ଠ କଂଗ୍ରେସ ନେତା ଦିଗ୍‌ବିଜୟଙ୍କୁ ହରାଇବାପାଇଁ ବିଜେପି ଏହାର ରଣନୀତି ବଦଳାଇଛି। ଜଣେ ଉଗ୍ର ହିନ୍ଦୁବାଦୀ ନେତାଙ୍କୁ ପ୍ରାର୍ଥୀ କରି ବିଜେପି ଏଥର ନୂଆ କାର୍ଡ ଖେଳିଛି।

ଉଲ୍ଲେଖଯୋଗ୍ୟ, ୨୦୦୮ ମାଲେଗାଓଁ ବିସ୍ଫୋରଣ ମାମଲାରେ ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ସାଧ୍ବୀଙ୍କୁ ଗତ ବର୍ଷ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ କରାଯାଇଥିଲା। ଜାତୀୟ ତଦନ୍ତକାରୀ ସଂସ୍ଥା ଏନ୍‌ଆଇଏ ତାଙ୍କୁ ଏହି ମାମଲାରେ କ୍ଲିନ୍‌ଚିଟ୍‌ ଦେଇଥିଲା। ସାଧ୍ବୀଙ୍କୁ ଗତବର୍ଷ ବମ୍ବେ ହାଇକୋର୍ଟ ଜାମିନ ପ୍ରଦାନ କରିଥିଲେ। ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂହଙ୍କୁ ମୁକାବିଲା କରିବା ଦିଗରେ ସାଧ୍ବୀଙ୍କୁ ଜଣେ ଟାଣୁଆ ପ୍ରାର୍ଥୀ ବିବେଚନା କରାଯାଉଥିଲେ ମଧ୍ୟ ରାଜନୀତି ‌କ୍ଷେତ୍ରରେ ତାଙ୍କର ଅଭିଜ୍ଞତା ନଥିବା ହେତୁ ଏହା ତାଙ୍କ ପାଇଁ ସମସ୍ୟା ସୃଷ୍ଟି କରିବ ବୋଲି କୁହାଯାଉଛି । ଭୋପାଳ ଆସନରେ ୧୯୮୯ ରୁ ବିଜେପି ଲଗାତାର ନିର୍ବାଚନ ଜିତି ଆସିଛି। ଏହି ଆସନରୁ ୧୯୮୪ରେ ଶେଷ ଥର ପାଇଁ କଂଗ୍ରେସ ସାଂସଦ କେଏନ୍‌ ପ୍ରଧାନ ନିର୍ବାଚିତ ହୋଇଥିଲେ। ତେବେ ଏଥର ଭୋପାଳ ଆସନ ନିଜ କବ୍‌ଜାକୁ ନେବାପାଇଁ କଂଗ୍ରେସ ଏଠାରେ ଉଦ୍ୟମ ଜାରି ରଖିଥିବା ବେଳେ ନିର୍ବାଚନୀ ମଇଦାନକୁ ସାଧ୍ବୀ ଆସିବାପରେ ପ୍ରତିଦ୍ବନ୍ଦ୍ବିତା ରୋଚକ ମୋଡ଼ ନେଇଛି। ସାଧ୍ବୀ ପ୍ରଜ୍ଞାଙ୍କ ବିରୋଧରେ ଥିବା ଏମ୍‌ସିଓସିଏ (ମହାରାଷ୍ଟ୍ର କଣ୍ଟ୍ରୋଲ୍‌ ଅଫ୍‌ ଅର୍ଗାନାଇଜ୍‌ଡ କ୍ରାଇମ୍‌ ଆକ୍ଟ୍‌)କୁ କୋର୍ଟ ହଟାଇ ଦେଇଥିବାବେଳେ ସେ ଏବେ ୟୁଏପିଏ ଆଇନ ଅଧୀନରେ ବିଚାର ସାମ୍ନା କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe