Outlook India
ହାଇଦ୍ରାବାଦ୍: ନିର୍ବାଚନକୁ ଆଉ ମାତ୍ର ୫ ଦିନ ବାକିଥିବାବେଳେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍ ଚନ୍ଦ୍ରବାବୁ ନାଇଡ଼ୁଙ୍କୁ ଆଜି ଶକ୍ତ ଝଟ୍କା ଲାଗିଛି। ଚନ୍ଦ୍ରବାବୁଙ୍କ ଘନିଷ୍ଠ ସହଯୋଗୀ ତଥା ଟିଡିପି ସାଂସଦ ସିଏମ୍ ରମେଶଙ୍କ ଆନ୍ଧ୍ରପ୍ରଦେଶ ସ୍ଥିତ ବାସଭବନରେ ଆଜି ଆୟକର ଚଢ଼ଉ ହୋଇଛି। ସିଏମ୍ ରମେଶଙ୍କ ସହ ତାଙ୍କ ସମ୍ପର୍କୀୟ ଏବଂ ସମର୍ଥକମାନଙ୍କ ବାସଭବନରେ ମଧ୍ୟ ଆଜି ଆୟକର ଚଢ଼ଉ ହୋଇଥିବାରୁ ଏହାକୁ ବିରୋଧ କରି ନାଇଡ଼ୁ ଆଜି ନିର୍ବାଚନୀ ପ୍ରଚାର ଛାଡ଼ି ବିଜୟୱାଡ଼ାରେ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ଆଗରେ ଧାରଣାରେ ବସିଛନ୍ତି। ନାଇଡ଼ୁଙ୍କ ସହ ବିଜୟୱାଡ଼ା ସାଂସଦ କେସିନେନି ଶ୍ରୀନିବାସ ଏବଂ ଅନ୍ୟ ବରିଷ୍ଠନେତାମାନେ ମଧ୍ୟ ଧାରଣାରେ ବସିଛନ୍ତି। ନାଇଡ଼ୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଟିଡିପିକୁ ଦୁର୍ବଳ କରିବାପାଇଁ ମୋଦୀ ଜଗନ ରେଡ୍ଡି ଏବଂ କେସିଆରଙ୍କ ସହ ଷଡ଼୍ଯନ୍ତ୍ର କରୁଛନ୍ତି ବୋଲି ନାଇଡ଼ୁ ଅଭିଯୋଗ କରିଛନ୍ତି। ସେହିପରି ଆୟକର ବିଭାଗ ଏବଂ କେନ୍ଦ୍ରୀୟ ସଂସ୍ଥା ଗୁଡ଼ିକ ସୀମା ନଟପିବା ଉଚିତ୍ ବୋଲି ନାଇଡ଼ୁ କହିଛନ୍ତି। ମୋଦୀ ଆନ୍ଧ୍ରପ୍ରଦେଶ ସହ ପ୍ରତାରଣା କରିଛନ୍ତି ଏବଂ ନିଜସ୍ବ ସ୍ବାର୍ଥ ପାଇଁ ସେ ତାଙ୍କ ନିଜ ଦଳ ଏବଂ ଦେଶର ବିନାଶ କରୁଛନ୍ତି ବୋଲି ନାଇଡ଼ୁ କହିଛନ୍ତି। ସେହିପରି ଟିଡିପି ସାଂସଦ ରମେଶ କହିଛନ୍ତି ଯେ ବିଜେପି ଏବଂ ଆନ୍ଧ୍ରପ୍ରଦେଶର ମୁଖ୍ୟ ବିରୋଧୀ ଦଳ ୱାଇଏସଆର କଂଗ୍ରେସ ଆସନ୍ତା ଲୋକସଭା ନିର୍ବାଚନ ପାଇଁ ଟିଡିପିକୁ ଟାର୍ଗେଟ୍ କରିଛନ୍ତି।
Follow Us