ମାୟାବତୀ-ମୁଲାୟମ ଗୋଟିଏ ମଞ୍ଚରେ

Advertisment

ପରସ୍ପରକୁ ଭୂୟସୀ ପ୍ରଶଂସା, ଏସ୍‌ପି-ବିଏସ୍‌ପି ମେଣ୍ଟ ସମୟର ଆହ୍ବାନ

ପରସ୍ପରକୁ ଭୂୟସୀ ପ୍ରଶଂସା, ଏସ୍‌ପି-ବିଏସ୍‌ପି ମେଣ୍ଟ ସମୟର ଆହ୍ବାନ

ମାୟାବତୀ-ମୁଲାୟମ ଗୋଟିଏ ମଞ୍ଚରେ

ମୈନପୁରୀ: ଦୁଇ ଘୋର ରାଜନୈତିକ ଶତ୍ରୁ ସମାଜବାଦୀ ପାର୍ଟି ପ୍ରତିଷ୍ଠାତା ମୁଲାୟମ ସିଂହ ଯାଦବ ଏବଂ ବହୁଜନ ସମାଜ ପାର୍ଟି ସୁପ୍ରିମୋ ମାୟାବତୀ ଆଜି ମୈନ୍‌ପୁରୀରେ ଗୋଟିଏ ମଂଚରେ ଏକାଠି ହୋଇଛନ୍ତି। ଉତ୍ତର ପ୍ରଦେଶ ରାଜନୀତିରେ ଏହା ଏକ ଐତିହାସିକ ଘଟଣା ଥିବା ବେଳେ ମଂଚରେ ଉଭୟ ନେତା ପରସ୍ପରକୁ ଭୂୟସୀ ପ୍ରଶଂସା କରିଥିଲେ। ଦୀର୍ଘ ୨୪ ବର୍ଷ ପରେ ମୁଲାୟମ-ମାୟାବତୀ ପୂର୍ବର ରାଜନୈତିକ ତିକ୍ତତାକୁ ଭୁଲି ବିଜେପି ବିରୋଧରେ ହାତ ମିଳାଇଥିବାରୁ ଉତ୍ତର ପ୍ରଦେଶ ରାଜନୀତିରେ ଏଥର ଅନେକ ହଟଚମଟ ଦେଖିବାକୁ ମିଳିବ। ମାୟାବତୀ ୧୯୯୫ରେ ଘଟିଥିବା ଗେଷ୍ଟ୍‌ ହାଉସ୍‌ କାଣ୍ଡକୁ ଉଲ୍ଲେଖ କରିଥିଲେ ମଧ୍ୟ କୌଣସି ବଡ଼ ଲକ୍ଷ୍ୟ ସାଧନ ଦିଗରେ ପୁରୁଣା କଥାକୁ ଭୁଲିବାକୁ ହେବ ବୋଲି କହିଥିଲେ। ସୂଚନାଯୋଗ୍ୟ, ୨ ଜୁନ୍‌ ୧୯୯୫ରେ ସପା କର୍ମୀମାନେ ମାୟାବତୀଙ୍କୁ ଲକ୍ଷ୍ନୌର ଏକ ଗେଷ୍ଟ୍ ହାଉସ୍‌ରେ ଆକ୍ରମଣ କରିଥିଲେ ଏବଂ ମାୟାବତୀ ସେଠରୁ ବହୁ କଷ୍ଟରେ ଜୀବନ ରକ୍ଷା କରି ଜଣେ ବିଜେପି ବିଧାୟକଙ୍କ ସହାୟତାରେ ବାହାରି ଥିଲେ। ଏହି ଘଟଣା ପରେ ମାୟାବତୀ ବିଜେପି ସହିତ ହାତ ମିଳାଇ ସରକାର ଗଠନ କରିଥିଲେ। ଗେଷ୍ଟ୍‌ ହାଉସ୍‌ କାଣ୍ଡର ୨୪ ବର୍ଷ ପରେ ଆଜି ମାୟାବତୀ-ମୁଲାୟମ ପୁଣି ଏକାଠି ହୋଇଛନ୍ତି ଏବଂ ବିଜେପିକୁ କେନ୍ଦ୍ରରୁ ହଟାଇବା ପାଇଁ ସଂକଳ୍ପ ନେଇଛନ୍ତି। ଏହି ଅବସରରେ ଉଭୟେ ପରସ୍ପରକୁ ବିପୁଳ ପ୍ରଶଂସା କରିଛନ୍ତି। ମୁଲାୟମ କହିଥିଲେ ଯେ ତାଙ୍କ ରାଜନୈତିକ ଜୀବନରେ ସେ ମାୟାବତୀଙ୍କଠାରୁ ଅନେକ ବାର ସମର୍ଥନ ପାଇଛନ୍ତି ଏବଂ ଏହାକୁ ସେ କେବେ ଭୁଲି ପାରିବେ ନାହିଁ। ମାୟାବତୀ ମଧ୍ୟ ମୁଲାୟମଙ୍କୁ ପ୍ରଶଂସା କରି କହିଥିଲେ ଯେ ରାଜ୍ୟର ଜଣେ ଅସଲି ଦଳିତ ନେତାଭାବେ ତାଙ୍କର ସୁଖ୍ୟାତି ଏବେ ବି କାଏମ ରହିଛି। ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭଳି ‘ନକଲି ଦଳିତ’ ନୁହନ୍ତି ବୋଲି ମାୟାବତୀ କହିଥିଲେ। ମୁଲାୟମ ତାଙ୍କ ରାଜନୈତିକ ଜୀବନରେ ସର୍ବଦା ଜନସେବାକୁ ପ୍ରାଥମିକତା ଦେଇ ନିଷ୍ଠାପର ଭାବେ କାମ କରିଥିବାରୁ ତାଙ୍କ ଭଳି ନେତା ସର୍ବଦା ରାଜନୀତିରେ ସକ୍ରିୟ ରହିବା ଆମ ପାଇଁ ବରଦାନ ହେବ ବୋଲି ସେ କହିଥିଲେ। ମୁଲାୟମ କହିଥିଲେ ଯେ ସମାଜବାଦୀ ପାର୍ଟି କାର୍ଯ୍ୟକର୍ତ୍ତାମାନେ ମାୟାବତୀଙ୍କୁ ସମ୍ମାନ ଦେଇ କାର୍ଯ୍ୟ କରିବାକୁ ପଡ଼ିବ ଏବଂ ଉଭୟ ଦଳର ମିଳିତ ରଣନୀତି ସଫଳ ହେଲେ ହିଁ ମହାମେଣ୍ଟ ଇତିହାସ ସୃଷ୍ଟି କରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe