ନୂଆଦିଲ୍ଲୀ: ବିଜେପି ଏବଂ ଏନ୍ଡିଏ ସଂସଦୀୟ ଦଳର ନେତା ଭାବେ ସର୍ବସମ୍ମତିକ୍ରମେ ନିର୍ବାଚିତ ହେବାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସଂସଦ ଭବନର କେନ୍ଦ୍ରୀୟ କକ୍ଷରେ ଏନ୍ଡିଏ ସାଂସଦମାନଙ୍କୁ ଉଦ୍ବୋଧନ ଦେଇଥିଲେ। ମୋଦୀ କହିଥିଲେ ଯେ ଦେଶରେ କ୍ଷମତା ଭାବନାରେ ନୁହେଁ ସେବା ଭାବନାରେ କାର୍ଯ୍ୟ କରିବାକୁ ହେବ। ଦେଶର ସଂଖ୍ୟାଲଘୁ ସଂପ୍ରଦାୟକୁ ଭୋଟ୍ ବ୍ୟାଙ୍କ ଭାବେ ଦେଖାଯାଉଥିବା ପ୍ରସଙ୍ଗ ଉଠାଇ ମୋଦୀ କହିଥିଲେ, ସଂଖ୍ୟାଲଘୁ ସଂପ୍ରଦାୟକୁ ଏ ପର୍ଯ୍ୟନ୍ତ କେବଳ ପ୍ରତାରଣା, ଅବିଶ୍ବାସ ଏବଂ ଭୟ ଭିତରେ ରଖାଯାଇଛି। ତେବେ ଏହି ସ୍ଥିତିରେ ପରିବର୍ତ୍ତନ ହେବ ଏବଂ ଆଗକୁ ଏଭଳି ହେବାକୁ ଦିଆଯିବ ନାହିଁ ବୋଲି ମୋଦୀ କହିଛନ୍ତି। ସଂଖ୍ୟାଲଘୁଙ୍କ ବିଶ୍ବାସ ଜିତିବାକୁ ଅମେ ନିଷ୍ଠାର ସହ କାର୍ଯ୍ୟ କରିବୁ ବୋଲି ସେ କହିଛନ୍ତି।
୨୦୧୯ ନିର୍ବାଚନ ସାମାଜିକ ନ୍ୟାୟ ପାଇଁ ଏକ ବିପ୍ଳବ ଭଳି ହୋଇଛି ବୋଲି ଉଲ୍ଲେଖ କରି ମୋଦୀ କହିଥିଲେ, ଏହା ସମାଜକୁ ଏକଜୁଟ୍ କରିଛି ଏବଂ ‘ସବ୍କା ସାଥ୍, ସବ୍କା ବିକାଶ ଏବଂ ସବ୍କା ବିଶ୍ବାସ’କୁ ଅଧିକ ସୁଦୃଢ଼ କରି ଆଗକୁ ବଢ଼ିବାକୁ ପ୍ରେରଣା ଦେଇଛି। ସେବା ଭାବ ଯୋଗୁଁ ହିଁ ଲୋକେ ଆମକୁ ଗ୍ରହଣ କରିଛନ୍ତି ଏବଂ କ୍ଷମତାର କରିଡର ଭିତରେ ସର୍ବଦା ଲୋକଙ୍କ କଲ୍ୟାଣ ପାଇଁ ଅହରହ କାର୍ଯ୍ୟ କରିବା ନିମନ୍ତେ ସମସ୍ତେ ତୟାର ରହିବାକୁ ହେବ ବୋଲି ମୋଦୀ କହିଛନ୍ତି। ଦେଶର ଗରିବ ଜନସାଧାରଣଙ୍କ ସମର୍ଥନରେ ୨୦୧୯ ଏନ୍ଡିଏ ସରକାର ସାକାର ହୋଇପାରିଛି ବୋଲି ସେ କହିଛନ୍ତି।
Follow Us