ନୂଆଦିଲ୍ଲୀ: ୨୦୧୯ ଲୋକସଭା ନିର୍ବାଚନ ବିଭିନ୍ନ କାରଣରୁ ଏବେ ରୋଚକ ହୋଇଉଠିଛି। ଅନେକ ସ୍ଥାନରେ ଗୋଟିଏ ପରିବାରର ସଦସ୍ୟମାନେ ଭିନ୍ନ ଦଳରୁ ନିର୍ବାଚନ ମଇଦାନରେ ଅଛନ୍ତି। ବିହାରର ପାଟନା ସାହିବ ଲୋକସଭା ଆସନରେ ଶତ୍ରୁଘ୍ନ ସିହ୍ନା କଂଗ୍ରେସ ପ୍ରାର୍ଥୀ ହୋଇଥିବା ବେଳେ ତାଙ୍କ ପତ୍ନୀ ପୁନମ ସିହ୍ନା ଲକ୍ଷ୍ନୌରୁ ସମାଜବାଦୀ ପାର୍ଟି ପ୍ରାର୍ଥୀ ଅଛନ୍ତି। ମହାରାଷ୍ଟ୍ରରେ ବି କଂଗ୍ରେସର ଟାଣୁଆ ନେତା ରାଧାକୃଷ୍ଣ ପାଟିଲଙ୍କ ପୁଅ ସୁଜୟ ପାଟିଲ ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି। ହିମାଚଳ ପ୍ରଦେଶରେ ପୂର୍ବ କେନ୍ଦ୍ର ମନ୍ତ୍ରୀ ସୁଖରାମଙ୍କ ନାତି ଆଶ୍ରୟ ଶର୍ମାଙ୍କୁ କଂଗ୍ରେସ ପ୍ରାର୍ଥୀ କରିଥିବା ବେଳେ ଆଶ୍ରୟଙ୍କ ପିତା ଅନୀଲ ଶର୍ମା ହେଉଛନ୍ତି ଜଣେ ବିଜେପି ବିଧାୟକ। ଗୋଟିଏ ପରିବାରର ସଦସ୍ୟ ଅଲଗା ଦଳରୁ ପ୍ରାର୍ଥୀ ହୋଇଥିବାରୁ ଏହା କର୍ମୀଙ୍କ ପାଇଁ ମଧ୍ୟ ସଙ୍କଟ ସୃଷ୍ଟି କରୁଛି। ଗତକାଲି ଶତ୍ରୁଘ୍ନ ସିହ୍ନା ପତ୍ନୀ ତଥା ସପା ପ୍ରାର୍ଥୀ ପୁନମ୍ଙ୍କ ପାଇଁ ଲକ୍ଷ୍ନୌରେ ପ୍ରଚାର କରିବା ପରେ ଏହାକୁ ନେଇ କଂଗ୍ରେସ ନେତା ଓ କର୍ମୀମାନେ କ୍ଷୁବ୍ଧ ହୋଇଥିଲେ। ଶତ୍ରୁଘ୍ନଙ୍କ ଏହି ପଦକ୍ଷେପ ଲକ୍ଷ୍ନୌରେ କଂଗ୍ରେସ ପ୍ରାର୍ଥୀ ଏବଂ ସଂଗଠନ ପାଇଁ ଘୋର କ୍ଷତି ପହଞ୍ଚାଇଥିବା ସେମାନେ କହିଛନ୍ତି। ମହାରାଷ୍ଟ୍ରରେ ମଧ୍ୟ ସୁଜୟଙ୍କୁ ନେଇ ତାଙ୍କ ପିତା ରାଧାକୃଷ୍ଣ ଏବେ ଦଳର ଅନ୍ୟ ନେତାଙ୍କ ଟାର୍ଗେଟ୍ରେ ଅଛନ୍ତି। ରାଧାକୃଷ୍ଣ ପୁଅର ବିଜୟକୁ ସୁଗମ କରିବା ପାଇଁ ଭିନ୍ନ ରଣନୀତିରେ କାମ କରୁଛନ୍ତି ଏବଂ ତାଙ୍କୁ ଭୋଟ୍ ଦେବାପାଇଁ ବିଭିନ୍ନ ସଂଗଠନକୁ ନିବେଦନ କରିବା ପରେ ରାଜ୍ୟ କଂଗ୍ରେସର ଅନ୍ୟ ନେତାମାନେ ଏଥିରେ କ୍ଷୁବ୍ଧ ହୋଇଛନ୍ତି। ରାଧାକୃଷ୍ଣଙ୍କ ବିରୋଧରେ ତୁରନ୍ତ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ଅନେକ ଦାବି କରିଛନ୍ତି। ସୂଚନାଯୋଗ୍ୟ ସୁଜୟ ଜଣେ ନ୍ୟୁରୋସର୍ଜନ ଏବଂ ଗତମାସରେ ସେ ବିଜେପିରେ ସାମିଲ ହୋଇଥିଲେ। ହିମାଚଳରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଛି ଏବଂ ଅନୀଲ ଶର୍ମାଙ୍କ ବିରୋଧରେ ଦଳୀୟ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି। ଏଭଳି ସ୍ଥିତିରେ ଏବେ ପରିବାର ସଦସ୍ୟଙ୍କ ପାଇଁ ଧର୍ମସଙ୍କଟରେ ପଡ଼ିଥିବା ନେତା କେଉଁ ରାସ୍ତା ଧରିବେ ସେ ନେଇ ଦ୍ବନ୍ଦ୍ବରେ ରହିଛନ୍ତି।
ଧର୍ମସଙ୍କଟରେ ନେତା, ଦଳ ସହିତ ରହିବେ କି ଅନ୍ୟ ଦଳ ପାଇଁ ପ୍ରଚାରକୁ ଯିବେ
Advertisment
Follow Us