ନୂଆଦିଲ୍ଲୀ: ଭୋଟର୍ଙ୍କୁ ନିଜ ପକ୍ଷକୁ ଆଣିବା ପାଇଁ ଏବେ ଜାତି ଓ ଧର୍ମକୁ ନେଇ କାର୍ଡ ଖେଳାଯାଉଛି। ଲୋକସଭା ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟ ଭୋଟ୍ଦାନ ପୂର୍ବରୁ ଏବେ ରାଜନୈତିକ ବୟାନବାଜି ଚରମ ସୀମାରେ ପହଞ୍ଚିଛି। କଂଗ୍ରେସ, ବିଜେପି, ସମାଜବାଦୀ ପାର୍ଟି, ବହୁଜନ ସମାଜପାର୍ଟି ପ୍ରମୁଖ ଜାତିଆଣ ମନ୍ତବ୍ୟ ଦେଇ ବିଭିନ୍ନ ଆସନରେ ଭୋଟ୍ ଧ୍ରୃବୀକରଣ ପାଇଁ ଜୋର୍ଦାର ପ୍ରୟାସ ଚଳାଇଛନ୍ତି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆଜି କେରଳର ୱାୟନାଡ଼ରେ ନିର୍ବାଚନ ପ୍ରଚାର ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରବା ବାହାନାରେ ସମଗ୍ର ପଛୁଆବର୍ଗଙ୍କୁ ଗାଳି ଦେଇଛନ୍ତି ବୋଲି ବିଜେପି ଅଭିଯୋଗ କରିଛି। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ମଧ୍ୟ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ବିରୋଧରେ ଜାତିଆଣ ବୟାନ ଦେଇ ବଡ଼ ବିବାଦ ସୃଷ୍ଟି କରିଛନ୍ତି। କେବଳ ଦଳିତ ଭୋଟର୍ଙ୍କୁ ସନ୍ତୁଷ୍ଟ କରିବା ପାଇଁ ବିଜେପି କୋବିନ୍ଦଙ୍କୁ ରାଷ୍ଟ୍ରପତି କରାଇଛି ବୋଲି ଗେହଲଟଙ୍କ ବୟାନକୁ ବିଜେପି ଜୋର୍ଦାର ବିରୋଧ କରିଛି ଏବଂ ଏଥିପାଇଁ କ୍ଷମା ପ୍ରାର୍ଥନା କରିବାକୁ ଦାବି କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦ୍ବିତୀୟ ପର୍ଯ୍ୟାୟ ମତଦାନ ପୂର୍ବରୁ ଆଜି ଓବିସି କାର୍ଡ ଖେଳିଛନ୍ତି। ମହାରାଷ୍ଟ୍ରରେ ଅନୁଷ୍ଠିତ ଏକ ରୢାଲିରେ ମୋଦୀ କହିଛନ୍ତି ଯେ ସେ ପଛୁଆ ବର୍ଗର ହୋଇଥିବାରୁ କଂଗ୍ରେସ ନେତାମାନେ ତାଙ୍କୁ ଲଗାତାର ଟାର୍ଗେଟ୍ କରୁଛନ୍ତୁ ଏବଂ ସମଗ୍ର ପଛୁଆ ବର୍ଗଙ୍କୁ ଚୋର ବୋଲି କହୁଛନ୍ତି। କଂଗ୍ରେସ ଏବଂ ଏହାର ସହଯୋଗୀ ଦଳ ନେତାମାନେ ଭାରତର ସବୁ ମୋଦୀ ଚୋର ବୋଲି କହି ପଛୁଆବର୍ଗଙ୍କ ପ୍ରତି ସେମାନଙ୍କର ଘୃଣା ମାନସିକତାକୁ ଜାହିର୍ କରୁଛନ୍ତି ବୋଲି ମୋଦୀ କହିଛନ୍ତି। କଂଗ୍ରେସର ନାମଦାର ନେତା ସମଗ୍ର ପଛୁଆବର୍ଗଙ୍କୁ ଗାଳି ଦେବାରେ ବ୍ୟସ୍ତ ରହିଛନ୍ତି।ପ୍ରତ୍ୟେକ ଦେଶବାସୀ ନିଜକୁ ଚୌକିଦାର ବୋଲି କହିବା ପରେ ଏବେ କଂଗ୍ରେସ ନେତାଙ୍କୁ କଡ଼ା ଜବାବ ମିଳିଛି ବୋଲି ମୋଦୀ କହିଛନ୍ତି। ଅନ୍ୟପକ୍ଷରେ ରାଷ୍ଟ୍ରପତିଙ୍କ ଜାତିକୁ ନେଇ ଗେହଲଟଙ୍କ ବୟାନ ଉପରେ ବିଜେପି କହିଛି ଯେ କଂଗ୍ରେସ ସମସ୍ତ ଦଳିତ, ପଛୁଆବର୍ଗ ଏବଂ ଗରିବ ରାଜନେତାମାନଙ୍କୁ ଅପମାନିତ କରି କେବଳ ଗୋଟିଏ ପରିବାରକୁ ହିଁ ମହିମାମଣ୍ଡିତ କରି ରଖିବାକୁ ଚାହୁଛି। ଦଳିତ ସମାଜରୁ ଆସିଥିବା ଜଣେ ରାଷ୍ଟ୍ରପତିଙ୍କ ପ୍ରତି ଅପମାନସୂଚକ ବୟାନ ଦେଇ କଂଗ୍ରେସ ସମଗ୍ର ଦେଶକୁ ବଦନାମ କରିଛି ବୋଲି ବିଜେପି ପ୍ରବକ୍ତା ଜିଭିଏଲ୍ ନରସିଂହା କହିଛନ୍ତି।
ତେଜିଲା ଜାତିଆଣ ରାଜନୀତି
Advertisment
Follow Us