ଏନ୍‌ଡିଏ ସଂସଦୀୟ ଦଳ ବୈଠକ: ମୋଦୀ ନେତା ନିର୍ବାଚିତ

Advertisment

ନୂଆ ସରକାର ଗଠନ ପାଇଁ ରାଷ୍ଟ୍ରପତିଙ୍କ ଆମନ୍ତ୍ରଣ

ନୂଆ ସରକାର ଗଠନ ପାଇଁ ରାଷ୍ଟ୍ରପତିଙ୍କ ଆମନ୍ତ୍ରଣ

ଏନ୍‌ଡିଏ ସଂସଦୀୟ ଦଳ ବୈଠକ: ମୋଦୀ ନେତା ନିର୍ବାଚିତ

ନୂଆଦିଲ୍ଲୀ: ସଂସଦର କେନ୍ଦ୍ରୀୟ କକ୍ଷରେ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ଏନ୍‌ଡିଏ ସଂସଦୀୟ ଦଳ ବୈଠକରେ ନରେନ୍ଦ୍ର ମୋଦୀଙ୍କୁ ନେତା ନିର୍ବାଚିତ କରାଯାଇଛି। ମୋଦୀ-ମୋଦୀ ସ୍ଲୋଗାନ ଭିତରେ ସର୍ବ ପ୍ରଥମେ ମୋଦୀଙ୍କୁ ବିଜେପି ସଂସଦୀୟ ଦଳ ନେତା ନିର୍ବାଚିତ କରାଯାଇଥିଲା। ଏହାପରେ ମୋଦୀ ଏନ୍‌ଡିଏ ସଂସଦୀୟ ଦଳ ନେତା ଭାବେ ନିର୍ବାଚିତ ହୋଇଥିଲେ। ବିଜେପି ଏବଂ ଏନ୍‌ଡିଏ ସଂସଦୀୟ ଦଳ ନେତା ନିର୍ବାଚିତ ହେବାପରେ ମୋଦୀ ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ ଏବଂ ମୁରଲୀ ମନୋହର ଯୋଶୀଙ୍କ ପାଦ ଛୁଇଁ ଆଶୀର୍ବାଦ ଦେଇଥିଲେ। ବୈଠକ ପରେ ଏନ୍‌ଡିଏ ପ୍ରତିନିଧି ଦଳ ବିଜେପି ଅଧ୍ୟକ୍ଷ ଅମିତ ଶାହଙ୍କ ନେତୃତ୍ବରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟି ମୋଦୀ ଏନ୍‌ଡିଏ ନେତା ନିର୍ବାଚିତ ହୋଇଥିବା ସଂକ୍ରାନ୍ତ ପତ୍ର ପ୍ରଦାନ କରିଥିଲେ। ଏହାପରେ ମୋଦୀ ରାଷ୍ଟ୍ରପତିଙ୍କୁ ଭେଟି ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରିଥିଲେ।

ରାଷ୍ଟ୍ରପତି ମୋଦୀଙ୍କୁ କାମଚଳା ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତି ଦେବା ସହ ନୂଆ ସରକାର ଗଠନ ପାଇଁ ଆମନ୍ତ୍ରଣ କରିଛନ୍ତି। ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ହେବାକୁ ଥିବା ନୂତନ ସରକାରର ଶପଥ ଗ୍ରହଣ ଉତ୍ସବ ପାଇଁ ସମୟ ଏବଂ ତାରିଖ ସୂଚୀତ କରିବା ସହ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସାମିଲ ହେବାକୁ ଥିବା ଅନ୍ୟ ସଦସ୍ୟଙ୍କ ନାମ ପ୍ରଦାନ କରିବାକୁ ମୋଦୀଙ୍କୁ ରାଷ୍ଟ୍ରପତି ପରାମର୍ଶ ଦେଇଛନ୍ତି।
ମୋଦୀ ଆଜି ଅପରାହ୍ନ ୫ଟାରେ ସଂସଦ ଭବନର କେନ୍ଦ୍ରୀୟ କକ୍ଷରେ ପହଞ୍ଚିବା ପରେ ସେଠାରେ ବିଜେପି ଅଧ୍ୟକ୍ଷ ଅମିତ ଶାହ ଏବଂ ରାଜନାଥ ସିଂହ ତାଙ୍କୁ ପ୍ରଥମେ ସ୍ବାଗତ କରିଥିଲେ। ଏହାପରେ ବିଜେପି ସଂସଦୀୟ ଦଳ ବୈଠକ ଆରମ୍ଭ ହୋଇଥିଲା। ବିଜେପି ଅଧ୍ୟକ୍ଷ ଶାହ ସଂସଦୀୟ ଦଳ ନେତା ଭାବେ ମୋଦୀଙ୍କ ନାମ ପ୍ରସ୍ତାବ ରଖିଥିଲେ। ସମସ୍ତ ସଦସ୍ୟ ଏହାକୁ କରତାଳି ଦ୍ବାରା ସ୍ବାଗତ କରିଥିବା ବେଳେ ବିଜେପିର ପୂର୍ବ ଅଧ୍ୟକ୍ଷ ରାଜନାଥ ସିଂହ ଏବଂ ନୀତିନ ଗଡ଼କରୀ ପ୍ରସ୍ତାବକୁ ସମର୍ଥନ କରିଥିଲେ। ଏହାପରେ ମୋଦୀ ସର୍ବସମ୍ମତିକ୍ରମେ ବିଜେପି ସଂସଦୀୟ ଦଳ ନେତା ନିର୍ବାଚିତ ହୋଇଥିବା ଶାହ ଘୋଷଣା କରିଥିଲେ।

ବିଜେପି ବୈଠକ ପରେ ମୋଦୀଙ୍କୁ ଏନ୍‌ଡିଏ ସଂସଦୀୟ ଦଳ ନେତା ନିର୍ବାଚିତ କରାଯାଇଥିଲା। ଶିରୋମଣି ଅକାଳି ଦଳ ପ୍ରତିଷ୍ଠାତା ପ୍ରକାଶ ସିଂହ ବାଦଲ ମୋଦୀଙ୍କୁ ଏନ୍‌ଡିଏ ସଂସଦୀୟ ଦଳ ନେତା ନିର୍ବାଚିତ କରାଯିବାକୁ ପ୍ରସ୍ତାବ ରଖିଥିଲେ। ଏହାକୁ ଜେଡିୟୁ ନେତା ନୀତୀଶ କୁମାର, ଶିବସେନା ନେତା ଉଦ୍ଧବ ଠାକରେ, ଏଲ୍‌ଜେପି ନେତା ରାମବିଳାସ ପାଶ୍ବାସ, ଏଆଇଏଡିଏମ୍‌କେ ନେତା ଇ. ପଲାନିସ୍ବାମୀ, ନାଗାଲ୍ୟାଣ୍ଡ ମୁଖ୍ୟମନ୍ତ୍ରୀ ନେଫ୍ୟୁ ରି‌ଓ, ଏନ୍‌ପିପି ନେତା କେ.କେ. ସାଂଗମା ସମର୍ଥନ କରିଥିଲେ। ମୋଦୀ ୩୫୩ ସଦସ୍ୟ ବିଶିଷ୍ଟ ଏନ୍‌ଡିଏର ନେତା ନିର୍ବାଚିତ ହୋଇଥିବା ଶାହ ଘୋଷଣା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe