ଜାତୀୟ କଂଗ୍ରେସ ଇସ୍ତାହାରର ଓଡ଼ିଶା ସଂସ୍କରଣ ଉନ୍ମୋଚିତ, ମୋଦୀ ସରକାରଙ୍କ ଉପରେ ବର୍ଷିଲେ ପ୍ରିୟଙ୍କା

Advertisment
ଜାତୀୟ କଂଗ୍ରେସ ଇସ୍ତାହାରର ଓଡ଼ିଶା ସଂସ୍କରଣ ଉନ୍ମୋଚିତ, ମୋଦୀ ସରକାରଙ୍କ ଉପରେ ବର୍ଷିଲେ ପ୍ରିୟଙ୍କା

ଭୁବନେଶ୍ବର: ମୋଦୀ ସରକାରଙ୍କ ସମୟରେ ଦେଶରେ ଆତଙ୍କବାଦ କାର୍ଯ୍ୟକଳାପ ୬୦ ପ୍ରତିଶତ ବଢ଼ିଛି। ଏହି ସମୟରେ ଦେଶର ବେରୋଜଗାର ହାର ୪୫ ବର୍ଷର ସର୍ବନିମ୍ନ ରେକର୍ଡ କରିଛି। ବିମୁଦ୍ରାୟନ, ଜିଏସ୍‌ଟି ପ୍ରଣୟନ ଯୋଗୁଁ ଭୁଲୁଣ୍ଠିତ ହୋଇଛି ଦେଶର ଅର୍ଥନୀତି। ମୋଦୀ ଶାସନ ଏମିତି ଯେ ଧନୀ ଆହୁରି ଧନୀ ହୋଇଛି, ଗରିବ ହେଉଛି ଆହୁରି ଗରିବ। ଯୁବ ସମାଜ, ଚାଷୀ, ମହିଳାଙ୍କ ସ୍ଥିତି, ସମ୍ମାନ ଆଦି ତଳକୁ ଖସିଛି। ଏଭଳି କଡ଼ା ଶବ୍ଦରେ ମୋଦୀ ସରକାରଙ୍କ ବିରୋଧରେ ବର୍ଷିଛନ୍ତି ଏଆଇସିସି ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ।

ଆଜି କଂଗ୍ରେସ ଭବନରେ ଜାତୀୟ କଂଗ୍ରେସ ନିର୍ବାଚନୀ ଇସ୍ତାହାରର ଓଡ଼ିଆ ଭାଷାରେ ମୁଦ୍ରିତ ‘ପ୍ରମୁଖ ସଂକଳ୍ପ’ ନାମରେ ନାମିତ ଓଡ଼ିଶା ସଂସ୍କରଣ ଉନ୍ମୋଚନ ଅବସରରେ ଯୋଗଦେଇ ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ ଇସ୍ତାହାରର ୫ଟି ପ୍ରସଙ୍ଗ ଉପରେ ଆଲୋକପାତ କରିଥିଲେ। ‘ନ୍ୟାୟ’ ଯୋଜନାରେ ଦେଶର ଅତି ଗରିବ ୫ କୋଟି ପରିବାରର ୨୫ କୋଟି ସଦସ୍ୟଙ୍କୁ ବାର୍ଷିକ ୭୨ ହଜାର ଟଙ୍କା ପ୍ରଦାନ, ରୋଜଗାର ବୃଦ୍ଧି ପାଇଁ ୨୨ ଲକ୍ଷ ସରକାରୀ ପଦବି ପୂରଣ, ସ୍ବତନ୍ତ୍ର କୃଷି ବଜେଟ୍‌, ଶିକ୍ଷା ପାଇଁ ଜିଡିପିର ୬ ପ୍ରତିଶତ ଅର୍ଥ ବ୍ୟବସ୍ଥା, ମହିଳାଙ୍କୁ ସଶକ୍ତୀକରଣ ପାଇଁ ସରକାରୀ ନିଯୁକ୍ତି କ୍ଷେତ୍ରରେ ମହିଳାଙ୍କ ନିମନ୍ତେ ୩୩ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଆଦି ଇସ୍ତାହାରରେ ଥିବା ଘୋଷଣା ସଂପର୍କରେ ସେ ଦୋହରାଇଥିଲେ। ବିଜେପି ବିଶେଷ କରି ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀଙ୍କୁ ପ୍ରିୟଙ୍କା କଡ଼ା ସମାଲୋଚନା କରି କହିଲେ‌, ବିମୁଦ୍ରାୟନ, ଜିଏସ୍‌ଟି ଆଦି ତ୍ରୁଟିପୂର୍ଣ୍ଣ ଅର୍ଥନୀତି ଯୋଗୁଁ ଦେଶର ଆର୍ଥିକ ବ୍ୟବସ୍ଥା ଭୁଶୁଡ଼ି ପଡ଼ିଛି। ଯେତେବେଳେ କଂଗ୍ରେସ ଦଳ ଗରିବଙ୍କ ପାଇଁ କିଛି ଯୋଜନା କରେ, ବିଜେପି ପ୍ରଶ୍ନ ଉଠାଏ- ଅର୍ଥ କେଉଁଠାରୁ ଆସିବ। ଏହି ପରିପ୍ରେକ୍ଷୀରେ ମନରେଗା ଜରିଆରେ ୧୪ କୋଟି ଲୋକ ଦାରିଦ୍ର୍ୟ ସୀମାରେଖା ଉପରକୁ ଉଠିଥିବା ନେଇ ସେ ଉଦାହରଣ ଦେଇଥିଲେ। ଏଣୁ କଂଗ୍ରେସର ଇସ୍ତାହାର ଉପରେ ସେହି ଅର୍ଥମନ୍ତ୍ରୀଙ୍କ ସମାଲୋଚନା କେତେଦୂର ଗ୍ରହଣୀୟ ବୋଲି ସେ ପ୍ରଶ୍ନ କରିଥିଲେ। ନୀତି ଆୟୋଗ ରାଜନୀତି ଆୟୋଗରେ ପରିଣତ ହୋଇଥିବା ମଧ୍ୟ ସେ କଟାକ୍ଷ କରି କହିଥିଲେ।

ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ପାକିସ୍ତାନ ଭିତରେ ଅନୁପ୍ରବେଶ କରି ଆକ୍ରମଣ କରି ଦେଶର ଦମ୍‌ ଦେଖାଇଥିଲେ ବୋଲି କହିଥିଲେ ପ୍ରିୟଙ୍କା। କିନ୍ତୁ ମୋଦୀ ସରକାର ସମୟରେ ଦେଶରେ ଆତଙ୍କବାଦ କାର୍ଯ୍ୟକଳାପ ବୃଦ୍ଧି ପାଇଥିବା ଅଭିଯୋଗ କରି ପୁଲ୍‌ୱାମା ଜବାନମାନଙ୍କ ସହିଦ ଘଟଣାରେ ଗୁଇନ୍ଦା ବ୍ୟବସ୍ଥା ବିଫଳ ହୋଇଥିବା ସେ କହିଥିଲେ। ଜାତୀୟତାବାଦ୍‌ ଆଳରେ ମୋଦୀ ସରକାର ନିଜ ବିଫଳତା ଘୋଡ଼ାଇବାକୁ ଉଦ୍ୟମ କରୁଥିବା ସେ ଅଭି‌େଯାଗ କରିଥିଲେ। କଂଗ୍ରେସ ଦଳର କିଛି ପ୍ରାର୍ଥୀ ଅନ୍ୟ ଦଳକୁ ଯାଉଥିବା ପ୍ରଶ୍ନର ଉତ୍ତରରେ ପ୍ରିୟଙ୍କା କହିଲେ, ପ୍ରାର୍ଥୀଙ୍କର ନୁହେଁ, ଓଡ଼ିଶାବାସୀଙ୍କ ଇଚ୍ଛାଶକ୍ତି ଉପରେ କଂଗ୍ରେସର ବିଜୟ ନିର୍ଭର କରେ। ଏହି ପରିପ୍ରେକ୍ଷୀରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇଥିଲେ ଯେ ପିସିସିର ଇସ୍ତାହାର ଖୁବଶୀଘ୍ର ଉନ୍ମୋଚିତ ହେବ। ଏ ନେଇ ଇସ୍ତାହାର କମିଟି ଅଧ୍ୟକ୍ଷ ଗଣେଶ୍ବର ବେହେରା କହିଲେ ଯେ ଇସ୍ତାହାର ସଂପୂର୍ଣ୍ଣ ରୂପେ ପ୍ରସ୍ତୁତ। ଯେ କୌଣସି ମୁହୂର୍ତରେ ଏହା ଉନ୍ମୋଚନ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe