୧୩୧ ସଂରକ୍ଷିତ ଆସନରୁ ୭୭ ବିଜେପି ଦଖଲରେ: କଂଗ୍ରେସକୁ ୯, ବିଏସ୍‌ପିକୁ ମାତ୍ର ୨ଟି ଆସନ

Advertisment
୧୩୧ ସଂରକ୍ଷିତ ଆସନରୁ ୭୭ ବିଜେପି ଦଖଲରେ: କଂଗ୍ରେସକୁ ୯, ବିଏସ୍‌ପିକୁ ମାତ୍ର ୨ଟି ଆସନ

ନୂଆଦିଲ୍ଲୀ: ୨୦୧୪ ଲୋକସଭା ନିର୍ବାଚନରେ ବିଜେପି ୨୮୨ଟି ଆସନରେ ବିଜୟୀ ହୋଇଥିବା ବେଳେ ୨୦୧୯ରେ ୩୦୩ ଆସନ ହାସଲ କରିଛି। ତେବେ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ବିଜେପି ମୋଟ ୧୩୧ଟି ସଂରକ୍ଷିତ ଆସନ ମଧ୍ୟରୁ ଏଥର ୭୭ଟି ଆସନରେ ବିଜୟୀ ହୋଇ ଦଳିତ ଏବଂ ଆଦିବାସୀ ଭୋଟର୍‌ଙ୍କ ବିପୁଳ ସମର୍ଥନ ହାସଲ କରିବାରେ ସକ୍ଷମ ହୋଇଛି। ୨୦୧୯ରେ ବିଜେପିର ଅତିରିକ୍ତ ୨୧ ଜଣ ସାଂସଦଙ୍କ ମଧ୍ୟରୁ ୧୦ ଜଣ ସଂରକ୍ଷିତ ଆସନରୁ ଜିତିଥିବା ଜଣାପଡିଛି। ଅନ୍ୟପକ୍ଷରେ କଂଗ୍ରେସ ମାତ୍ର ୯ଟି ସଂରକ୍ଷିତ ଆସନରେ ବିଜୟୀ ହୋଇଛି।
୨୦୧୪ରେ ବିଜପି ୬୭ଟି ସଂରକ୍ଷିତ ଆସନ ହାସଲ କରିଥିବା ବେଳେ ୨୦୧୯ ଲୋକସଭା ନିର୍ବାଚନରେ ଏହାର ସଂଖ୍ୟା ୭୭କୁ ବୃଦ୍ଧି ପାଇବା ବେଶ୍‌ ଉଲ୍ଲେଖନୀୟ। ଅନୁସୂଚିତ ଜାତି ପାଇଁ ସଂରକ୍ଷିତ ଥିବା ୮୪ଟି ଆସନ ମଧ୍ୟରୁ ବିଜେପି ଏଥର ୪୬ଟି ହାସଲ କରିଥିବା ବେଳେ ୨୦୧୪ରେ ଏହାର ସଂଖ୍ୟା ଥିଲା ୪୦। ସେହିଭଳି, ଅନୁସୂଚିତ ଜନଜାତି ପାଇଁ ଉଦ୍ଦିଷ୍ଟ ୪୭ଟି ଆସନ ମଧ୍ୟରୁ ବିଜେପି ଏଥର ପାଇଛି ୩୧। ୨୦୧୪ରେ ବିଜେପି ଅନୁସୂଚିତ ଜନଜାତି ପାଇଁ ଉଦ୍ଦିଷ୍ଟ ୨୭ ଆସନରେ ବିଜୟୀ ହୋଇଥିଲା। ମଧ୍ୟ ପ୍ରଦେଶ, କର୍ଣ୍ଣାଟକ, ରାଜସ୍ଥାନ ଏବଂ ଗୁଜରାଟର ସମସ୍ତ ସଂରକ୍ଷିତ ଲୋକସଭା ଆସନ ବିଜେପି ହାସଲ କରିବାକୁ ସକ୍ଷମ ହୋଇଛି।

ଏହି ସଂଖ୍ୟାକୁ ଅନୁଶୀଳନ କଲେ ବିଜେପି ଉଭୟ ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି ଭୋଟର୍‌ଙ୍କ ପାଖରେ ପହଂଚିପାରିଥିବା ସ୍ପଷ୍ଟ ହେଉଛି। ତେବେ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଅନୁସୂଚିତ ଜାତି ଏବଂ ଜନଜାତି ଭୋଟବ୍ୟାଙ୍କକୁ ନିଜ ନିୟନ୍ତ୍ରଣରେ ରଖି ଆସିଥିବା କଂଗ୍ରେସ ୨୦୧୪ ନିର୍ବାଚନ ଅପେକ୍ଷା ୨୦୧୯ରେ ୩ଟି ଆସନ ହରାଇଛି। ୨୦୧୪ରେ କଂଗ୍ରେସ ହାତରେ ୧୨ ଟି ସଂରକ୍ଷିତ ଆସନ ଥିବା ବେଳେ ଏହିଥର ଏହାର ସଂଖ୍ୟା ୯କୁ ଖସିଯାଇଛି। ଅନ୍ୟପକ୍ଷେ ବହୁଜନ ସମାଜବାଦୀ ପାର୍ଟି (ବିଏସ୍‌ପି) ୨୦୧୯ ଲୋକସଭା ନିର୍ବାଚନରେ ମାତ୍ର ୨ଟି ସଂରକ୍ଷିତ ଆସନରେ ସୀମିତ ହୋଇଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe