ମାଓ ଇଲାକାକୁ ସୁରକ୍ଷା ବଳୟରେ ଗଲା ଇଭିଏମ୍‌

Advertisment

ସବୁ ରାଜନୈତିକ ଦଳର ପ୍ରଚାର ଶେଷ

ସବୁ ରାଜନୈତିକ ଦଳର ପ୍ରଚାର ଶେଷ

ମାଓ ଇଲାକାକୁ ସୁରକ୍ଷା ବଳୟରେ ଗଲା ଇଭିଏମ୍‌

ଫୁଲବାଣୀ: ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ମଧ୍ୟାହ୍ନରୁ କଡ଼ା ସୁରକ୍ଷା ବଳୟରେ ପୋଲିଂ ଦଳ ବୁଥ୍‌କୁ ଯିବା ଆରମ୍ଭ କରିଛନ୍ତି। ଫୁଲବାଣୀ ସରକାରୀ ପଲିଟେକ୍‌ନିକ୍‌ ଓ ବାଲିଗୁଡା ଷ୍ଟାଡିୟମରୁ ପୁଲିଂ ଦଳ ସବୁ ବୁଥ୍‌ ଅଭିମୁଖେ ବାହାରି ଯାଇଛନ୍ତି। ସଂଧ୍ୟା ସୁଦ୍ଧା ୫୦ ପ୍ରତିଶତ ବୁଥ୍‌ରେ ପହଞ୍ଚି ସାରିଛନ୍ତି। ଆସନ୍ତାକାଲି ସକାଳ ସୁଦ୍ଧା ଅନ୍ୟ ଦଳ ବୁଥ୍‌ରେ ପହଞ୍ଚି ଯିବେ। ମାଓ ପ୍ରବଣ ଅଞ୍ଚଳ ବୁଥ୍‌ଗୁଡିକୁ ଇଭିଏମ୍‌ ଓ ପୁଲିଂ ଦଳକୁ କଡ଼ା ସୁରକ୍ଷା ବଳୟ ଓ ବ୍ୟାପକ ପୁଲିସ ବ୍ୟବସ୍ଥାରେ ନିଆଯାଇଥିବା ପୁଲିସ୍‌ ମୁଖ୍ୟାଳୟରୁ ସୂଚନା ଦିଆଯାଇଛି। କନ୍ଧମାଳ ସଂସଦୀୟ କ୍ଷେତ୍ରରେ ଆଜି ସଂଧ୍ୟାରେ ପ୍ରଚାର ଶେଷ ହୋଇଛି। ‌ପ୍ରଚାର ଶେଷ ଦିନରେ ସବୁ ଦଳ ପକ୍ଷରୁ ଜୋରଦାର ପ୍ରଚାର କରାଯାଇଛି। କେଉଁ ଦଳ ବାଇକ ରାଲି ତ ଆଉ କିଏ ରୋଡ ସୋ’ କରି ଶକ୍ତି ପ୍ରଦର୍ଶନ କରି ଭୋଟରଙ୍କୁ ନିଜ ସପକ୍ଷକୁ ଆଣିବାକୁ ଉଦ୍ୟମ କରିବାକୁ ହାତଛଡ଼ା କରିନାହାନ୍ତି। କନ୍ଧମାଳ ସଂସଦୀୟ କ୍ଷେତ୍ର ପାଇଁ ସମୁଦାୟ ୫ ଜଣ ପ୍ରାର୍ଥୀ ପ୍ରତିନ୍ଦ୍ବନ୍ଦ୍ବିତା କରୁଛନ୍ତି। ମୁଖ୍ୟତଃ ବିଜେଡିର ଅଚ୍ୟୁତ ସାମନ୍ତ, ବିଜେପିର ଖାରବେଳ ସ୍ବାଇଁ ଓ କଂଗ୍ରେସର ମନୋଜ ଆଚାର୍ଯ୍ୟଙ୍କ ମଧ୍ୟରେ ଲଢ଼େଇ ହେଉଛି। ସେହିଭଳି କନ୍ଧମାଳ ସଂସଦୀୟ କ୍ଷେତ୍ରରେ ଯାଉଥିବା କନ୍ଧମାଳ ଜିଲ୍ଲାର ଫୁଲବାଣୀ, ବାଲିଗୁଡା ଓ ଘୁ.ଉଦୟଗିରି, ଗଂଜାମ ଜିଲ୍ଲାର ଭଂଜନଗର, ବୌଦ୍ଧ ଜିଲ୍ଲାର ବୌଦ୍ଧ ଓ କଣ୍ଟାମାଳ ଏବଂ ନୟାଗଡ ଜିଲ୍ଲା ଦଶପଲ୍ଲା ବିଧାନସଭା କ୍ଷେତ୍ରରେ ପ୍ରମୁଖ ୩ ଦଳର ପ୍ରାର୍ଥୀଙ୍କ ମଧ୍ୟରେ କଡା ଟକ୍କର ହେଉଥିବା ଜଣାପଡିଛି। ବିଧାନସଭା କ୍ଷେତ୍ରରେ ସ୍ବାଧୀନ ଓ ବିଦ୍ରୋହୀ ପ୍ରାର୍ଥୀ ନିର୍ଣ୍ଣୟକ ଭୂମିକା ନିର୍ବାହ କରିବେ। କନ୍ଧମାଳ ଜିଲ୍ଲା ଫୁଲବାଣୀ ବିଧାନସଭା କ୍ଷେତ୍ର ପାଇଁ ବିଜେଡିର ଅଙ୍ଗଦ କହଁର, ବିଜେପିର ଦେବନାରାୟଣ ପ୍ରଧାନ ଓ କଂ‌ଗ୍ରେସର କିଶୋର କହଁରଙ୍କ ମଧ୍ୟରେ ମୁଖତଃ ପ୍ରତିନ୍ଦ୍ବନ୍ଦିତା ହେଉଛି। ହେଲେ ଏହି ନିର୍ବାଚନ ମଣ୍ଡଳୀରେ ସ୍ବାଧୀନ ପ୍ରାର୍ଥୀ ନବୀନ କହଁର ଓ ପ୍ରେମଶୀଳ ଝାଙ୍କର ନିର୍ଣ୍ଣାୟକ ଭୂମିକା ତୁଲାଇବେ। ସେହିଭଳି ବାଲିଗୁଡା ବିଧାନସଭା କ୍ଷେତ୍ର ପାଇ ବିଜେଡିର ଚକ୍ରମଣି କହଁର, ବିଜେପିର କରେନ୍ଦ୍ର ମାଝି ଓ କଂଗ୍ରେସର ସିମନ ମଲ୍ଲିକଙ୍କ ମଧ୍ୟରେ ପ୍ରତିନ୍ଦ୍ବନ୍ଦ୍ବିତା ହେଉଛି। ଘୁ.ଉଦୟଗିରି ନିର୍ବାଚନମଣ୍ଡଳୀରେ ବିଜେଡିର ସାଲୁ୍ଗା ପ୍ରଧାନ, ବିଜେପିର ସୁଶ୍ରୀ ଅର୍ଚ୍ଚନା ପ୍ରଧାନ ଓ କଂଗ୍ରେସର ଶ୍ୟାମଘନ ପ୍ରଧାନଙ୍କ ମଧ୍ୟରେ ପ୍ରତିନ୍ଦ୍ବନ୍ଦ୍ବିତା ହେଉଛି। ଗତ ୨୦୧୪ ସାଧାରଣ ନିର୍ବାଚନରେ କନ୍ଧମା‌ଳ ଲୋକସଭା ଆସନ ସହ ୭ରୁ ୬ଟି ବିଧାନସଭା ଆସନ ବିଜେଡି ଅକ୍ତିଆର କରିଥିଲା। କେବଳ ଘୁ.ଉଦୟଗିରିରେ କଂ‌ଗ୍ରେସ ଜିତିଥିଲା। ଏଥିର ସବୁ ଆସନ ଉପରେ ବିଜେଡି ଆ‌ଖି ପକାଇଥିବା ବେଳେ ବିରୋଧୀ ବିଜେପି ଓ କଂ‌ଗ୍ରେସ କେତେ ଅକ୍ତିଆର କରିବାରେ ସକ୍ଷମ ହେଉଛନ୍ତି ତାହା ଦେଖିବାର କଥା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe