ନୂଆଦିଲ୍ଲୀ,: ନିର୍ବାଚନୀ ରାଜନୀତିରେ ସେନା ବାହିନୀକୁ ନେଇ ଚାଲିଥିବା ବୟାନବାଜିକୁ ନେଇ କେତେକ ପୂର୍ବ ସେନା ଅଧିକାରୀଙ୍କ ପକ୍ଷରୁ ରାଷ୍ଟ୍ରପତିଙ୍କୁ ପତ୍ର ଲେଖାଯିବା ମାମଲା ଏବେ ବିବାଦ ଘେରକୁ ଆସିଛି। ୧୫୬ ଜଣ ପୂର୍ବ ଅଧିକାରୀ ରାଷ୍ଟ୍ରପତିଙ୍କୁ ପତ୍ର ଲେଖି ଏ ଦିଗରେ ହସ୍ତକ୍ଷେପ କରିବାକୁ ନିବେଦନ କରାଯାଇଥିବା ଖବର କେତେକ ଗଣମାଧ୍ୟମରେ ପ୍ରଚାରିତ ହୋଇଛି। ତେବେ ଏଭଳି କୌଣସି ପତ୍ର ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟର ହସ୍ତଗତ ହୋଇନାହିଁ ବୋଲି ଆଜି ସ୍ପଷ୍ଟ କରାଯିବା ପରେ ମାମଲା ଭିନ୍ନମୋଡ଼ ନେଇଛି। ଅନେକ ପୂର୍ବ ଅଧିକାରୀ କହିଛନ୍ତି ଯେ ସେମାନେ ଏଭଳି କୌଣସି ପତ୍ର ସଂପର୍କରେ ଆଦୌ ଜାଣନ୍ତି ନାହିଁ, କିନ୍ତୁ ସେମାନଙ୍କ ନାମ ନେଇ ମିଛ ଖବର ଚାଲିଛି। ପୂର୍ବ ବାୟୁସେନା ମୁଖ୍ୟ ଏନ୍ସି ସୁରି କହିଛନ୍ତି ଯେ ସେ ମଧ୍ୟ ରାଷ୍ଟ୍ରପତିଙ୍କୁ ପତ୍ର ଲେଖିଥିବା ସଂପର୍କରେ କେତେକ ଗଣମାଧ୍ୟମରେ ଯାହା ପ୍ରଚାର ହୋଇଛି ସେଥିରେ କୌଣସି ସତ୍ୟତା ନାହିଁ। ମୁଁ ଏଭଳି ପତ୍ର ଲେଖିନାହିଁ କିମ୍ବା ଅନ୍ୟ କୌଣସି ପୂର୍ବ ସେନା ଅଧିକାରୀଙ୍କୁ ଏ ବାବଦରେ ସମର୍ଥନ କରିନାହିଁ ବୋଲି କହିଛନ୍ତି। ତେବେ ଅନ୍ୟ କେତେକ ଅଧିକାରୀ କହିଛନ୍ତି ଯେ ଏଭଳି ପତ୍ର ଲେଖାଯାଇଛି ଏବଂ ସେନାର ସମ୍ମାନ ରକ୍ଷା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି। ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ କିଛି ଲୋକ ବିଭ୍ରାନ୍ତି ସୃଷ୍ଟି ପାଇଁ ପ୍ରୟାସ କରୁଛନ୍ତି ଏବଂ ଏହା ନିନ୍ଦନୀୟ। ପୂର୍ବ ସେନା ଅଧିକାରୀଙ୍କ ଦ୍ବାରା ରାଷ୍ଟ୍ରପତିଙ୍କୁ ପତ୍ର ଲେଖାଯିବା ଖବର ପ୍ରଚାରିତ ହେବାପରେ କଂଗ୍ରେସ ମଧ୍ୟ ସରକାରଙ୍କୁ ଘେରିବାକୁ ପ୍ରୟାସ କରିଛି। କଂଗ୍ରେସ ପ୍ରବକ୍ତା ପ୍ରିୟଙ୍କା ଚତୁର୍ବେଦୀ କହିଛନ୍ତି ଯେ ମୋଦୀ ସରକାର ସେନାର ରାଜନୀତିକରଣ କରୁଥିବାରୁ ପୂର୍ବ ସୈନିକମାନେ ବାଧ୍ୟ ହୋଇ ଏଥିରେ ହସ୍ତକ୍ଷେପ କରିଛନ୍ତି।
ପୂର୍ବ ସେନା ଅଧିକାରୀ ଦୁଇଭାଗ, ବିଜେପି ବିରୋଧରେ ରାଷ୍ଟ୍ରପତିଙ୍କୁ ପତ୍ର ନେଇ ବିବାଦ
Advertisment
Follow Us