dabugaon Photograph: (sambad.in )
ଡ଼ାବୁଗାଁ: ନବରଙ୍ଗପୁର ଜିଲ୍ଲା ଡ଼ାବୁଗାଁ ମଧ୍ୟ ଦେଇ ଯାଇଛି ଭାରତମାଳା ଆର୍ଥିକ କରିଡ଼ର ରୋଡ। ଶେଷ ପର୍ଯ୍ୟାୟରେ ଏହି ଆର୍ଥିକ କରିଡ଼ର ରୋଡ ଥିବା ବେଳେ କିଛି ସ୍ଥାନରେ ଭାରତମାଳା ରୋଡର ଡ଼ାଇଭସର୍ସନ ନିକଟରେ କାଳବୈଶାଖୀ ବର୍ଷା ଯୋଗୁଁ ପାଣି ଓ ମାଟି ଅତଡା ଖସି କାଦୁଆ ଜମି ରହିବାରୁ ଜନସାଧାରଣ ନାହିଁ ନ ଥିବା ଅସୁବିଧା ଭୋଗ କରୁଛନ୍ତି। ବ୍ଲକର ଜବାଗୁଡ଼ା, ଛେଳିବେଡ଼ା ଓ ରାବଣାଗୁଡ଼ା ନିକଟରେ ତିନୋଟି ଓଭର ବ୍ରିଜ ତଳେ ଡ଼ାଇଭର୍ସନ ଥିବା ବେଳେ ଓଭର ବ୍ରିଜ ତଳେ ବର୍ଷା ପାଣି ଜମି ଯାତାୟାତରେ ବାଧା ସୃଷ୍ଟି ହେଉଛି।
ଶୁକ୍ରବାର ଅପରାହ୍ନରେ କାଳବୈଶାଖୀ ଯୋଗୁଁ ଡ଼ାବୁଗାଁ ଅଞ୍ଚଳରେ ରାତ୍ର ତମାମ ଅନବରତ ବର୍ଷା ଲାଗି ରହିଥିଲା। ବର୍ଷା ଯୋଗୁଁ ନଦୀ ଓ ଜମି ଗୁଡିକରେ ପାଣି ଭର୍ତ୍ତି ହୋଇଯାଇଥିଲା। ଡ଼ାବୁଗାଁ ବ୍ଲକ ଦେଇ ଯାଇଥିବା ଭାରତମାଳା ଆର୍ଥିକ କରିଡ଼ର ରାସ୍ତାର ଜବାଗୁଡ଼ା, ଛେଳିବେଡ଼ା ଓ ରାବଣା ଗୁଡ଼ା ଗ୍ରାମ ନିକଟ ଦେଇ ଯାଇଥିବା ଓଭର ବ୍ରିଜ ତଳ ଡ଼ାଇଭର୍ସନ ରାସ୍ତା ଉପରେ ୩ ରୁ ୫ ଫୁଟ ପାଣି ଜମି ଯାଇଥିଲା। ମାଟି ଅତଡା ଖସି କାଦୁଅ ଭର୍ତ୍ତି ହୋଇଯାଇଥିଲା, ଯାହା ଦ୍ଵାରା ଏହି ଡ଼ାଇଭର୍ସନ ରାସ୍ତା ଦେଇ ଯାତାୟାତ କରୁଥିବା ଲୋକେ ନାହିଁ ନ ଥିବା ହୋଇରାଣ ହୋଇଥିଲେ।
ବିଶେଷ କରି ଛେଳିବେଡ଼ା ଓଭର ବ୍ରିଜ ତଳ ଡ଼ାଇଭର୍ଶନ ରାସ୍ତାରେ ରାତ୍ର ୫ ଫୁଟ ଉଚ୍ଚ ପାଣି ରହିଥିଲା, ଯାହା ଦ୍ଵାରା ଏହି ରାସ୍ତା ଉପରେ ନିର୍ଭର କରୁଥିବା ବୋରିଗାଁ, ଘୋଦାଖୁଣ୍ଟା ଓ ନନ୍ଦପୁରା ପଞ୍ଚାୟତ ଦୀର୍ଘ ୮ ଘଣ୍ଟା ଧରି ଡ଼ାବୁଗାଁ ସହ ବିଛିନ୍ନ ହୋଇ ରହିଥିଲା। ରାତ୍ରରେ ଅଚାନକ ଓଭର ବ୍ରିଜ ତଳେ ପାଣି ଜମା ହୋଇଥିବାରୁ ୪ରୁ ୫ ଟି ୪ ଚକିଆ ଯାନ ପାଣିରେ ଫସି ରହିଥିଲା। ବାଇକ ମଧ୍ୟ ପାଣି କାଦୁଅରେ ଫସି ହୋଇରାଣ ହୋଇଥିଲେ।
ବର୍ଷା ଛାଡ଼ିବା ପରେ ଆଜି ସକାଳେ ଭାରତମାଳା ପ୍ରକଳ୍ପ କର୍ମଚାରୀ ଛେଳି ବେଡ଼ା ନିକଟରେ ଯୁଦ୍ଧକାଳୀନ ଭିତ୍ତିରେ ଡ଼ାଇଭର୍ସନ ରାସ୍ତାରେ ପାଣି ଓ କାଦୁଅ ସଫା କରିଥିଲେ। ଏହା ପରେ ଯାତାୟାତ ସ୍ଵାଭାବିକ ହୋଇଥିଲା। ଦୀର୍ଘ ୮ ଘଣ୍ଟା କାଳ ଏହି ରାସ୍ତା ଦେଇ ଯାତାୟାତ ଠପ୍ ହୋଇଯାଇଥିଲା।
ସେହିପରି ଜବାଗୁଡ଼ା ନିକଟ ଦେଇ ଯାଇଥିବା ଭାରତ ମାଳା ଓଭର ବ୍ରିଜ ତଳେ ୩ ଫୁଟ ଉଚ୍ଚ ପାଣି ଜମି ରହିବାରୁ ଲୋକେ ଯାତାୟାତ ରେ ଅସୁବିଧା ଭୋଗ କରିଥିଲେ। ଏହି ଡ଼ାଇଭର୍ଶନ ରାସ୍ତା ଅବରୋଧ ଯୋଗୁଁ ବଡ ଓଲମା ଗ୍ରାମ ପଞ୍ଚାୟତ ଡ଼ାବୁଗାଁ ସଦର ସହ କିଛି ଘଣ୍ଟା ବିଛିନ୍ନ ହୋଇଥିଲା। ଜୁନାପାଣି ପଞ୍ଚାୟତ ଅନ୍ତର୍ଗତ ରାବଣା ଗୁଡା ଦେଇ ଯାଇଥିବା ଭାରତମାଳା ରାସ୍ତାର ଓଭର ବ୍ରିଜ ତଳ ଡ଼ାଇଭର୍ଶନ ରାସ୍ତା ମଧ୍ୟ ଅନୁରୂପ ୩ ଫୁଟ ଉଚ୍ଚ ପାଣି ଜମା ହୋଇ ଯାତାୟତ ରେ ବାଧା ସୃଷ୍ଟି କରିଥିଲା। ତେବେ ଆଗକୁ ବର୍ଷା ଋତୁ ଆସୁଥିବାରୁ ଡ଼ାବୁଗାଁ ବ୍ଲକ ଦେଇ ଯାଇଥିବା ଭାରତ ମାଳା ର ଏହି ତିନୋଟି ଡ଼ାଇଭର୍ଶନ ରାସ୍ତା ରେ ପାଣି ଜମା ହୋଇ ଜନ ସାଧାରଣଙ୍କୁ ଅସୁବିଧା ସୃଷ୍ଟି କରିବା ସହ ଯାତାୟାତ ରେ ବାଧା ଉପୁଜିବାର ସମ୍ଭାବନା ରହିଛି। ପ୍ରଶାସନ ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେଇ ସ୍ଥାୟୀ ପ୍ରତିକାର କରିବାକୁ ଅଞ୍ଚଳବାସୀ ଦାବୀ କରିଛନ୍ତି।
Rain in Odisha | Nabarangpur
Follow Us