ବର୍ଷାରେ ବେହାଲ ମାଲକାନଗିରି: ଦୁଇଟି ବ୍ଲକକୁ ଯୋଗାଯୋଗ ସଂପୂର୍ଣ୍ଣ ଠପ୍

ମାଲକାନଗିରି ଜିଲ୍ଲାରେ ଲଘୁଚାପଜନିତ ଲଗାଣ ବର୍ଷା ଜାରି ରହିଛି। ବର୍ଷା ଯୋଗୁଁ ଲୋକେ ନାହିଁ ନଥିବା ହଇରାଣ ହେଉଥିବା ଲକ୍ଷ୍ୟ କରାଯାଇଛି। ଗତକାଲି ଠାରୁ ବର୍ଷା ଲାଗି ରହିଥିବାରୁ ଜିଲ୍ଲାର ସମସ୍ତ ତଳିଆ ବ୍ରିଜକୁ ଛୁଇଁଛି ପାଣି।

New Project (2)

ମାଲକାନଗିରି: ଜିଲ୍ଲାରେ ଲଘୁଚାପଜନିତ ଲଗାଣ ବର୍ଷା ଜାରି ରହିଛି। ବର୍ଷା ଯୋଗୁଁ ଲୋକେ ନାହିଁ ନଥିବା ହଇରାଣ ହେଉଥିବା ଲକ୍ଷ୍ୟ କରାଯାଇଛି। ଗତକାଲି ଠାରୁ ବର୍ଷା ଲାଗି ରହିଥିବାରୁ ଜିଲ୍ଲାର ସମସ୍ତ ତଳିଆ ବ୍ରିଜକୁ ଛୁଇଁଛି ପାଣି। ଅପରାହ୍‌ଣ ୫ଟାରେ ରିପୋର୍ଟ ଲେଖାଯିବା ବେଳକୁ କାଲିମେଳା ଓ ପଡ଼ିଆ ରାସ୍ତାରେ ରହିଥିବା କନ୍ୟାଶ୍ରମ ବ୍ରିଜ ଉପରେ ୩ ଫୁଟର ପାଣି ପ୍ରବାହିତ ହେଉଛି। ଫଳରେ କାଲିମେଳା ଓ ପଡ଼ିଆ ବ୍ଲକକୁ ଯୋଗାଯୋଗ ସଂପୂର୍ଣ୍ଣ ଠପ୍ ହୋଇଯାଇଛି।

ଜିଲ୍ଲାର କାଙ୍ଗରୁକୋଣ୍ଡା, ଏମଭି-୯୦ ବ୍ରିଜ ମଧ୍ୟ ବିପଦ ସଂକେଦ ତଳେ ରହିଛି। ବର୍ଷା ଲାଗି ରହିଲେ ପୋଟେରୁ ବ୍ରିଜ ବୁଡ଼ିବ। ଫଳରେ ଜିଲ୍ଲା ସହ ଛତିଶଗଡ଼ ଏବଂ ଆନ୍ଧ୍ରକୁ ଯୋଗାଯୋଗ ସଂପୂର୍ଣ୍ଣ ଠପ୍ ହୋଇଯିବ। ସେହିପରି କୋରକୋଣ୍ଡା ବ୍ଲକର ନାକାମାମୁଡି ପଞ୍ଚାୟତର ବାୟାପଡ଼ା ଘାଟିରେ ମାଟି ଅତଡ଼ା ଖସିବା ଯୋଗୁଁ ରାସ୍ତା ଅବରୋଧ ହୋଇଥିବା ସୂଚନା ମିଳିଛି। ମୋଟୁ ଓ ମାଲକାନଗିରିକୁ ବର୍ତ୍ତମାନ ପର୍ଯ୍ୟନ୍ତ ଯାନବାହନ ଚଳାଚଳ ଜାରି ରହିଥିଲେ ମଧ୍ୟ କୌଣସି ମୁହୂର୍ତ୍ତରେ ଏହା ବିଛିନ୍ନ ହେବାର ସମ୍ଭାବନା ରହିଛି।

ପ୍ରଶାସନ ତରଫରୁ ସମସ୍ତଙ୍କୁ ସତର୍କ କରାଯାଇଛି। ତଳିଆ ଅଂଚଳର ଲୋକଙ୍କୁ କିପରି ଉପରକୁ ଅଣାଯିବ ସେନେଇ ପ୍ରଶାସନ ସଜବାଜ ହେଉଛି। ପ୍ରତିବର୍ଷ ପୋଟେରୁ ନଦୀରେ ପ୍ରବଳ ବନ୍ୟା ଆସିବା ଯୋଗୁଁ ପୋଟେରୁ ଗାଁ ବୁଡ଼ି ରହେ। ତେଣୁ ଏଥର ମଧ୍ୟ ବର୍ଷା ଲାଗି ରହିଲେ ପୂର୍ବାବସ୍ଥା ଭଳି ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଛି। ପୋଟେରୁ ଗ୍ରାମବାସୀ ଏବେ ଠାରୁ ସତର୍କ ହେଲେଣି। କୌଣସି ମୁହୂର୍ତ୍ତରେ ପାଣି ଗାଁରେ ପଶିପାରେ। ତେଣୁ ଜରୁରୀକାଳୀନ ବିଭାଗ ମଧ୍ୟ ବନ୍ୟା ଉପରେ ନଜର ରଖିଛି।

ମାଲକାନଗିରି ଜିଲ୍ଲାରେ ଆଜି ରେକର୍ଡ କରାଯାଇଥିବା ବର୍ଷାର ପରିମାଣ ମଧ୍ୟରୁ କାଲିମେଳାରେ ୩୩ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ମାଲକାନଗିରି ବ୍ଲକରେ ୯୫ ମିଲିମିଟର, ମାଥିଲି ବ୍ଲକରେ ୬୫ ମିଲିମିଟର, ଖଇରପୁଟ ବ୍ଲକରେ ୯୫ ମିଲିମିଟର, ଚିତ୍ରକୋଣ୍ଡା ବ୍ଲକରେ ୧୧୯ ମିଲିମିଟର, କୋରକୋଣ୍ଡା ବ୍ଲକରେ ୭୨ ମିଲିମିଟର ଏବଂ ପଡିଆ ବ୍ଲକରେ ୪୫ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।

ବର୍ଷା ଯଦି ଥମେ ତେବେ ତଳିଆ ବ୍ରିଜଗୁଡିକ ଉପରକୁ ପାଣି ବୋହିବା ସମ୍ଭାବନା ନାହିଁ ବୋଲି କୁହାଯାଇଛି। ତେବେ ପ୍ରଶାସନ ତରଫରୁ ସମସ୍ତ ବ୍ଲକ ଅଧିକାରୀମାନଙ୍କୁ ଆଲର୍ଟ କରାଯାଇଛି। ବିଶେଷକରି ପ୍ରତିବର୍ଷ ମୋଟୁ ଅଂଚଳ ସଂପୂର୍ଣ୍ଣ ବୁଡି ରହୁଥିବାରୁ ମୋଟୁ ଅଂଚଳରୁ ଲୋକଙ୍କୁ ଅନ୍ୟତ୍ର ଯିବାକୁ କୁହାଯାଉଛି। ଆହୁରି ଦୁଇ ଦିନ ବର୍ଷା ରହିଥିବାରୁ ଲୋକେ ଆତଙ୍କିତ ରହିଛନ୍ତି। ତେବେ ପ୍ରଶାସନ ଜିଲ୍ଲାରେ ହେବାକୁ ଥିବା ବନ୍ୟାର କିପରି ମୁକାବିଲା କରିବ ଦେଖିବାକୁ ବାକି ରହିଲା।

Rain in Odisha | Malkangiri

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe