ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦାର ବାଗଡ଼ିଆ ଥାନା ପାତ୍ରପଡା ଗ୍ରାମରେ ବଜ୍ରପାତରେ ସ୍ୱାମୀ ମୃତ୍ୟୁବରଣ କରିଥିବା ବେଳେ ପତ୍ନୀ ଗୁରୁତର ଆହତ ହୋଇଛନ୍ତି। ପୁଲିସ ସୂତ୍ରରୁ ପ୍ରକାଶ ଆଜି ସକାଳ ସାଢେ଼ ୧୦ ଟାରେ କରୁଣାକର ନାଏକ(୬୦) ଓ ପତ୍ନୀ ସାବିତ୍ରୀ(୫୬) ଘରକୁ ଫେରିବା ବାଟରେ ଘଡ଼ଘଡ଼ି ବର୍ଷା ଯୋଗୁଁ ବନ ବିଭାଗ ବିଟ କାର୍ଯ୍ୟାଳୟ ନିକଟରେ ଥିବା ତାଙ୍କ ଖଳା ପାଳଭାଡ଼ି ତଳେ ଅଟକିଥିଲେ। ଏହିସମୟରେ ବଜ୍ରପାତରେ ପାଳଭାଡ଼ି ନିକଟରେ କରୁଣାକର ମୃତ୍ୟୁବରଣ କରିଥିଲେ।
ପତ୍ନୀ ସାବିତ୍ରୀଙ୍କୁ ଚେତାଶୂନ୍ୟ ଅବସ୍ଥାରେ ଛେଣ୍ଡିପଦା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। କରୁଣାକରଙ୍କ ମୃତଦେହ ବ୍ୟବଛେଦ ପରେ ପୁଲିସ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳେଇଛି। ସବିତ୍ରୀଙ୍କ ଚେତା ଫେରିଥିବା ବେଳେ ସୁସ୍ଥ ଅଛନ୍ତି।
ବାଗଡ଼ିଆ ଥାନା ନୂଆଗାଁ ତେଲିସାହି ଗ୍ରାମରେ ଜଣେ ମହିଳା ଗୁରୁତର ଆହତ ହୋଇଥିବା ବେଳେ ଆଉ ଜଣେ ମହିଳା ଆହତ ହୋଇଛନ୍ତି। ଆଜି ଦିନ ସାଢେ ବାରଟାରେ ଦିଗାମ୍ବର ମାଝୀଙ୍କ ପତ୍ନୀ ଚଞ୍ଚଳା ମାଝୀ(୪୫) ଘରେ ବସିଥିଲେ। ଏହିସମୟରେ ଘର ନିକଟ ନଡ଼ିଆ ଗଛକୁ ବଜ୍ରପାତ ହୋଇଥିଲା। ଏହିସମୟରେ ଖଗେଶ୍ୱର ସାହୁଙ୍କ ପତ୍ନୀ କୂଅକୁ ପାଣି ଆଣିବାକୁ ଯାଉଥିବା ବେଳେ ବଜ୍ରପାତରେ ଖସିପଡିଥିଲେ। କିଛି ସମୟ ପରେ ଦୁତି ସୁସ୍ଥ ହୋଇଥିଲେ। ଏହି ବଜ୍ରପାତରେ ଚଞ୍ଚଳା ଚେତାଶୂନ୍ୟ ଅବସ୍ଥାରେ ଘରେ ପଡିଯାଇଥିଲେ। ଚଞ୍ଚଳାକୁ ଗୁରୁତର ଅବସ୍ଥାରେ ଛେଣ୍ଡିପଦା ଓ ପରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
Lightning
Follow Us