Image Courtesy of The Times of India
ମୁମ୍ବାଇ/ନାଗପୁର: ୨୦୨୦ ‘ନିଟ୍’ ପରୀକ୍ଷାରେ ୭୨୦ ନମ୍ବରରୁ ‘୦’ ପାଇଥିବା ଅମରାବତୀର ଜଣେ ଛାତ୍ରୀ ବମ୍ବେ ହାଇକୋର୍ଟଙ୍କ ନାଗପୁର ଖଣ୍ଡପୀଠରେ ପିଟିସନ୍ ଦାଏର କରିଛନ୍ତି।
୭୨୦ ନମ୍ବରରୁ ୬୦୦ରୁ ଅଧିକ ନମ୍ବର ପାଇବେ ବୋଲି ଆଶା କରିଥିବା ଅମରାବତୀର ବାଳିକା ବସୁନ୍ଧରା ଭୋଜନେଙ୍କର ଚମତ୍କାର ଏକାଡେମିକ୍ ରେକର୍ଡ ରହିଛି। ଦଶମ ଶ୍ରେଣୀରେ ୯୩.୪% ଏବଂ ଦ୍ବାଦଶ ଶ୍ରେଣୀରେ ୮୧.୯% ନମ୍ବର ରଖିଥିଲେ। ବୈଷୟିକ ତ୍ରୁଟି କାରଣରୁ ସେ ‘୦’ ପାଇଥିବା କଥା କହୁଛନ୍ତି। ତେଣୁ ତାଙ୍କ ଉତ୍ତର ଖାତାର ପୁନଃମୂଲ୍ୟାୟନ ପାଇଁ ସେ ଅନୁରୋଧ କରିଛନ୍ତି। ହାଇକୋର୍ଟରେ ବସୁନ୍ଧରାଙ୍କର ‘ଓଏମ୍ଆର୍’ର ଅରିଜିନାଲ୍ କପି ଦାଖଲ କରିବାକୁ ‘ନ୍ୟାସ୍ନାଲ୍ ଟେଷ୍ଟିଙ୍ଗ୍ ଏଜେନ୍ସି’କୁ ନିର୍ଦେଶ ଦେବା ସହ ପିଟିସନ୍ ଦାଏର ହୋଇଥିବାରୁ ମେଡିକାଲ୍ ଆଡ୍ମିସନ୍ ପ୍ରକ୍ରିୟା ଉପରେ ମଧ୍ୟବର୍ତ୍ତୀକାଳୀନ ରହିତାଦେଶ ଜାରି କରିବାକୁ ତାଙ୍କ ଓକିଲ ଅଶ୍ବିନୀ ଦେଶପାଣ୍ଡେ ଦାବି କରିଛନ୍ତି।
Image Courtesy of Amar Ujala‘ଏନ୍ଟିଏ’ ସମେତ ପିଟିସନ୍ରେ ଅଭିଯୋଗ କରାଯାଇଥିବା ସମସ୍ତଙ୍କୁ ଜଷ୍ଟିସ୍ ଅତୁଳ ଚନ୍ଦୁରକର ଏବଂ ନୀତିନ ସୂର୍ଯ୍ୟବଂଶୀଙ୍କ ଖଣ୍ଡପୀଠ ନୋଟିସ ଜାରି କରିଛନ୍ତି। ଅକ୍ଟୋବର ୨୬ ତାରିଖ ଦିନ ଏହି ମାମଲାର ଚୂଡ଼ାନ୍ତ ଶୁଣାଣି ହେବ ବୋଲି ଖଣ୍ଡପୀଠ ଦିନ ଧାର୍ଯ୍ୟ କରିଛନ୍ତି। ପରବର୍ତ୍ତୀ ଶୁଣାଣି ପୂର୍ବରୁ ଜବାବ ଦାଖଲ କରିବାକୁ ‘ଏନ୍ଟିଏ’କୁ ନିର୍ଦେଶ ଦିଆଯାଇଛି।
‘ଏନ୍ଟିଏ’ର ମହାନିର୍ଦେଶକ ବିନୀତ ଯୋଶୀ କହନ୍ତି, ଫଳାଫଳ ଘୋଷଣା ପୂର୍ବରୁ ଏବଂ ପରେ ସେମାନେ ଛାତ୍ରଛାତ୍ରୀଙ୍କର ସମସ୍ତ ଦାବି ଯାଞ୍ଚ କରିଛନ୍ତି। ଏବେ ମଧ୍ୟ ଛାତ୍ରଛାତ୍ରୀମାନଙ୍କୁ ‘ଓଏମ୍ଆର୍’ ସିଟ୍ ଯାଞ୍ଚ ଲାଗି ଅନୁମତି ଦିଆଯାଉଛି। ଏ ସଂକ୍ରାନ୍ତରେ ଏପର୍ଯ୍ୟନ୍ତ କରାଯାଇଥିବା କୌଣସି ଦାବି ସଠିକ ସାବ୍ୟସ୍ତ ହୋଇନାହିଁ। ଯଦି ଅଦାଲତ କହନ୍ତି, ତେବେ ‘ଏନ୍ଟିଏ’ ସତ୍ୟପାଠ ଦାଖଲ କରିବ।
Follow Us