ତାମିଲନାଡ଼ୁ ସରକାରଙ୍କୁ ୧୦ ପ୍ରାଚୀନ ମୂର୍ତ୍ତି ହସ୍ତାନ୍ତର

Advertisment

ଅଷ୍ଟ୍ରେଲିଆ ଏବଂ ଆମେରିକାରୁ ଫେରାଇ ଅଣାଯାଇଥିଲା

ଅଷ୍ଟ୍ରେଲିଆ ଏବଂ ଆମେରିକାରୁ ଫେରାଇ ଅଣାଯାଇଥିଲା

ତାମିଲନାଡ଼ୁ ସରକାରଙ୍କୁ ୧୦ ପ୍ରାଚୀନ ମୂର୍ତ୍ତି ହସ୍ତାନ୍ତର

NDTV.com

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆ ଏବଂ ଆମେରିକାରୁ ଫେରାଇ ଅଣାଯାଇଥିବା ୧୦ଟି ପ୍ରାଚୀନ ପ୍ରତିମୂର୍ତ୍ତିକୁ ବୁଧବାର ଦିନ ନୂଆଦିଲ୍ଲୀଠାରେ ତାମିଲନାଡ଼ୁ ସରକାରଙ୍କୁ ହସ୍ତାନ୍ତର କରାଯାଇଛି। କେନ୍ଦ୍ର ସଂସ୍କୃତି, ପର୍ଯ୍ୟଟନ ଓ ଉତ୍ତରପୂର୍ବ କ୍ଷେତ୍ର ବିକାଶ ମନ୍ତ୍ରୀ ଜି. କିଷନ ରେଡ୍ଡୀ ନୂଆଦିଲ୍ଲୀ ଇନ୍ଦିରାଗାନ୍ଧୀ ଜାତୀୟ କଳାକେନ୍ଦ୍ରଠାରେ ଆୟୋଜିତ ପ୍ରତିମୂର୍ତ୍ତି ହସ୍ତାନ୍ତର ସମାରୋହରେ ଯୋଗଦେଇ ତାମିଲନାଡ଼ୁ ସରକାରଙ୍କୁ ପ୍ରତିମୂର୍ତ୍ତିଗୁଡ଼ିକୁ ବିଧିବଦ୍ଧ ଭାବେ ହସ୍ତାନ୍ତର କରିଥିଲେ। ସଂସ୍କୃତି ରାଷ୍ଟ୍ରମନ୍ତ୍ରୀ ମୀନାକ୍ଷୀ ଲେଖୀ, ସୂଚନା ଏବଂ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ଏଲ. ମୁରୁଗାନ, ସଂସ୍କୃତି ମନ୍ତ୍ରଣାଳୟ, ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା, ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏବଂ ତାମିଲନାଡ଼ୁ ସରକାରଙ୍କ ମନ୍ତ୍ରୀମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

ସମାରୋହକୁ ସମ୍ବୋଧିତ କରି କେନ୍ଦ୍ରମନ୍ତ୍ରୀ କହିଥିଲେ ଯେ, ବିଗତ ୮ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ଦେଶର ପ୍ରାଚୀନ ସଭ୍ୟତାର ସଂରକ୍ଷଣ, ସାଂସ୍କୃତିକ ଓ ଆଧ୍ୟାତ୍ମିକ ଐତିହ୍ୟର ସୁରକ୍ଷା ଏବଂ ବିଶ୍ବରେ ଭାରତୀୟ ଜ୍ଞାନବ୍ୟବସ୍ଥା ଓ ପରମ୍ପରା ପ୍ରୋତ୍ସାହନ ପାଇଁ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି। ଭୂଗୋଳ ସହିତ ଇତିହାସର ସମ୍ପର୍କ ରହିଛି। ଏକ ନିରନ୍ତର ସଭ୍ୟତା ଭାବେ, ଭାରତର ଐତିହ୍ୟ ଦେଶର ମନ୍ଦିର ଓ ଐତିହାସିକ ସ୍ଥାନ ସହ ଜଡ଼ିତ ହୋଇରହିଛି। ଆମ ଭଗବାନଙ୍କ ପ୍ରତିମୂର୍ତ୍ତି ଫେରାଇ ଆଣିବା ଆମ ଐତିହ୍ୟର ସଂରକ୍ଷଣ, ପ୍ରୋତ୍ସାହନ ଓ ପ୍ରଚାର ପାଇଁ ଏକ ପ୍ରୟାସ। ବିଶ୍ବ ନେତାମାନଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିଗତ ସମ୍ପର୍କ ଏବଂ ସୌହାର୍ଦ୍ଦ୍ୟପୂର୍ଣ୍ଣ ବନ୍ଧୁତା କାରଣରୁ ଏସବୁ ଦେଶରେ ଚୋରି ହୋଇଥିବା ପ୍ରାଚୀନ ସାମଗ୍ରୀକୁ ଠାବ କରାଯିବା ସହିତ ସେଗୁଡ଼ିକୁ ଦେଶକୁ ଫେରାଇ ଆଣିବାରେ ସହଯୋଗ ମିଳିପାରିଛି। ତେଣୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଏଥିପାଇଁ ସବୁ ଶ୍ରେୟ ପାଇବାର ହକ୍‌ଦାର। ସେ କେବଳ ଏସବୁ ବିରଳ ପ୍ରତିମୂର୍ତ୍ତିକୁ ଫେରାଇ ଆଣିବାକୁ ପ୍ରୟାସ କରିନାହାନ୍ତି, ନିଜର ବିଦେଶ ଗସ୍ତ ସମୟରେ ଏସବୁକୁ ଦେଶକୁ ସାଥୀରେ ନେଇଆସିଛନ୍ତି।

ବୁଧବାର ଦିନ ତାମିଲନାଡ଼ୁ ସରକାରଙ୍କୁ ହସ୍ତାନ୍ତର କରାଯାଇଥିବା ପ୍ରାଚୀନ ପ୍ରତିମୂର୍ତ୍ତି ମଧ୍ୟରେ ରହିଛି, ଦ୍ବାରପାଳ, ନଟରାଜ, କଙ୍କଲମୂର୍ତ୍ତିକାଦୟମ, ନନ୍ଦୀକେଶ୍ବରକାଦାୟମ, ଚତୁର୍ଭୁଜ ବିଷ୍ଣୁଙ୍କ ମୂର୍ତ୍ତି, ଶ୍ରୀଦେବୀ, ଶିବ ଓ ପାର୍ବତୀ, ଶିଶୁସମ୍ବନ୍ଦରଙ୍କ ଦଣ୍ଡାୟମାନ ମୂର୍ତ୍ତି ଏବଂ ଶିଶୁସମ୍ବନ୍ଦରଙ୍କ ମୂର୍ତ୍ତି ଆଦି । ୨୦୧୪ ପର ଠାରୁ ପ୍ରାଚୀନ ଦେବାଦେବୀଙ୍କ ମୂର୍ତ୍ତି ଫେରାଇ ଆଣିବା କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ପ୍ରୟାସକୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ରେଡ୍ଡୀ ପ୍ରଶଂସା କରିଥିଲେ। ସେ କହିଥିଲେ ଯେ, ପ୍ରଧାନମନ୍ତ୍ରୀଙ୍କ ଆମେରିକା ଗସ୍ତ ସମୟରେ ଏକକାଳୀନ ୧୫୭ଟି ପ୍ରାଚୀନ ମୂର୍ତ୍ତିକୁ ଭାରତ ଫେରାଇ ଅଣାଯାଇଛି। ‘‘ଆପଣମାନେ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ବିଗତ ୮ ବର୍ଷ ମଧ୍ୟରେ ସରକାର ୨୨୮ଟି ଐତିହ୍ୟ ସାମଗ୍ରୀ ଦେଶକୁ ଫେରାଇ ଆଣିଛନ୍ତି, ଅନ୍ୟ ପଟେ ସ୍ବାଧୀନତା ପରେ ୨୦୧୩ ପର୍ଯ୍ୟନ୍ତ ଭାରତକୁ ମାତ୍ର ୧୩ଟି ପ୍ରାଚୀନ ପ୍ରତି ମୂର୍ତ୍ତି ଅଣାଯାଇଥିଲା। ‘‘ଭାରତ ଏବେ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଆଜାଦୀ କା ଅମୃତ ମହୋତ୍ସବ ପାଳନ କରୁଛି । ଭାରତ ୨୫ ବର୍ଷର ଅମୃତ କାଳରେ ପ୍ରବେଶ କରୁଥିବାରୁ ସ୍ବଦେଶୀ ସଂସ୍କୃତି, ପରମ୍ପରା ଓ ଐତିହ୍ୟର ସୁରକ୍ଷା ପାଇଁ ବିଶ୍ବ ସ୍ତରରେ ନେତୃତ୍ବ ନେବାର ଏକ ସୁଯୋଗ ଆସିଛି। ଏହି କାର୍ଯ୍ୟକ୍ରମ ଏବଂ ଚୋରି ହୋଇଥିବା ଐତିହ୍ୟକୁ ଫେରାଇ ଆଣିବାର ପ୍ରକ୍ରିୟା ଅଣଉପନିବେଶବାଦ ଉପରେ ଏକ ମୁକ୍ତ ଏବଂ ସଚ୍ଚୋଟ ମତବିନିମୟ ପାଇଁ ଅନୁମତି ଦେବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe