ନୂଆଦିଲ୍ଲୀ: ଚଳିତ ମାସ ୧୫ରେ ଆରମ୍ଭ କରାଯାଇଥିବା ବର୍ଷିକିଆ ଫାସ୍ଟ୍ୟାଗ୍ ପାସ୍ ବେଶ୍ ଗ୍ରହଣୀୟ ହୋଇଛି। ମାତ୍ର ଚାରି ଦିନରେ ୫ ଲକ୍ଷ ପାସ୍ ଜାରି କରାଯାଇଛି। ତାମିଲନାଡ଼ୁରେ ସର୍ବାଧିକ ପାସ୍ ଜାରି କରାଯାଇଥିବା ବେଳେ ତା’ପଛକୁ ରହିଛନ୍ତି କର୍ଣ୍ଣାଟକ ଓ ହରିୟାଣା। ତାମିଲନାଡ଼ୁ, କର୍ଣ୍ଣାଟକ ଓ ଆନ୍ଧ୍ରପ୍ରଦେଶରେ ପାସ୍କୁ ସର୍ବାଧିକ ବ୍ୟବହାର କରାଯାଇଥିବା କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଗୁଗଲ୍ ପ୍ଲେ ଷ୍ଟୋର୍ରେ ରାଜମାର୍ଗ ଆପ୍ ଭ୍ରମଣ ବର୍ଗରେ ଦ୍ବିତୀୟ ସ୍ଥାନରେ ରହିଛି ଏବଂ ଏହାକୁ ୧୫ ଲକ୍ଷରୁ ଅଧିକ ଥର ଡାଉନ୍ଲୋଡ୍ କରାଯାଇଛି।
ଜାତୀୟ ରାଜପଥରେ ସୁଗମ, ଦ୍ରୁତ, ସୁବିଧାଜନକ ଏବଂ ଦକ୍ଷ ଟୋଲିଂ ଅଭିଜ୍ଞତା ସୁନିଶ୍ଚିତ କରିବା ପାଇଁ ଫାସ୍ଟ୍ୟାଗ୍ ବାର୍ଷିକ ଟୋଲ୍ ପାସ୍ ଡିଜାଇନ୍ କରାଯାଇଛି। ପୂର୍ବରୁ, ଏହି ସୁବିଧା କେବଳ ବାଣିଜ୍ୟିକ ଯାନବାହନ ପାଇଁ ସୀମିତ ଥିଲା।ବାର୍ଷିକ ପାସ୍ କେବଳ ରାଜମାର୍ଗଯାତ୍ରା ମୋବାଇଲ୍ ଆପ୍ଲିକେସନ୍ ଏବଂ ଏନଏଚଏଆଇ ୱେବସାଇଟରେ ସକ୍ରିୟ କରାଯାଇପାରିବ। ଗାଡ଼ିର ଯୋଗ୍ୟତା ଏବଂ ସମ୍ବନ୍ଧିତ ଫାସ୍ଟ୍ୟାଗ୍ ଯାଞ୍ଚ କରିବା ପରେ ଏହାକୁ ସକ୍ରିୟ କରାଯିବ।
ସଫଳ ଯାଞ୍ଚ ପରେ, ଉପଭୋକ୍ତାଙ୍କୁ ରାଜମାର୍ଗଯାତ୍ରା ମୋବାଇଲ୍ ଆପ୍ଲିକେସନ୍ କିମ୍ବା ଏନଏଚଏଆଇ ୱେବସାଇଟ୍ ମାଧ୍ୟମରେ ୨୦୨୫-୨୬ବର୍ଷ ପାଇଁ ୩ହଜାର ଟଙ୍କା ଦେବାକୁ ପଡିବ। ପେମେଣ୍ଟ ସୁନିଶ୍ଚିତ ହେବା ପରେ, ସାଧାରଣତଃ ଦୁଇ ଘଣ୍ଟା ମଧ୍ୟରେ ପଞ୍ଜିକୃତ ଫାସ୍ଟ୍ୟାଗ୍ରେ ବାର୍ଷିକ ପାସ୍ ସକ୍ରିୟ ହୋଇଯିବ।
ରାଜମାର୍ଗଯାତ୍ରା ଆପ୍ ମାଧ୍ୟମରେ ଫାସ୍ଟ୍ୟାଗ୍ ବାର୍ଷିକ ଟୋଲ୍ ପାସ୍ କିପରି ସକ୍ରିୟ କରିବେ?
୧. ସର୍ବପ୍ରଥମେ ରାଜମାର୍ଗଯାତ୍ରା ମୋବାଇଲ୍ ଆପ୍ଲିକେସନ୍ ଡାଉନଲୋଡ୍ କରନ୍ତୁ।
୨. ଏହା ପରେ ବାର୍ଷିକ ପାସ୍ ବିକଳ୍ପ ଚୟନ କରନ୍ତୁ।
୩. ପେଜ୍ ଖୋଲିବା ପରେ ‘ପ୍ରି-ବୁକ୍’ ଟ୍ୟାବ୍ ଉପରେ କ୍ଲିକ୍ କରନ୍ତୁ।
୪. ଫର୍ମ ପୂରଣ ପାଇଁ ଦିଆଯାଇଥିବା ନିର୍ଦ୍ଦେଶାବଳୀକୁ ଅନୁସରଣ କରିବା ପାଇଁ 'ଗେଟ୍ ଷ୍ଟାର୍ଟେଡ୍' ଉପରେ କ୍ଲିକ୍ କରନ୍ତୁ।
୫. ଏହା ପରେ ଆପଣଙ୍କର ପଞ୍ଜିକୃତ ଗାଡ଼ି ନମ୍ବର ଲେଖନ୍ତୁ।
୬. ପରେ ଆପଣଙ୍କର ଯାନର ଯୋଗ୍ୟତା ଯାଞ୍ଚ କରି ଏହାକୁ ବୈଧ କରନ୍ତୁ।
୭. ଏସବୁ ସରିବା ପରେ ଆପଣଙ୍କ ମୋବାଇଲ୍ ନମ୍ବର ଯାଞ୍ଚ କରି ଓଟିପି ପାଆନ୍ତୁ।
୮. ଓଟିପି ଦେବା ପରେ ଆପଣଙ୍କୁ ଟଙ୍କା ଦେବାର ବିକଳ୍ପ ମିଳିବ।
୯. ଆପଣ ୟୁପିଆଇ, କାର୍ଡ ନା ନେଟ୍ ବ୍ୟାଙ୍କିଙ୍ଗ୍ ଜରିଆରେ ଟଙ୍କା ଦେବାକୁ ଚାହାନ୍ତି ତାହା ବାଛନ୍ତୁ।
୧୦. ଟଙ୍କା ଦେବାର ୨ଘଣ୍ଟା ପରେ ଆପଣଙ୍କ ବାର୍ଷିକ ପାସ୍ ସକ୍ରିୟ ହୋଇଯିବ।
Follow Us